ସରକାରୀ କର୍ମଚାରୀଙ୍କୁ କ୍ୟାସ୍ ଲେସ୍ ହେଲଥ୍ କାର୍ଡ ଦାବି
ସରକାରଙ୍କ ଘୋଷଣା ଅପେକ୍ଷାରେ ସରକାରୀ କର୍ମଚାରୀ
ଭୁବନେଶ୍ୱର,୧୮/୦୬/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟଶାସନ ସଚିବ, ସ୍ୱାସ୍ଥ୍ୟ ସଚିବକୁ କ୍ୟାସ୍ ଲେସ୍ ହେଲଥ୍ କାର୍ଡ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେବା ଲାଗି ଆଲୋଚନା ପାଇଁ ସମୟ ଦେବାକୁ ଅନୁରୋଧ କରିଛନ୍ତି ମହାସଂଘ ସଭାପତି ବିଜୟ ମଲ୍ଲ ।
ମହାସଂଘ ବହୁବାର ଦାବିପତ୍ର ଦେଇଥିଲେ ମଧ୍ୟ ସରକାର କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ କାର୍ଡ ବାବଦରେ କୌଣସି ନିଷ୍ପତି ନେଇନାହାନ୍ତି । ବିଭିନ୍ନ ରାଜ୍ୟ ଓ ରାଷ୍ଟ୍ରୀୟ ଉଦ୍ୟୋଗରେ କର୍ମଚାରୀକୁ କ୍ୟାସ୍ ଲେସ୍ ହେଲଥ୍ କାର୍ଡ ଯୋଗାଇ ଦେଇଥିବା ବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।
ଆଜି ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ କ୍ୟାସ୍ ଲେସ୍ ହେଲଥ୍ କାର୍ଡ ସବୁ ସରକାରୀ କର୍ମଚାରୀ ମାନଙ୍କ କ୍ଷେତ୍ରରେ ଲାଗୁ ନ ହୋଇଥିବାରୁ ପଂଚାୟତରୁ ଲୋକସଭା ଭବନ ଯାଏଁ ସବୁ ବର୍ଗର କର୍ମଚାରୀ ହାତରେ ପ୍ଲାକାର୍ଡ ଧରି ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଦୁଃଖ ଓ ଅସନ୍ତୋଷ ଟ୍ୱିର୍ଟର, ଫେସବୁକ୍ ଓ ସୋସିଆଲ୍ ମେଡ଼ିଆ ମାଧ୍ୟମରେ ଜାହିର କରୁଛନ୍ତି ।
ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ କି ସବୁ ବର୍ଗର କର୍ମଚାରୀଙ୍କୁ କ୍ୟାସଲେସ୍ ହେଲଥ୍ କାର୍ଡ ଯୋଗାଇ ଦେବାପାଇଁ । ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ନିଷ୍ପତିକ୍ରମେ ରାଜ୍ୟରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ କରିଛନ୍ତି । ଏଥିରେ ରାଜ୍ୟର ୩ କୋଟି ୪୬ଲକ୍ଷ ଲୋକ ଦେଶର ୨୯ ହଜାର ଘରୋଇ ଏବଂ ସରକାରୀ ହସ୍ପିଟାଲ୍ ରେ ଚିକିତ୍ସା ସୁବିଧା ପାଉଛନ୍ତି ଏବଂ ସାମ୍ବାଦିକ ମଧ୍ୟ ଗୋପବନ୍ଧୁ ସାମ୍ବାଦିକ ବୀମା ଯୋଜନାରେ ଲାଭବାନ ହଉଛନ୍ତି । କିନ୍ତୁ ଦୁଃଖର ବିଷୟ ଓଡ଼ିଶାରେ କାମ କରୁଥିବା ବିଭିନ୍ନ ବିଭାଗରେ ହଜାର ହଜାର କର୍ମଚାରୀ ସ୍ୱାସ୍ଥ୍ୟ ଯୋଜନାରୁ ବଂଚିତ ହେଉଛନ୍ତି ।
ସରକାରଙ୍କ ସବୁ ଯୋଜନାକୁ ସଫଳ ରୂପାୟନ କରୁଥିବା ଓ ବିକଶିତ ଓଡ଼ିଶାକୁ ଆଗକୁ ନେଉଥିବା ଏହି ଅସହାୟ କର୍ମଚାରୀଙ୍କ ପାଇଁ ଏହି ସଫଳ ଯୋଜନାକୁ ଲାଗୁ କରିବା ନିମନ୍ତେ ଆଜି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବକୁ ଓଡ଼ିଶାର ୫ଲକ୍ଷ ସରକାରୀ କର୍ମଚାରୀ ଏବଂ ୩.୫ଲକ୍ଷ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ତରଫରୁ ଅନୁରୋଧ କରୁଛନ୍ତି ।
ସରକାର ଯଦି ଆଲୋଚନା ମାଧ୍ୟମରେ ସମାଧାନ ନ କରନ୍ତି ଏକ ବୃହତ୍ ଆନ୍ଦୋଳନ ଭୁବନେଶ୍ୱରଠାରେ କରାଯିବ ବୋଲି ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ, ମହାସଚିବ ଅଶ୍ୱିନୀ ମିଶ୍ର, ପ୍ରତୁ୍ୟଷ କଅଁର, ପ୍ରଦୀପ ପ୍ରଧାନ, ଶୁଭ୍ରଜିତ୍ ପ୍ରତିହାରୀ, ରାଜେନ୍ଦ୍ର ମଲ୍ଲିକ, ରଶ୍ମୀ ପାଢୀ, ସୁଧାଂଶୁ ପାତ୍ର, ଶୁଭଲକ୍ଷ୍ମୀ ସ୍ୱାଇଁ, କ୍ଷୀତିଶ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ଲେଙ୍କା, କ୍ଷୀତିଶ ପଣ୍ଡା, ତୁଷାର କାନ୍ତ ରାଉତ, ପ୍ରଭାତ ତିୱାରୀ, ଗୁରୁଗୋବିନ୍ଦ ଦଳାଇ, ପ୍ରଶାନ୍ତ ରାଉତରାୟ, ମନୋଜ ନୋ, ଆଦିତ୍ୟ ନାରରାୟଣ ସ୍ୱାଇଁ, ଅନୀତା ବେହେରା, ଶିବ ଶଙ୍କର ସାହୁ ପ୍ରମୁଖ ଏକ ପ୍ରେସ୍ ବିବୃତି ମାଧ୍ୟମରେ ପ୍ରକାଶ କରିଛନ୍ତି ।
