ଶ୍ରୀ ବଳଦେବ ଜୀଉଙ୍କ ଜନ୍ମୋତ୍ସବ ଓ ରାକ୍ଷୀପୂର୍ଣ୍ଣିମା

କେନ୍ଦ୍ରାପଡ଼ା,୦୯/୦୮/୨୦୨୫(ଓଡ଼ିଶା ସମାଚାର)- ଆଜି ମହାସମାରୋହରେ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବ ଜୀଉଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି । ଏଥିସହିତ ଲକ୍ଷେ ତୁଳସୀରେ ସଜେଇ ହୋଇଛନ୍ତି ମହାପ୍ରଭୁ ଶ୍ରୀବଳଦେବ ଜୀଉ । ଶ୍ରୀ ଜୀଉଙ୍କ ଜନ୍ମ ଉତ୍ସବ ଓ ରକ୍ଷାବନ୍ଧନ ନୀତି ପାଳନ ଅବସରରେ ବହୁ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

ସେବାୟତଙ୍କ ଦ୍ୱାରା ଖିରି, ପିଠା ଓ କାନିକା ପ୍ରସାଦ ଭକ୍ତଙ୍କୁ ବଂଟନ କରାଯାଇଥିଲା । କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ଜନ୍ମଉତ୍ସବ ଏବଂ ରକ୍ଷାବନ୍ଧନ ନୀତି ଧୁମ୍ ଧାମରେ ପାଳନ କରାଯାଇଛି । ଆଜି ପ୍ରତ୍ୟୁଷରୁ ଦ୍ୱାର ଉନ୍ମୁକ୍ତ କରାଯାଇ ପ୍ରଥମେ ଜୟ ମଙ୍ଗଳା ଆଳତି ହୋଇଥିଲା । ପରେ ନୀତି ସ୍ନାନ ବଲ୍ଲଭ, ସକାଳଧୂପ ନଅଟା ବେଳକୁ ସମ୍ପନ୍ନ କରାଯାଇଥିଲା । ଏହାପରେ ମହାପ୍ରଭୁଙ୍କ ରାଜାଧୀ ରାଜ ବେଶ ଅନୁଷ୍ଠିତ ହୋଇଥିଲା । ବେଶ ସମ୍ପନ୍ନ ପରେ ଜନ୍ମ ଅଭିଷେକ, ଗହ୍ମା ଅଭିଷେକ ଓ ମଙ୍ଗଳାର୍ପଣ କରାଯାଇ ଖିରି, ପିଠା ଓ ପେଡା ଭୋଗ କରାଯାଇଥିଲା ।

ପରେ ଶ୍ରୀ ଜୀଉଙ୍କୁ ସୁସଜ୍ଜିତ କରାଯାଇ ଚନ୍ଦନ ଅଗୁରୁ ମିଶ୍ରିତ ଲକ୍ଷେ ତୁଳସୀ ଭକ୍ତ ସମାଜଙ୍କ କଲ୍ୟାଣ ନିମନ୍ତେ ପୂଜାପଣ୍ଡାଙ୍କ ଦ୍ୱାରା ପ୍ରଭୁଙ୍କ ଶ୍ରୀ ଚରଣରେ ସମର୍ପିତ କରାଯାଇଥିଲା । ବାଇଶି ପାହାଚ ତଳେ ସେବାୟତଙ୍କ ଦ୍ୱାରା ବିଶ୍ୱ କଲ୍ୟାଣ ନିମନ୍ତେ ଯଜ୍ଞ ପାଠ କରାଯାଇଥିଲା । ପ୍ରସାଦ ସେବନ ଓ ଖିରି ପିଠା ଭକ୍ତ ଙ୍କୁ ବଂଟନ କରାଯାଇଥିଲା । ପବିତ୍ର ରକ୍ଷା ବନ୍ଧନ ଥିବାରୁ ପୁରୀରୁ ଆସି ଭଣ୍ଡାର ଗୃହରେ ଥିବା ପାଟରାକ୍ଷୀ ସୁଭଦ୍ରା ପଣ୍ଡାଙ୍କ ଦ୍ୱାରା ଶ୍ରୀ ବଳଦେବ ଜୀଉ ଓ ଜଗନ୍ନାଥଙ୍କୁ ପିନ୍ଧା ଯାଇଥିଲା । ସମସ୍ତ ନୀତି କାର୍ଯ୍ୟରେ ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ସୁପର ଭାଇଜର ନୃସିଂହ ଚରଣ ପତ୍ରୀ, ଜ୍ୟୋତି ରଞ୍ଜନ ପତ୍ରୀ, ବଡ଼ପଣ୍ଡା ମାଧବ ପତ୍ରୀ ପ୍ରମୁଖ ସହଯୋଗ କରିଥିଲେ । ଏହାପରେ ଦୁଇ ପ୍ରହର ଧୂପ, ସନ୍ଧ୍ୟା ଆଳତି ଓ ରାତ୍ର ଧୂପ, ଯଜ୍ଞ, ପୂର୍ଣ୍ଣାହୁତି ଏବଂ ବଡ଼ ସିଂହାର ପୁଷ୍ପାଞ୍ଜଳି ପ୍ରଦାନ ପରେ ରାତ୍ର ଦୁଇଟା ବେଳକୁ ପହୁଡ଼ ଲାଗି ସମ୍ପନ୍ନ ହେବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *