ଏକ ଲକ୍ଷ ମହିଳା ଚାଷୀଙ୍କୁ ସଶକ୍ତ କରିବ ବାଉଁଶ ଚାଷ : ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ବାଉଁଶ ଚାଷ ଓ  ଜୀବିକା ସୁଯୋଗ ସମ୍ବନ୍ଧୀୟ ୨ ଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଉଦଘାଟିତ

ବାଉଁଶ ଚାରା ରୋପଣ ଠାରୁ ବାଉଁଶ ପ୍ରସ୍ତୁତ ଉତ୍ପାଦ ଉପରେ ଗୁରତ୍ଵ

ଭୁବନେଶ୍ୱର,୨୨/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନ ଅଡିଟୋରିଅମ ହଲରେ ଲକ୍ଷପତି ଦିଦିମାନଙ୍କୁ ଆହୁରି ସଶକ୍ତ କରିବା ନିମନ୍ତେ ବାଉଁଶ ଚାଷ ଓ ଜୀବିକା ସୁଯୋଗ ସମ୍ବନ୍ଧୀୟ ଦୁଇ ଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ବାଉଁଶ ପ୍ରସ୍ତୁତ ଉତ୍ପାଦର ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ବାଉଁଶ ଚାଷ ଠାରୁ ଆରମ୍ଭ କରି ବାଉଁଶ ଶିଳ୍ପରେ ଲକ୍ଷପତି ଦିଦିମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ନିମନ୍ତେ ଏହି କର୍ମଶାଳାର ଆୟୋଜନ କରାଯାଇଛି ।

ମହିଳାମାନଙ୍କ ଦକ୍ଷତା ବିକାଶକୁ ଗୁରୁତ୍ଵ ଦେଇ ସେମାନଙ୍କୁ ବାଉଁଶ ଭଳି ଲାଭଜନକ ବ୍ୟବସାୟରେ ସାମିଲ କରି ସେମାନଙ୍କ ଉଦ୍ୟୋଗୀ ହେବାର ସ୍ଵପ୍ନ ପୂରଣ କରିବା ନିମନ୍ତେ ଏହିଭଳି କର୍ମଶାଳା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ବାଉଁଶ ଚାଷ ଏକ ଲକ୍ଷ ମହିଳା ଚାଷୀଙ୍କୁ ସଶକ୍ତ କରିବ ବୋଲି ସେ ମତ ପ୍ରକାଶ କରିଥିଲେ । ମହିଳାମାନଙ୍କ ଦୃଢ ମନୋବଳ ପାଇଁ ଆଜି ସମଗ୍ର ଦେଶରେ ଓଡ଼ିଶା ଲକ୍ଷପତି ଦିଦି ସୃଷ୍ଟି କରିବାରେ ପ୍ରଥମ ହୋଇଛି । ଆଜି ଓଡ଼ିଶାରେ ଗାଁ ଗାଁ ରେ ଲକ୍ଷପତି ଦିଦି  ସୃଷ୍ଟି ହୋଇଛନ୍ତି ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଓଡ଼ିଶା ଜୀବିକା ମିଶନ ତଥା ବିଭାଗୀୟ ଅଧିକାରୀମାନଙ୍କୁ ଓଡ଼ିଶାକୁ ଲକ୍ଷପତି ଦିଦି ଯୋଜନାରେ ଭାରତରେ ନଂ.୧ ସ୍ଥାନରେ ପହଞ୍ଚାଇବାରେ ସେମାନଙ୍କର ଉତ୍ସର୍ଗୀକୃତ ଏବଂ ଅକ୍ଳାନ୍ତ ପ୍ରୟାସକୁ ସେ ପ୍ରଶଂସା କରିଥିଲେ । ବିଶେଷ ଭାବରେ ଗ୍ରାମରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କାର୍ଯ୍ୟରତ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ନିରନ୍ତର ଏବଂ ନିଷ୍ଠାପର ଉଦ୍ୟମ ପାଇଁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଥିଲେ । ଏଥି ସହିତ କ୍ଷେତ୍ରୀୟ କର୍ମକର୍ତ୍ତା, ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀ ଏବଂ କମ୍ୟୁନିଟି ସପୋର୍ଟ୍ ଷ୍ଟାଫ୍ ଏବଂ ଓଡ଼ିଶା ଜୀବିକା ମିଶନ ତଥା ବିଭାଗୀୟ ଅଧିକାରୀମାନଙ୍କ ଅକ୍ଳାନ୍ତ ଓ ଉତ୍ସର୍ଗୀକୃତ ପ୍ରୟାସକୁ ସେ  ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ, ଓଡିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀମାନେ, ଡୋମେନ୍ (କ୍ଷେତ୍ର) ବିଶେଷଜ୍ଞମାନେ, ମାଷ୍ଟର ପ୍ରଶିକ୍ଷକମାନେ ଏବଂ ଇଣ୍ଡଷ୍ଟ୍ରି ଫାଉଣ୍ଡେସନ୍ ପରି ଜାତୀୟ ଅଂଶୀଦାର ସଂସ୍ଥା ପ୍ରମୁଖ   ଅଂଶଗ୍ରହଣ କରିଥିଲେ ।

ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ବାଉଁଶ ରୋପଣ କୌଶଳ, ଅନ୍ତର୍ଭୁକ୍ତ ଫସଲ ଚାଷ, ମୂଲ୍ୟ ଯୋଗ, ଉତ୍ପାଦ ବିବିଧୀକରଣ, ମୂଲ୍ୟ ନିର୍ଦ୍ଧାରଣ, ଡିଜାଇନ୍ ନବୀକରଣ, ବିପଣନ ଏବଂ ରପ୍ତାନି ସମ୍ଭାବନା ଉପରେ ଅଧିବେଶନ ଆୟୋଜିତ ହେବ । ପ୍ରଶିକ୍ଷଣ ପାଠ୍ୟକ୍ରମରେ ଫରେଷ୍ଟ ଷ୍ଟୁଆର୍ଡ଼ସିପ୍ କାଉନ୍ସିଲ୍ (ଏଫଏସସି) ସାର୍ଟିଫିକେସନ୍, କାର୍ବନ୍ କ୍ରେଡିଟ୍ ମୁଦ୍ରୀକରଣ, ଏବଂ MGNREGS ଏବଂ ଜାତୀୟ ବାଉଁଶ ମିଶନ୍ ଭଳି ପ୍ରମୁଖ ଯୋଜନା ସହିତ ଏକତ୍ରୀକରଣ ପାଇଁ ସମନ୍ୱୟ ରଣନୀତି ଉପରେ ଆଲୋକପାତ କରାଯିବ । ସମସ୍ତ ଜିଲ୍ଲାର ଜିଲ୍ଲା ପ୍ରୋଗ୍ରାମ୍ ମ୍ୟାନେଜର୍ (DPM), ଜିଲ୍ଲା ପ୍ରୋଜେକ୍ଟ କୋଅର୍ଡିନେଟର୍ (DPC), ଜୀବିକା ବିଶେଷଜ୍ଞ ଏବଂ କ୍ଲଷ୍ଟର୍ ସ୍ତରୀୟ ପ୍ରଶିକ୍ଷକମାନେ ସକ୍ରିୟ ଭାବରେ ଏହି କର୍ମଶାଳାରେ ଭାଗ ନେଇଥିଲେ ।

-0-

ତନୁଜା ମହାନ୍ତି,ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *