ଯାଜପୁର, ୨୬/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ) – କୋରେଇ ବ୍ଳକ କରଦା ହରିହାଟ ମହୋତ୍ସବର ଅନ୍ତିମ ଦିବସ ଅବସରରେ ଜନଚେତନାର ସାହିତ୍ୟ ପତ୍ରିକା ସ୍ମୃତିଲିପି ଓ ସତ୍ୟନାରାୟଣ ପାଠାଗାର ମିଳିତ ଉଦ୍ୟମରେ ବସନ୍ତ ଉତ୍ସବ ଓ କବିତା ନୃତ୍ୟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ଉତ୍ସବରେ ବରିଷ୍ଠ ସାହିତ୍ୟିକ ବୈଲୋଚନ ଜେନାଙ୍କ ସଭାପତିତ୍ଵରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତବରିଷ୍ଠ ଶିକ୍ଷାବିତ ଇନ୍ଦ୍ରମଣି ମହାକୁଡ , ମେଳାକମିଟିର ମୁଖ୍ୟ ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିବା ବେଳେ କବିତା ଗୁଡିକୁ ଯୁବ ଆଇନଜୀବି ମନୋଜ କୁମାର ନାଥ ଓ ଯୁବକବି କାର୍ତ୍ତିକ ଚନ୍ଦ୍ର ସ୍ଵାଇଁ ଙ୍କ ମିଳିତ ଉଦ୍ୟମରେ ସଂଯୋଜନା କରିଥିଲେ । ଉତ୍ସବର ପ୍ରାରମ୍ଭରେ ସ୍ମୃତିଲିପି ପତ୍ରିକାର କାର୍ଯ୍ୟ ନିର୍ବାହୀ ସଂପାଦକ ଦୟାନିଧି ନାୟକ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ପତ୍ରିକାର ସଂପାଦକ ଭୁବନ ମୋହନ ମହାନ୍ତି ମଞ୍ଚ ପରିଚାଳନା କରିବା ସହ ବସନ୍ତ ଉତ୍ସବର ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। , ପରେପରେ ନୃତ୍ୟଶିଳ୍ପୀ ସୁଶ୍ରୀ ସ୍ମୃତି ରାଣୀ ଦାସ,ସୁଶ୍ରୀ ଉଷାରାଣୀ ମିଶ୍ର ଓ ସୁଶ୍ରୀ ସ୍ନେହାରାଣୀ ନାଥଙ୍କର ନୃତ୍ୟ ଦର୍ଶକଙ୍କର ମନମୁଗ୍ଧ କରିଥିଲା ।
ବ୍ୟଙ୍ଗକବି ଓମ୍ ପଣ୍ଡା ଓ ଅଖିଳ ମୋହନ ଦାସ ଙ୍କ ବ୍ୟଙ୍ଗ କବିତା ଦର୍ଶକଙ୍କ ହୃଦୟକୁ ହସ ଯୋଗାଇଥିବା ବେଳେ ମନୋଜ୍ଞ ବସନ୍ତ ଆଗମନରେ କବି କୀର୍ତ୍ତନ ବିହାରୀ ମଲ୍ଲିକ, ବିଜୟ କୁମାର କର, ବୃନ୍ଦାବନ ସାହୁ, ଅପର୍ଣ୍ଣା ମିଶ୍ର, ଅନୁପମା ରଣା, ଧରିତ୍ରୀ ଦାସ,ସତ୍ୟବ୍ରତ ସାହୁ ଅଧ୍ୟାପକ ମାୟାଧର ଜେନା,କୈଳାସ ପାତ୍ର, ପ୍ରଭାତ କୁମାର ସାହୁଙ୍କର କବିତା ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଥିଲା ।
ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ସ୍ମୃତିଲିପି ଓ ସତ୍ୟନାରାୟଣ ପାଠାଗାର ମିଳିତ ଉଦ୍ୟମରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିବା ପ୍ରଥମେ ନୃତ୍ୟଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ପରେ ପରେ କବି ବୃନ୍ଦାବନ ସାହୁ,କବି ଇନ୍ଦ୍ରମଣି ମହାକୁଡ,କବି ଅନୁପମା ରଣା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଦୀର୍ଘ ୧୩ ବର୍ଷ ଧରି ମହୋତ୍ସବକୁ ପରିଚାଳନା କରି ଆସୁଥିବା ସ୍ଥାନୀୟ ଯୁବବଂଧୁ ବିଶ୍ୱନାଥ ପଣ୍ଡା,ସଚ୍ଚିତାନନ୍ଦ ସାହୁ ଓ ସୁଧାଶଂକର ବିଶ୍ଵାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଯୁବକବି କାର୍ତ୍ତିକ ଚନ୍ଦ୍ର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।