ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ସହ ରାଜସ୍ବ ସଚିବଙ୍କ ଆଲୋଚନା: ଶ୍ରୀ ମନ୍ଦିର ପ୍ରଶାସନଙ୍କ ଅନୁମତି କୁ ଅପେକ୍ଷା

ନିରାକାରପୁର, ୧୨/୦୩/୨୦୨୪ (ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ନରଣଗଡ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ଗତକାଲି ଖୋର୍ଦ୍ଧା ଉପଜିଲ୍ଲାପାଳ ଦିପ୍ତିରଞ୍ଜନ ସେଠୀଙ୍କ ପ୍ରତିଶ୍ରୁତି ମୁତାବକ ଆଜି  ରାଜ୍ୟ  ରାଜସ୍ବ ସଚିବଙ୍କ ସହିତ  ଆଲୋଚନା କରିଥିଲେ। ଆଜି ସଚିବାଳୟରେ  ଦିନ ସାଢ଼େ ୧୧ ଟା ସମୟରେ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତିର ଏକ ୫ ଜଣିଆ ପ୍ରତିନିଧି ଦଳ ରାଜସ୍ବ ସଚିବ, ଆଇନ ସଚିବ ଓ ଅତିରିକ୍ତ ରାଜସ୍ବ ସଚିବ ଅଭୟ କୁମାର ମହାପାତ୍ରଙ୍କୁ ସାକ୍ଷାତ କରି ସେମାନଙ୍କ ରେକର୍ଡ ସଂଶୋଧନ କରାଯିବା ଉପରେ ଆଲୋଚନା କରିଥିଲେ। ରାଜସ୍ବ ବିଭାଗ ତରଫରୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ଏ ବାବଦରେ ଚିଠି ହୋଇଥିବାବେଳେ କୌଣସି ଅନୁମତି ମିଳିନ ଥିବାରୁ ଅନୁମତି କୁ ଅପେକ୍ଷା କରାଯାଇଛି ବୋଲି ରାଜସ୍ବ ସଚିବ ଜଣାଇଥିଲେ। ବର୍ତ୍ତମାନ ଭୋଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବବେଳେ ଆସନ୍ତା ଦୁଇ ମାସ ଗଲାପରେ ଏହି କାର୍ଯ୍ୟକୁ ଜୁନ ଜୁଲାଇ ମାସ ଆଡ଼କୁ ତ୍ଵରାନିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜିର ଆଲୋଚନାରେ ନରଣଗଡ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ସଭାପତି ଗୋଦାବରୀଶ ଗୁମାନସିଂହଙ୍କ ସମେତ ପୂର୍ବତନ ସରପଞ୍ଚ ବୈକୁଣ୍ଠ ନାଥ ମାର୍ଥା, ପୂର୍ବତନ ସରପଂଚ ଅବକାଶ ମହାନ୍ତି, ସମାଜସେବୀ ଅନିଲ କୁମାର ଗୁମାନସିଂହ ଓ କେଶବ ବିଶ୍ବାଳ ପ୍ରମୁଖ ଭାଗ ନେଇଥିଲେ। ପ୍ରକାଶ ଥାଉ କି ଗତକାଲି ନରଣଗଡ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ପକ୍ଷରୁ ରେକର୍ଡ ସଂଶୋଧନ ପାଇଁ ନରଣଗଡ ପଞ୍ଚାୟତ ଭୋଗପୂର ରେ ପଥର ଖନନ କରୁଥିବା ଓଏମସି ରାସ୍ତା ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଘଟଣାସ୍ଥଳରେ ଖୋର୍ଦ୍ଧା ଉପଜିଲ୍ଲାପାଳ ପହଞ୍ଚି ଆଜି ରାଜସ୍ବ ସଚିବଙ୍କ ସହିତ ସାକ୍ଷାତ କରି ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *