ଆଚାର୍ଯ୍ୟ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର,୦୫/୦୯/୨୦୨୬ (ଓଡ଼ିଶା ସମାଚାର)- ଚନ୍ଦ୍ରଶେଖରପୁରସ୍ଥିତ ଆଚାର୍ଯ୍ୟ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସ ଓ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ରାମ ଜେନାଙ୍କ ଅଧ୍ୟକ୍ଷତାରେ ଓ ଅଧ୍ୟାପିକା ସୁଜାତା ସାମନ୍ତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଓ ଉପସଭାପତି ସୀତାବଲ୍ଲଭ ମହାପାତ୍ର, ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଶିକ୍ଷାବିତ୍ ତଥା ରାଷ୍ଟ୍ରୀୟ ସେବା ଯୋଜନାର ରାଜ୍ୟ ସଂଯୋଜକ ଡଃ ନୀରଦ ବରଣ ଖୁଂଟିଆ ଯୋଗଦାନ କରିଥିଲେ ।

ପ୍ରାରମ୍ଭରେ ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ପରେ ପ୍ରତିଷ୍ଠାତା ସଦସ୍ୟ ଡଃ ଭାବଗ୍ରାହୀ ମିଶ୍ରଙ୍କ ଅମର ଆତ୍ମାପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ରାଷ୍ଟ୍ରୀୟ ସଙ୍ଗୀତ ଗାନ ପରେ ଆଚାର୍ଯ୍ୟ ହରିହରଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ଘ୍ୟ କରାଯାଇ ଗୁରୁ ପୂଜନ କରାଯାଇଥିଲା । ମୁଖ୍ୟ ଅତିଥି ଉଚ୍ଚବିଦ୍ୟାଳୟର ଇତିହାସ ଓ ଆଗାମୀ ଦିନରେ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ବକୁଳ ବନରେ ଆଚାର୍ଯ୍ୟ ହରିହର, ନୈତିକ ଓ ସାମାଜିକ ଶିକ୍ଷା ଉପରେ ଗୁରୁତ୍ୱରାରେପ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜେନା ଉଚ୍ଚ ବିଦ୍ୟାଳୟର ସମସ୍ୟା ଓ ଶିକ୍ଷାଦାନ ପଦ୍ଧତି, ଶୃଙ୍ଖଳିତ ଛାତ୍ର ଜୀବନ ଉପରେ ଆଲୋକପାତ କରିଥିଲେ । ଡଃ ଦେବରାଜ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ କ୍ରୀଡ଼ା ଓ ବିଭିନ୍ନ ବିଭାଗରେ ଅନୁଷ୍ଠିତ ପ୍ରତିଯୋଗିତାର କୃୀତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ କପ୍ ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ମନୋଜ କୁମାର ରାଏ, ସୁବାସ ଚନ୍ଦ୍ର ସାହୁ, ଶାଶ୍ୱତୀ ମହାନ୍ତି, ଅଧ୍ୟାପିକା ପଦ୍ମାବତୀ ପାଶୱାନ, ମନୋରମା ସାହୁ, ପ୍ରଜ୍ଞା ପାରମିତା, ଭାରତୀ କୁଜୁର, ମନସ୍ୱିନୀ ମିଶ୍ର, ରାଜକିଶୋର ଦାସ ପ୍ରମୁଖ ଯୋଗଦାନ କରି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *