ବନ୍ଧୁକ ମୁନରେ ଗହଣା ବ୍ୟବସାୟୀଙ୍କଠାରୁ ଗହଣା ଲୁଟ୍‌

ଆନନ୍ଦପୁର,୨୭/୦୯/୨୦୨୬ (ଓଡ଼ିଶା ସମାଚାର)- ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଛନ୍ତି। ଗୁଳି ଫୁଟାଇ ମାରିଦେବାର ଧମକ ଦେଇ ସେମାନେ ଲୁଟ୍‌ କରିଥିବା ଜଣାପଡ଼ିଛି। ପରେ ଦୁର୍ବୃତ୍ତମାନେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରି ଫେରାର ହୋଇଯାଇଛନ୍ତି। କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳର ଘଟଣା ।

ଗୁଳି ଫୁଟିବା ଶବ୍ଦ ଶୁଣି ଭୟଭୀତ ହୋଇ ସ୍ଥାନୀୟ ଲୋକେ ଘରର କବାଟ ବନ୍ଦ କରି ଭିତରେ ରହିଥିଲେ। ଖବର ପାଇ ବିଭିନ୍ନ ଥାନାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ରାତିସାରା ଅନୁଧ୍ୟାନ କରିବା ସହ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେଶନ କରିଥିଲେ।

ଭଦ୍ରକ ଜିଲା ବନ୍ତ ଥାନା ଅନ୍ତର୍ଗତ ସିନନ୍ଦି ଗ୍ରାମର ଜଣେ ଗହଣା ବ୍ୟବସାୟୀ ସୋସୋ ଥାନା ଗଡ଼ଚଣ୍ଡୀ ଛକ ନିକଟରେ ନିଜର ଦୋକାନ କରିଛନ୍ତି। ଶନିବାର ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ବନ୍ତଳା ଗାଁ ନିକଟରେ ୪ ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସିଥିଲେ। ସେମାନେ ୨ ରାଉଣ୍ଡ ଗୁଳି ଚଳାଇବା ସହ ବ୍ୟବସାୟୀଙ୍କୁ ମାଡ଼ ମାରି ତାଙ୍କ ନିକଟରେ ଥିବା ଗହଣା ଲୁଟି ନେଇଥିଲେ। ଏ ନେଇ ବ୍ୟବସାୟୀ ଜଣକ ଥାନାରେ ଜଣାଇଥିବା ପୋଲିସ ସୂଚନା ଦେଇଛି। ତେବେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ସୋସୋ ଥାନା ଅଧିକାରିଣୀ କାନନ ସାହୁ କହିଛନ୍ତି ଯେ, ବ୍ୟବସାୟୀ ଜଣକ ମୌଖିକ ଭାବେ ଜଣାଇବା ପରେ ଘଟଣାସ୍ଥଳକୁ ଯାଇ ଅନ୍ୟ ଥାନା ଅଧିକାରୀମାନଙ୍କ ସହ ଆଲୋଚନା ଜାରି ରଖିଛୁ।

Leave a Reply

Your email address will not be published. Required fields are marked *