ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ଼

ଗଞ୍ଜାମ,୧୩/୦୯/୨୦୨୬ (ଓଡ଼ିଶା ସମାଚାର)-  ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳି କରି ଅଭିଯୁକ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ସରାବାଡ଼ି ଗ୍ରାମର ଜୟସେନ ପ୍ରଧାନ (୩୦) ଗୁରୁତର ଆହତ ହୋଇଛନ୍ତି।

ସୂଚନାନୁଯାୟୀ, ଜୟସେନ ନିଜ ଘର କାମ ସାରି ବାହାରେ ଥିବାବେଳେ ସେହି ଗ୍ରାମର ଜଣେ ଯୁବକ କିଛି ସହଯୋଗୀଙ୍କ ସହ ବୁଲେଟ୍‌ ରେ ଆସିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜୟସେନଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ସେମାନେ ସେଠାରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।

ଗୁରୁତର ଆହତ ଜୟସେନଙ୍କୁ ପରିବାର ଲୋକ ଓ ସାଙ୍ଗମାନେ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପରିବାର ର ଅଭିଯୋଗ ଅନୁଯାୟୀ, କିଛିଦିନ ତଳେ ଗ୍ରାମର ଭଗବାନ ଗୌଡ଼ଙ୍କ ଏକ ଅଟୋକୁ ରାତିରେ କିଛି ଲୋକ ନିଆଁ ଲଗାଇ ପୋଡ଼ି ଦେଇଥିଲେ। ଏହି ଘଟଣାରେ ଭଗବାନ ଓ ଜୟସେନ ଅଟୋ ପୋଡ଼ିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ବୁଝାସୁଝା କରିଥିଲା। ଏହି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭଗବାନ ଜୟସେନଙ୍କୁ ଗୁଳି କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଘଟଣାର ପ୍ରକୃତ କାରଣ ଓ ଗୁଳିକାଣ୍ଡରେ କିଏ ସମ୍ପୃକ୍ତ, ସେନେଇ ବଡ଼ଗଡ଼ ପୋଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *