ଅପରାଧିକ କାର୍ଯ୍ୟ ଯୋଜନା କରୁଥିବା ୪ ଗିରଫ ,ପିସ୍ତଲ , ୪ ଟା ମୋବାଇଲ୍ , ଦୁଇଟି ମୋଟରସାଇକେଲ୍ , ନଗଦ ୬୬,୭୨୦ ଟଙ୍କା ଜବତ
ବ୍ରହ୍ମପୁର,୧୭/୦୯/୨୦୨୬ (ଓଡ଼ିଶା ସମାଚାର)- ପାର୍ବଣ ଋତୁ ପୂର୍ବରୁ ଗୋସାଣିନୂଆଗାଁ ଥାନା ପୁଲିସ ଏକ ଅପରାଧିକ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରି ୪ ଜଣଙ୍କୁ ଗିରଫ କରିଛି। ଗୋସାଣିନୂଆଗାଁ ମେନ୍ ରୋଡ୍ ନିକଟରେ ଏକ ଘରେ ପିସ୍ତଲ ସହ ଏମାନେ ଏକତ୍ରିତ ହୋଇ ଅପରାଧିକ କାର୍ଯ୍ୟ ଯୋଜନା କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା।
ପୁଲିସର ସୂଚନା ଅନୁସାରେ, ୧୪ ସେପ୍ଟେମ୍ବର ୨୦୨୬ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଏସ୍ଆଇ ଜି.ଆର୍. ଦାସଙ୍କ ନେତୃତ୍ୱରେ ଥାନା କର୍ମଚାରୀମାନେ ଗୋସାଣିନୂଆଗାଁ ମେନ୍ ରୋଡ୍ସ୍ଥିତ ଏକ ଘରକୁ ଘେରାଉ କରି ଚଢ଼ାଉ କରିଥିଲେ। କାର୍ଯ୍ୟାନୁଷ୍ଠାନ ସମୟରେ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ସରକାରୀ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତି ଥିଲା।
ଏହି ଘଟଣାରେ ଗୋସାଣିନୂଆଗାଁ ଥାନା କେସ୍ ନଂ-୩୫୪, ତାରିଖ ୧୪.୦୯.୨୦୨୬, ଧାରା ୧୧୧/୩(୫) BNS ସହ ଧାରା ୨୫(୬) Arms Act ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ୧୫.୦୯.୨୦୨୬ରେ ମାନ୍ୟବର ଅଦାଲତକୁ ପଠାଯାଇଛି। ଗିରଫ ଅଭିଯୁକ୍ତମାନେ: କୈଳାସ ମହାନ୍ତି ଓରଫ ବୁଡୁ (୪୯) — ଓଲ୍ଡ ବ୍ରହ୍ମପୁର, ବଡବଜାର ଥାନା ଅଞ୍ଚଳ। ଚନ୍ଦ୍ରଶେଖର ଦାସ ଓରଫ ପିଙ୍କୁ ଦାସ (୪୪) — ସାଲିଆବନ୍ଧ ସାହି, ଗୋସାଣିନୂଆଗାଁ ଥାନା ଅଞ୍ଚଳ। ସିଟୁନ ସାହୁ (୨୫) — ବାଲାଜିପେଣ୍ଠ ସାହି, ବଡବଜାର ଥାନା ଅଞ୍ଚଳ। ଦେବାଶିଷ ପାତ୍ର (୩୦) — କାଲୁଆ ସାହି, ଗୋସାଣିନୂଆଗାଁ ଥାନା ଅଞ୍ଚଳ, ଗଞ୍ଜାମ।
ପୁଲିସ ଜବତ କରିଥିବା ସାମଗ୍ରୀ: ଗୋଟିଏ ନୀଳ ରଙ୍ଗର iPhone 16 , ଗୋଟିଏ ନୀଳ ରଙ୍ଗର OPPO ମୋବାଇଲ୍ ଗୋଟିଏ ସବୁଜ ରଙ୍ଗର Samsung Galaxy Fold 8 ,ଗୋଟିଏ Samsung A35 5G ମୋବାଇଲ୍ , ଦୁଇଟି Royal Enfield ମୋଟରସାଇକେଲ୍ , ନଗଦ ୬୬,୭୨୦ ଟଙ୍କା ,ସୁନା ରଙ୍ଗର ଗ୍ରିପ୍ ଓ ଟ୍ରିଗର ଥିବା ଗୋଟିଏ ରୂପା ରଙ୍ଗର ପିସ୍ତଲ, ମ୍ୟାଗାଜିନ୍ ବିନା।
ପୁଲିସର ସୂଚନା ଅନୁସାରେ, ଅସ୍ତ୍ରଧାରୀ ଅସାମାଜିକ ବ୍ୟକ୍ତିମାନେ ଏକତ୍ରିତ ହୋଇ ଅପରାଧିକ କାର୍ଯ୍ୟ ଯୋଜନା କରୁଥିବା ନେଇ ସୂଚନା ପାଇବା ପରେ ତୁରନ୍ତ ଚଢ଼ାଉ କରାଯାଇଥିଲା। ଅଭିଯୁକ୍ତମାନଙ୍କ ଉଦ୍ଦେଶ୍ୟ ଓ ଅସ୍ତ୍ରର ଉତ୍ସ ସମ୍ପର୍କରେ ପୁଲିସର ତଦନ୍ତ ଜାରି ରହିଛି।
