ତେଜସ୍ୱିନୀ ମହିଳା ମିଶନଶକ୍ତି ମହାସଂଘର ସୁଧ ଫେରସ୍ତ ମେଳା ଅନୁଷ୍ଠିତ

ଭୁବନେଶ୍ୱର, ୨୭/୦୨/୨୦୨୪ (ଓଡ଼ିଶା ସମାଚାର)-ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମିଶନଶକ୍ତିର ମାଆ ମାନଙ୍କୁ ଏସ୍.ଏଚ୍.ଜି. ଗ୍ରୁପମାନଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦେବାପାଇଁ ଘୋଷଣା କରିଥିବା ପରିପ୍ରେକ୍ଷୀରେ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଥିବା ତେଜସ୍ୱୀ ମହିଳା ମହାସଂଘର ମାଆ ମାନଙ୍କୁ ମଧ୍ୟ ସୁଧ ଫେରସ୍ତ ପାଇଁ ଏକ ମେଳା ଆୟୋଜନ କରାଯାଇଥିଲା । ତେଜସ୍ୱିନୀ ମହିଳା ମହାସଂଘର ସଭାପତି ତଥା ବି.ଏମ୍.ସି. ୫୩ ନମ୍ବର ୱାର୍ଡର କର୍ପୋରେଟର ମହାମାୟା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସୁଧ ଫେରସ୍ତ ମେଳାରେ ୧୦୦ଟି ଏସ୍.ଏଚ୍.ଜି. ଗ୍ରୁପର ମାଆମାନେ ଏକାଠି ହୋଇ ସେମାନଙ୍କର ଏହିବର୍ଷର ଋଣ ଉପରେ ସୁଧ ଛାଡର ବ୍ୟବସ୍ଥା ଉପଭୋଗ କରିଥିଲେ ଓ କିପରି ସୁଧ ଛାଡ ହେଲା ସେହି ବିଷୟରେ ଟିକିନିଖି ଜ୍ଞାନ ଅର୍ଜନ କରିବା ସହିତ ନିଜ ଆକାଉନ୍ଟକୁ ସୁଧ ଫେରସ୍ତ ହୋଇଛି ନା ନାହିଁ ପରୀକ୍ଷା କରି ଦେଖି ଖୁସି ଅନୁଭବ କରିଥିଲେ । ଏତଦ୍ ବ୍ୟତୀତ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତି ଏସଏଚଜି ମାଆ ମାନଙ୍କୁ ଡ୍ରେସ୍ ପାଇଁ ୧୦୦୦ ଟଙ୍କା ଏବଂ ବ୍ଲେଜର ପାଇଁ ୨୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ଯେଉଁ ଘୋଷଣା କରିଥିଲେ, ସେ ଅର୍ଥ ମଧ୍ୟ ଖୁବ୍ ଶୀଘ୍ର ସେମାନଙ୍କ ଆକାଉନ୍ଟରେ ଡିପୋଜିଟ୍ ହେବାକୁ ଯାଉଥିବାର ଶୁଣି ଆନନ୍ଦ ଅନୁଭବ କରିଥିଲେ । ଏହି ସୁଧ ଫେରସ୍ତ ମେଳାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଆ ମାନଙ୍କୁ ସଶକ୍ତ କରିବା, ସ୍ୱାବଲମ୍ବୀ ହେବା ଓ ନିଜ ଗୋଡରେ ନିଜେ ଠିଆ ହୋଇ ନିଜ ପରିବାର ପ୍ରତିପୋଷଣ କରାଇବାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁଭଳି ବିଭିନ୍ନ ଯୋଜନା ଏବଂ କାମ ମାଆ ମାନଙ୍କ ହାତକୁ ଦେଇଛନ୍ତ ସେଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଇବା ସଂଗେସଂଗେ ମାଆମାନେ ଏସ୍.ଏଚ୍.ଜି. ରୁ ଏସ୍.ଏମ୍.ଇ. ହୋଇ ରାଜ୍ୟ ତଥା ଦେଶର ପ୍ରଗତିରେ ନିଜକୁ ପ୍ରତିପାଦନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ମିଶନଶକ୍ତି ବିଭାଗର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ଓ ଗୀତା ବସ୍ତିଆ ଯୋଗଦେଇ ମାଆ ମାନଙ୍କୁ ନେଉଥିବା ଋଣର ସଦ୍ବ୍ୟବହାର କରି ଆଗେଇଯିବା ଏବଂ ଠିକ୍ ସମୟରେ ଋଣ ପରିଷୋଧ କରିବା ପାଇଁ ମନସ୍ଥ ହେବାକୁ ଆହ୍ୱାନ ଦେଇଥିଲେ । ଭୁବନେଶ୍ୱର ସହରାଂଚଳ ସି.ଡି.ପି.ଓ. ଅଫିସ୍ ରେ ଅନୁଷ୍ଠିତ ଏହି ମେଳାରେ ସି.ଡି.ପି.ଓ. ଶ୍ରୀମତୀ ଉମାରାଣୀ ମହାପାତ୍ର, ଖୋର୍ଦ୍ଧା ସମବାୟ ବ୍ୟାଙ୍କ ମ୍ୟାନେଜର ଶାନ୍ତା ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାର ୪ ବର୍ଷ ହେଲା ସୁଧ ଛାଡ କରୁଛନ୍ତି ଏବଂ ସବୁ ପଇସା ଏହି ସମବାୟ ବ୍ୟାଙ୍କ ମାଧ୍ୟମରେ ହିତାଧିକାରୀ ମାନଙ୍କ ଆକାଉନ୍ଟକୁ ପଠାଯାଇଥାଏ ଓ ଯଦି କୌଣସି ମାଆ କୌଣସି କାରଣରୁ ଋଣ ସୁଝିବାରେ ଅକ୍ଷମ ହୋଇଯାଆନ୍ତି ତେବେ ସେହି ଗ୍ରୁପ୍ ର ଅନ୍ୟମାଆମାନେ ଋଣ ପରିଶୋଧ କରିବାକୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଆମ ତେଜସ୍ୱିନୀ ମହିଳା ମହାସଂଘର ୨୪ଟି ୱାର୍ଡରେ ୧୦୦ଟି ମହାସଂଘକୁ ନେଇ ଗଠିତ ଓ ଏଥିରେ ପ୍ରାୟ ୧୬୦୦ ରୁ ଊଦ୍ଧ୍ୱର୍ ମହିଳା ସମ୍ପୃକ୍ତ ଏବଂ ସବୁ ମାଆମାନେ ଋଣ ନେଇ ନିଜ ନିଜ ଉଦ୍ୟମରେ ବ୍ୟବସାୟ କରି ସଫଳତା ଅର୍ଜନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ତେଜସ୍ୱିନୀ ମହିଳା ମହାସଂଘର ସଭାପତି ମହାମାୟା ସ୍ୱାଇଁ । ଏହି ସଭାକୁ ତେଜସ୍ୱିନୀ ମହିଳା ମହାସଂଘର କାର୍ଯ୍ୟକାରୀ ପରିଷଦ ପରିଚାଳନା କରିଥିଲା ।

Leave a Reply

Your email address will not be published. Required fields are marked *