ଗରଦପୁର, ୧୨/୮/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ସଭା ଗୃହରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା କେନ୍ଦ୍ରାପଡ଼ା ର ଜିଲାପାଳ ସ୍ମୃତିରଂଜନ ପ୍ରଧାନ ଅଧ୍ୟକ୍ଷତା କରି ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ । ଜିଲାପାଳ ଶ୍ରୀ ପ୍ରଧାନଙ୍କ ବ୍ୟତିତ ଅତିରିକ୍ତ ଏସପି ଦେବାଶିଷ ଧଳ, ଏଡ଼ିଏମ ନିଲୁ ମହାପାତ୍ର, ଉପଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ତହସିଲଦାର ତୃପ୍ତି ମହାନ୍ତି, ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାୟକ , ସହକାରୀ କଲେକ୍ଟର ବଲଭି ପାତ୍ର ପ୍ରମୁଖ ମଂଚାସିନ ରହି ସହଯୋଗ କରିଥିଳେ । ଶିବିରରେ ମୋଟ ୯୭ ଟି ଅଭିଯୋଗ ଶୁଣାଣି ପାଇଁ ପଂଜୀକୃତ ହୋଇଥିଲା । ସେଗୁଡ଼ିକ ମଧ୍ୟରୁ ୨୦ ଟି ସାମୂହିକ ସମସ୍ୟା ଥିବାବେଳେ ୭୭ ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିଲା । ଅଭିଯୋଗ ଶିବିରରେ ବିଶେଷକରି ପାଖଡ଼ ପଂଚାୟତ ପାଟସୁରା ଗ୍ରାମର ନାରାୟଣ ନାୟକ ଓ ନୀହାର ରଂଜନ ପଟନାୟକ ସପରିବାର ଜିଲାପାଳଙ୍କୁ ଭେଟି ତାଙ୍କ ଘର ସମ୍ମୁଖ ସରକାରୀ ଗୋଚର ଜମି କୁ ଜବର ଦଖଲ କରି ତାର ବାଡ଼ ବୁଲାଯାଇଥିବାରୁ ୧୫ ଦିନ ହେବ ସେମାନେ ଘରୁ ବାହାରିପାରୁନଥିବା ଗୁହାରୀ କରିଥିଲେ । ଏପରିକି ବାଡ଼ ଉଛେଦରେ ହାତ ଦେଲେ ଜୀବନରେ ମାରିଦେବାକୁ ଧମକ ମିଳୁଥିବାରୁ ଲୁଚିଛପି ରହୁଥିବା କ୍ଷୋଭର ସହ କହିଥିଲେ । ଏହା ଶୁଣି ଜିଲାପାଳ ଶ୍ରୀ ପ୍ରଧାନ ଗରଦପୁର ତହସିଲଦାର ତୃପ୍ତି ମହାନ୍ତି ଙ୍କୁ ତୁରନ୍ତ ସେଠାରୁ ଜବର ଦଖଲ ହଟାଇବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଏଥିସହିତ କଳାବୁଦା ପଂଚାୟତ ଗୋବିନ୍ଦ ପୁର ଗ୍ରାମର ମଧୁସ୍ମିତା ଦାସ ଜଣେ ସ୍ୱାମୀ ପରିତ୍ୟକ୍ତା , ଭୂମି ହୀନ ମହିଳା । ଗତ ୮ ବର୍ଷ ହେବ ସେ ବାପଘରେ ରହୁଛନ୍ତି । ବାପଗର ମଧ୍ୟ ଅତ୍ୟନ୍ତ ଗରୀବ । ତାଙ୍କର ୨ ବାଳକ ପୁତ୍ରଙ୍କ ସହିତ ମଧୁସ୍ମିତା ଜିଲାପାଳଙ୍କୁ ଭେଟି ତାଙ୍କୁ ସରକାରୀ ଜାଗା ଖଣ୍ଡେ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଶିବିରରେ ଉଦ୍ୟାନ କୃଷି କାର୍ଯ୍ୟାଳୟ ବ୍ଲକ୍ ଠାରୁ ୮ ମିକି ଦୂରରେ ଥିବାରୁ ଏହା ଲୋକମାନଙ୍କ ଆବଶ୍ୟକତା ପୁରଣ କରିବାରେ ଅସୁବିଧା ହେଉଛି । ତେଣୁ ବ୍ଲକ୍ କୃଷି କାର୍ଯ୍ୟାଳୟ ସହିତ ଉଦ୍ୟାନ କୃଷି କାର୍ଯ୍ୟାଳୟକୁ ଉଠାଇ ଆଣି ଗୋଟିଏ ଜାଗାରେ କାମ କରିବାକୁ ସମାଜିକ କର୍ମୀ ନବାବ ପଣ୍ଡା ଦାବି କରିଥିଲେ । ସେହିପରି ମଧୁମେହ ରୋଗୀଙ୍କୁ ଚାଉଳ ବଦଳରେ ଗହମ ପ୍ରଦାନ, ବ୍ଲକ୍ ଓ ପଂଚାୟତରେ ଥିବା ଗୋଦାମ ଗୃହ ଗୁଡ଼ିକରେ କ୍ଷୁ୍ୟଦ୍ର ଶିତଳ ଭଣ୍ଡାର ପ୍ରତିଷ୍ଠା , ବ୍ଲକ୍ ରେ ଟ୍ରେଜେରୀ ଅଫିସ ଖୋଲିବା ଆଦି ସମ୍ପର୍କରେ ସେ ଅଭିଯୋଗ କରିଥିଲେ । ଅଧିକନ୍ତୁ ବଂଗାଳପୁର ପଂଚାୟତ ବାସୁଦେଇପୁର ଗ୍ରାମର ସ୍ୱର୍ଣ୍ଡପ୍ରଭା ଶତପଥି ଜଣେ ସ୍ୱୀ ପରିତ୍ୟକ୍ତା ମହିଳା, ଗତ ୧୪ ବର୍ଷ ଧରି ସେ ବାପଘରେ ରହୁଛନ୍ତି । ତାଙ୍କର ମଧ୍ୟ ଗୋଟିଏ ନାବାଳିକା ଝିଅ ଅଛି । ଏହି ଗରୀବ ମହିଳା ଭୂମିହୀନ ହୋଇଥିବାରୁ ୨୦୧୮ ମସିହାରୁ ୪ ଡ଼ିସିମିଲି ସରକାରୀ ଜମି ପାଇଁ ଗରଦପୁର ତହସିଲଦାରଙ୍କୁ ବାରମ୍ବାର ଦରଖାସ୍ତ କରି ଆସୁଛନ୍ତି । ତେବେ ୩/ ୪ ଜଣ ତହସିଲଦାର ବଦଳି ହୋଇ ଯିବା ପରେ ମଧ୍ୟ କେହିବି ତାଙ୍କ ଦରଖାସ୍ତ ୁପରେ ପଦକ୍ଷେପ ନେଇନାହାନ୍ତି । ଏକଥା ଆଜି ସ୍ୱର୍ଣ୍ଣପ୍ରଭା ଜିଲାପାଳ ଶ୍ରୀ ପ୍ରଧାନ ଙ୍କୁ କ୍ଷୋଭର ସହ ଜଣାଇ ସରକାରୀ ଜମି ଖଣ୍ଡେÿ ପାଇଁ ଗୁହାରୀ କରିଥିଲେ । ବେଡ଼ାରୀ ଗ୍ରାମର ଶୁକଦେବ ସାହୁ ନିଜ ଢ଼ିଅବାଡ଼ିର ଡ଼ିମାର୍କେସନ ପାଇଁ ଆପତି କରିଥିଲେ । ନଇନ୍ଦିପୁର ଗ୍ରାମର ଶିଶିର କୁମାର ପରିଡ଼ା ପାଟକୁରା- ଗରଦପୁର ରାସ୍ତା କଡ଼ÿରେ ଥିବା ମଦ ଦୋକାନ ଓ ନୂଆପଡ଼ା , ଗରଦପୁର ରେ ଥିବା ମଦ ଦୋକାନ ନିକଟରେ ମଦ୍ୟପାନ କରିବା ପରେ ମଦ ଦେକାନ ସନିକଟ ଜମିରେ ମଦ ବୋତଲ ଗୁଡ଼ିକ ପଡ଼ୁଥିବାରୁ ତାହା ଚାଷୀ ମାନଙ୍କ ଚାଷରେ ଅସୁବିଧା ସୃଷ୍ଟି କରୁଛି । ଏହାକୁ ରୋକ ଲଗାଇବା ସହିତ ଚାଷୀଙ୍କର ଫସଲ ଉଜାଡ଼ୁଥିବା ମାଙ୍କଡ଼ ମାନଙ୍କ ଉପଦ୍ରବ ରୋକିବାକୁ ଦାବି କରାଯାଇଥିଲା । ରେସନ କାର୍ଡ଼ରେ ସିଦ୍ଧାନ୍ତ ଦାସ ଓ ପ୍ରିମ୍ ଦାସ ଙ୍କ ନାମ ଯୋଡ଼ିବା ପାଇଁ ତେଣ୍ଡାକୁଡ଼ାର ଅକ୍ଷୟ କୁମାର ଦାସ ଗୁହାରୀ କରିଥିଲେ । ,ହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଦକ୍ଷତା ବିକାଶ ଅଧିକାରୀ ଘନଶ୍ୟାମ ସାହା, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଣି ଅନିତା ପଟ୍ଟନାୟକ, ଜିଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ, ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଙ୍କ ସମେତ ଲାଇନ୍ ଡ଼ିପାର୍ଟମେଂଟର ପଦସ୍ଥ ଅଧିକାରୀମାନେ ନଉପସ୍ଥିତ ଥିଲେ ।