କେନ୍ଦ୍ରାପଡ଼ା,୧୮/୦୨/୨୦୨୫(ଓଡ଼ିଶା ସମାଚାର)- ଜଜାଙ୍ଗ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର କେନ୍ଦ୍ରାପଡ଼ା ଠାରେ ଗତ ୧୧ରୁ ୧୫ ଫେବୃଆରୀ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ପ୍ରାକୃତିକ କୃଷି ଉପରେ ବରିଷ୍ଠ ଓ ମୁଖ୍ୟ ଡଃ ଅରବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଏକ ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ କେନ୍ଦ୍ରାପଡ଼ାର ୫ଗୋଟି ବ୍ଳକ୍ ରୁ ୩୦ଜଣ ଚାଷୀ ଅଂଶଗ୍ରହଣ କରି ଆଧୁନିକ କୃଷିର ଭୟାବହତା ଓ କୁପରିଣାମ ବିଷୟରେ ବୁଝି ଏହାକୁ କିପରି ପ୍ରାକୃତିକ କୃଷି ମାଧ୍ୟମରେ ବିନା କୌଣସି ରାସାୟନିକ ଦ୍ରବ୍ୟ ବ୍ୟବହାର କରି କୃଷି ପଦ୍ଧତିକୁ ଆପଣେଇ ଏକ ସୁସ୍ଥ ପରିବେଶ, ମୃତିକା ଓ କମ୍ ଖର୍ଚ୍ଚରେ ଉତ୍ପାଦନ କରିହେବ, ସେ ବିଷୟରେ ତାଲିମ୍ ନେଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡଃ ରଶ୍ମି ରଞ୍ଜନ ସାହୁ ମୁଖ୍ୟ ପ୍ରଶିକ୍ଷକ ଭାବେ ଚାଷୀମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ ।
ଶେଷଦିନ ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକୃତିକ କୃଷିର ଗୁରୁତ୍ୱ ଉପରେ ଆଲୋଚନା କରି ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କଲ୍ୟାଣ ରାୟ, ଉଦ୍ୟାନ କୃଷି ଅଧିକାରୀ ଦେବଦାସ ଦତ, ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ପ୍ରଭଞ୍ଜନ କବି ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ଡଃ ତାପସ ରଞ୍ଜନ ସାହୁଙ୍କ ସମେତ ସମସ୍ତ ବୈଜ୍ଞାନିକ ଓ କର୍ମକର୍ତା ପ୍ରମୁଖ ସହଯୋଗ କରିଥିଲେ ।