ଅନୁଗୋଳରେ ଜିଲ୍ଲା ଅଡିଟ୍ କାର୍ଯ୍ୟାଳୟ ଏବଂ ପଲିଟେକ୍ନିକ କ୍ୟାମ୍ପସରେ ନୂଆ ହଷ୍ଟେଲ ଉଦଘାଟିତ

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମାଧ୍ୟମରେ ଯୁବଶକ୍ତିଙ୍କୁ ସ୍ୱାବଲମ୍ବୀ କରିବା- ଧର୍ମେନ୍ଦ୍ର ପ୍ରଧାନ

  • ଅମଲାପଡ଼ାରେ ନୂତନ ଅଡିଟ୍ କାର୍ଯ୍ୟାଳୟ ଜିଲ୍ଲାର ସରକାରୀ ଆର୍ଥିକ କାରବାରରେ ଅଧିକ ସ୍ୱଚ୍ଛତା ଓ ପ୍ରଶାସନିକ କାର୍ଯ୍ୟଦକ୍ଷତା ଆଣିବ
  • ଅନୁଗୋଳ ସରକାରୀ ପଲିଟେକ୍ନିକ୍ କ୍ୟାମ୍ପସରେ ୧୦୦ ଲେଖାଁଏ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଓ ଛାତ୍ରୀନିବାସ ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେବେ

ଅନୁଗୋଳ, ୧୦/୦୯/୨୦୨୬ (ଓଡ଼ିଶା ସମାଚାର)-ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୋଳ ଅମଲାପଡ଼ା ଠାରେ ‘ଜିଲ୍ଲା ଅଡିଟ୍ କାର୍ଯ୍ୟାଳୟ’ ଏବଂ ଅନୁଗୋଳ ସରକାରୀ ପଲିଟେକ୍ନିକ୍ କ୍ୟାମ୍ପସରେ ୧୦୦ ଲେଖାଁଏ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଓ ଛାତ୍ରୀନିବାସର ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ଯେ, ଅମଲାପଡ଼ାଠାରେ ଉଦ୍‌ଘାଟିତ ହୋଇଥିବା ଏହି ନୂତନ ଅଡିଟ୍ କାର୍ଯ୍ୟାଳୟ ଜିଲ୍ଲାର ସରକାରୀ ଆର୍ଥିକ କାରବାରରେ ଅଧିକ ସ୍ୱଚ୍ଛତା ଆଣିବା ସହ ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଆର୍ଥିକ ଶୃଙ୍ଖଳା ଓ ସ୍ୱଚ୍ଛ ଶାସନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ସେହିପରି ଅନୁଗୋଳ ସରକାରୀ ପଲିଟେକ୍ନିକ୍ କ୍ୟାମ୍ପସରେ ଉଦ୍‌ଘାଟିତ ହୋଇଥିବା ଛାତ୍ରାବାସ ଓ ଛାତ୍ରୀନିବାସ ଦ୍ୱାରା ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ, ବିଶେଷ କରି ସୁଦୂର ଗ୍ରାମାଞ୍ଚଳରୁ ଆସୁଥିବା ପୁଅ-ଝିଅମାନେ ବିଶେଷ ଭାବରେ ଉପକୃତ ହେବେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମାଧ୍ୟମରେ ଅନୁଗୋଳର ଯୁବଶକ୍ତିଙ୍କୁ ସ୍ୱାବଲମ୍ବୀ, କୁଶଳୀ ଓ ଆତ୍ମନିର୍ଭର କରିବା ପାଇଁ ଆମ ‘ଡବଲ ଇଞ୍ଜିନ ସରକାର’ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *