ବିଶ୍ଵ ସାମାଜିକ ନ୍ୟାୟ ଦିବସ ୨୦୨୬ ପାଳିତ

ଜଗତସିଂହପୁର,୨୦/୦୨/୨୦୨୬ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ସାମାଜିକ ନ୍ୟାୟ ଦିବସ ୨୦୨୬ ପାଳିତ ହୋଇଯାଇଛି। ଏହି ଅବସର ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଲେ ଯେ, ବରିଷ୍ଠ ନାଗରିକ ମାନେ ଆମ ପାଇଁ ଚିର ନମସ୍ୟ। ସେମାନଙ୍କ ର ସୁରକ୍ଷା ଓ କଲ୍ୟାଣ ଆମ ସମସ୍ତଙ୍କର କର୍ତ୍ତବ୍ୟ। ବର୍ତ୍ତମାନ ସମୟରେ ସମାଜ ରେ ପୁଅ ଝିଅ ମାନେ ବୃଦ୍ଧ ପିତାମାତା ଙ୍କ ଯତ୍ନ ନ ନେଇ ବୃଦ୍ଧାଶ୍ରମ ରେ ଛାଡି ଦେଉଛନ୍ତି। ତେଣୁ ପିତାମାତା ଏବଂ ବରିଷ୍ଠ ନାଗରିକ ଙ୍କ ରକ୍ଷଣା ବେକ୍ଷଣ ଓ କଲ୍ୟାଣ ଆଇନ, ୨୦୦୭ ଉପରେ ଆଲୋକପାତ କରିବା ସହ ଆଇନ କାର୍ଯ୍ୟକାରୀ କରୁଥିବା ଅଧିକାରୀ ମାନଙ୍କୁ ସମ୍ବେଦନଶୀଳ ହେବାପାଇଁ ଉପଦେଶ ଦେଇଥିଲେ। ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ଆଇନଜୀବି ଶ୍ରୀ ସଲିଲ ଘୋଷ , ଭଜହରି କର ମଧ୍ୟ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ।

ଜିଲ୍ଲା ଇ  ଶାସନ ପରିଚାଳକ ଶ୍ରୀ ଅରବିନ୍ଦ ଆଚାର୍ଯ୍ୟ, ସାଇବର ଥାନା ଡି ଏସ ପି ଶ୍ରୀମତୀ ସବିତା ପରିଡ଼ା ସାଇବର ଠକେଇ ଓ ସଚେତନତା ବିଷୟରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ୟୁକୋ ବ୍ୟାଙ୍କ ମ୍ୟାନେଜର ରାଜଲକ୍ଷ୍ମୀ ମହାନ୍ତି ବ୍ୟାଙ୍କ୍ ରେ ବରିଷ୍ଠ ନାଗରିକ ଙ୍କ ସୁବିଧା ସଂପର୍କିତ ସଚେତନତା ର ବାର୍ତ୍ତା ଦେବାବେଳେ ସି ଏଚ ସି ର ଜିଲ୍ଲା ସଂଯୋଜକ ଦୀପକ ଦାସ ଆୟୁଷ୍ମାନ ଭାରତ ଓ ବୟୋବନ୍ଦନା ସ୍ବାସ୍ଥ୍ୟ କାର୍ଡ ସମ୍ବନ୍ଧରେ ସୂଚନା ଦେଇଥିଲେ। ବରିଷ୍ଠ ନାଗରିକ ମହାମଞ୍ଚ ର ସଭାପତି ଶ୍ରୀ ନିକୁଞ୍ଜ କିଶୋର ବେହେରା ବରିଷ୍ଠ ନାଗରିକ ମାନଙ୍କ ର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ କରାଇବା ସହ ଏହାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ର ସହଯୋଗ କାମନା କରିଥିଲେ।

ପ୍ରାରମ୍ଭ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତା ନାୟକ ଅତିଥି ପରିଚୟ ପ୍ରଦାନ ସହ ଦିବସ ର ତାତ୍ପର୍ଯ୍ୟ ପ୍ରତିପାଦନ କରିଥିଲେ। ଶେଷ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ତଥା ଅନ୍ୟ ସମ୍ମାନିତ ଅତିଥି ମାନେ ପୁରସ୍କୃତ କରିଥିଲେ। ବିଶ୍ଵ ସାମାଜିକ ନ୍ୟାୟ ଦିବସ ୨୦୨୬ ଅବସର ରେ ସକାଳ ୭ ଟା ରେ ଯୋଗ ଶିବିର, ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ଼ାକ୍ତର ମାନଙ୍କ ଦ୍ୱାରା ସ୍ବାସ୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ ବ୍ଲକ୍ ରୁ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ। ଏଥିସହ ବୁଦ୍ଧିଜୀବି, ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *