ଘରକୁ ଘର ଭୋଟର ସର୍ଭେ କାର୍ଯ୍ୟର ସମୀକ୍ଷା କଲେ ଅତିରିକ୍ତ ଶାସନ ସଚିବ ଗୀତାରାଣୀ ପଟ୍ଟନାୟକ
ଯାଜପୁର,୦୩/୧୧/୨୦୨୬(ଓଡ଼ିଶା ସମାଚାର)- ଆଗାମୀ ପୌର (ULB) ଓ ପଞ୍ଚାୟତ ନିର୍ବାଚନକୁ ସ୍ୱଚ୍ଛ, ତ୍ରୁଟିମୁକ୍ତ ଓ ସୁଚାରୁରୂପେ ପରିଚାଳନା କରିବା ଲକ୍ଷ୍ୟରେ ଯାଜପୁର ଜିଲ୍ଲାରେ ଚାଲିଥିବା ଘରକୁ ଘର ଭୋଟର ସର୍ଭେ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୧୦ଟା ସମୟରେ ଯାଜପୁର ସର୍କିଟ୍ ହାଉସ୍ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ ଗୀତାରାଣୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ସଭା ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶିବାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସର୍ଭେ କାର୍ଯ୍ୟର ପ୍ରଗତି ଓ ବିଭିନ୍ନ ୱାର୍ଡର ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ସମୀକ୍ଷା ବୈଠକରେ ଭୋଟର ତାଲିକାରେ ନୂତନ ନାମ ଅନ୍ତର୍ଭୁକ୍ତ କରିବା, ସର୍ଭେ ସମୟରେ ଆସୁଥିବା ଆପତ୍ତି ଓ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ କରିବା ଏବଂ କାର୍ଯ୍ୟକୁ ଆହୁରି ଦ୍ରୁତଗାମୀ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଦିନ ବେଳେ କାମଧନ୍ଦା ପାଇଁ ଘରେ ଅନୁପସ୍ଥିତ ରହୁଥିବା ନାଗରିକଙ୍କ ନିକଟରେ ସର୍ଭେ ଟିମ୍ ଯଥାଶୀଘ୍ର ପହଞ୍ଚି ସେମାନଙ୍କୁ ସର୍ଭେରେ ସାମିଲ କରିବା ପାଇଁ ଅତିରିକ୍ତ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସନ୍ଧ୍ୟା ସମୟରେ ଦାୟିତ୍ୱ ତୁଲାଉଥିବା ମହିଳା ବୁଥ୍ ଲେଭଲ୍ ଅଫିସର ମାନଙ୍କର ସୁରକ୍ଷା ନିଶ୍ଚିତ କରିବାକୁ ସେ ବିଶେଷ ଭାବେ ଗୁରୁତ୍ୱ ଦେଇଛନ୍ତି, ଯାହାଦ୍ୱାରା ସେମାନେ ନିର୍ଭୟରେ ଓ ନିଷ୍ଠାର ସହ ନିଜ କର୍ତ୍ତବ୍ୟ ସମ୍ପାଦନ କରିପାରିବେ।
ଅପରପକ୍ଷରେ, ଜିଲ୍ଲାପାଳ ଅମ୍ବର କୁମାର କର ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଯେପରି ଗୋଟିଏ ନିର୍ଦ୍ଦିଷ୍ଟ ଭୋଟିଂ ବୁଥ୍ରେ ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ସର୍ଭେ କାର୍ଯ୍ୟର ଶେଷ ସମୟସୀମା ଆସନ୍ତା ନଭେମ୍ବର ୭ ତାରିଖ ରହିଥିବାରୁ, ଏହି ଧାର୍ଯ୍ୟ ତାରିଖ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସର୍ଭେ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ବୈଠକ ଶେଷ ହେବା ପରେ ଅତିରିକ୍ତ ଶାସନ ସଚିବ ତୃଣମୂଳ ସ୍ତରରେ ପ୍ରଗତି ଅନୁଧ୍ୟାନ କରିବା ପାଇଁ ରସୁଲପୁର, ବାରବାଟୀ, ପାଣିକୋଇଲି, ମଳାନନ୍ଦପୁର, ପାଣସା ଏବଂ ଚାଇନିପୁର ଭଳି ପ୍ରମୁଖ ପଞ୍ଚାୟତଗୁଡ଼ିକୁ ଗସ୍ତ କରିଛନ୍ତି।
ପଞ୍ଚାୟତ ଓ ପୌର ନିର୍ବାଚନ ଦୃଷ୍ଟିରୁ ଏହି ଘରକୁ ଘର ସର୍ଭେ ପ୍ରକ୍ରିୟାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସର୍ଭେ ମାଧ୍ୟମରେ ନକଲି କିମ୍ବା ମୃତ ଭୋଟରଙ୍କ ନାମ ଭୋଟର ତାଲିକାରୁ ହଟିବା ସହ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ଯୋଡ଼ିହୋଇ ଏକ ସୁସ୍ଥ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ। ଗୋଟିଏ ପରିବାରର ସମସ୍ତଙ୍କ ନାମ ଗୋଟିଏ ବୁଥ୍ରେ ରହିବା ଦ୍ୱାରା ମତଦାନ ଦିନ ନାଗରିକମାନଙ୍କୁ ଭିନ୍ନ ଭିନ୍ନ ବୁଥ୍କୁ ଯିବାକୁ ପଡ଼ିନଥାଏ, ଯାହା ମତଦାତାଙ୍କ ଅଂଶଗ୍ରହଣ ବୃଦ୍ଧି କରିବାରେ ସାହାଯ୍ୟ କରିବ। ସର୍ବୋପରି, ଏହି ନିରପେକ୍ଷ ପ୍ରକ୍ରିୟା ନିର୍ବାଚନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଦୃଢ଼ ଓ ଗଣତାନ୍ତ୍ରିକ କରିବାରେ ସହାୟକ ହେବ।
ଏହି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଜିଲ୍ଲାର ୧୦ଟି ଯାକ ବ୍ଲକ୍ର ବିଡିଓ , ଜିଲ୍ଲା ପଞ୍ଚାୟତ ଉନ୍ନୟନ ଅଧିକାରୀ , ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଏବଂ ବୁଥ୍ ଲେଭଲ୍ ଅଫିସର (BLO) ମାନେ ପ୍ରମୁଖ ଉପସ୍ଥିତ ରହି ସର୍ଭେ କାର୍ଯ୍ୟର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
-0-
ଅଭିନାଶ ସାଗର,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
