ଜଟଣୀ, ୦୫/୦୯/୨୦୨୬ (ଓଡ଼ିଶା ସମାଚାର)-ଗୁରୁ ଦିବସ ଅବସରରେ ଏକ ନିଆରା ସାମ୍ବିଧାନିକ ଆଲୋଚନାର ଆୟୋଜନ କରି ‘ସହଯୋଗ’ର ସ୍ମାର୍ଟ ଫ୍ରାଟର୍ନିଟି ଲାବ୍ (SMART Fraternity Lab) ଏବଂ ‘କମ୍ୟୁଟିନି – ଦି ୟୁଥ୍ କଲେକ୍ଟିଭ୍’ର ମିଳିତ ଆନୁକୂଲ୍ୟରେ ‘ସମଝୋ ତୋ ସମ୍ବିଧାନ’ ଅଭିଯାନ ଅଧୀନରେ ଅରିଶଲ (ଜଟଣୀ) ସ୍ଥିତ ରାଜକିଶୋର ବିଦ୍ୟାପୀଠଠାରେ ଦ୍ଵିତୀୟ ‘ମୋହଲ୍ଲା ସଭା’ ଅନୁଷ୍ଠିତ ହୋଇଯାଇଛି।

ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ଭାବନା ପ୍ରସାର କରିବା ଲକ୍ଷ୍ୟରେ ଆୟୋଜିତ ଏହି ସଭାରେ ଯୁବସାଥୀ ଏବଂ ଶିକ୍ଷକମାନେ ଏକାଠି ହୋଇ ଏକ ସାମ୍ପ୍ରତିକ ଗୁରୁତ୍ୱପୂର୍ଣ୍ଣ ବିଷୟ — “ଡିଜିଟାଲ୍ ସ୍କ୍ରିନ୍ ବନାମ ମଣିଷ ଶିକ୍ଷକ: ସମାନତା, ନୈତିକତା, ଶିକ୍ଷା ଅଧିକାର ଏବଂ ଆମ ବିଦ୍ୟାଳୟଗୁଡ଼ିକର ଭବିଷ୍ୟତ” ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ସ୍ମାର୍ଟ ଲାବ୍ର ଯୁବ ସଦସ୍ୟମାନେ ପରିଚାଳକ ଭାବେ ନେତୃତ୍ୱ ନେଇ ଡିଜିଟାଲ୍ ଶିକ୍ଷାର ପ୍ରଭାବ, ସ୍କ୍ରିନ୍ ବ୍ୟବହାରର ନୈତିକତା ଏବଂ ବିନା ପକ୍ଷପାତରେ ପ୍ରତ୍ୟେକ ଶିଶୁ ପାଇଁ ମୌଳିକ ଶିକ୍ଷା ଅଧିକାର ନିଶ୍ଚିତ କରିବା ସମ୍ପର୍କରେ ମତାମତ ଉପସ୍ଥାପନ କରିଥିଲେ। ଏଥିରେ ରାଜଲକ୍ଷ୍ମୀ ନାୟକ, ସାଇ ସ୍ନେହା ସାହୁ, ବିନ୍ଦୁ ସାହୁ, ତନୁଶ୍ରୀ ମୁଦୁଲି, ଚନ୍ଦ୍ର ମାଧବ ପ୍ରଧାନ, ସୌମ୍ୟ ରଞ୍ଜନ ଶ୍ରୀଚନ୍ଦନ, ସାର୍ଥକ ନାୟକ, ସତ୍ୟଜିତ୍ ବେହେରା, ସ୍ୱୟଂ ଶ୍ରଦ୍ଧା ସ୍ୱାଇଁ, ଶିବାନୀ ନାୟକ, ଶ୍ରଦ୍ଧାଞ୍ଜଳି ନାୟକ, ଲୀପଶା ବେହେରା, ପାୟଲ ବେହେରା ଓ ସନ୍ଧ୍ୟା ସାହୁ ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ଏହି ମୋହଲ୍ଲା ସଭାରେ ବିଜ୍ଞ ଶିକ୍ଷକ ଓ ଶିକ୍ଷାବିତ୍ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସିଆରସି (CRC) ସୋମେଶ୍ୱର ରାଓ, ପ୍ରଧାନଶିକ୍ଷକ ଅଶୋକ କୁମାର ସାହୁ, ଶିକ୍ଷକ ତପନ ନନ୍ଦ, ବାଙ୍କ ବିହାରୀ ସାହୁ, ଶରତ ଚନ୍ଦ୍ର ନାୟକ, ସୁଶାନ୍ତ କୁମାର ବରାଡ, ବିଳାସିନୀ କର, ଅବସରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ପ୍ରଧାନ, ପ୍ରତାପ କୁମାର ବିଷୋଇ, ସାମାଜିକ କର୍ମୀ ତଥା ବିଦ୍ୟାଳୟ ଉପଦେଷ୍ଟା ଶାନ୍ତିଭୂଷଣ ଜେନା ପ୍ରମୁଖ ଯୁବ ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେବା ସହ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସହିତ ଶିକ୍ଷାଦାନରେ ମାନବୀୟ ସମ୍ପର୍କ ଓ ଗୁରୁଙ୍କ ଅପରିବର୍ତ୍ତନୀୟ ଭୂମିକାକୁ ବଜାୟ ରଖିବା ପାଇଁ ମାର୍ଗଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ‘ସହଯୋଗ’ର ସମ୍ପାଦିକା ବିଜୟଲକ୍ଷ୍ମୀ ରାଉତରାୟ, ଯୁବ ପରିଚାଳକ ସାଗର ସାହୁ ଏବଂ ଜନ୍ମେଜୟ ସ୍ୱାଇଁ ପରିଚାଳନା କରିଥିଲେ। ଶେଷରେ, ସିଆରସି ସୋମେଶ୍ୱର ରାଓ ଯୁବ ସଂଯୋଜକମାନଙ୍କ ପ୍ରଶଂସନୀୟ ଉଦ୍ୟମକୁ ସାବାସୀ ଦେବା ସହ ତୃଣମୂଳ ସ୍ତରରେ ସାମ୍ବିଧାନିକ ମୂଲ୍ୟବୋଧ, ସମାଲୋଚନାତ୍ମକ ଚିନ୍ତନ ଏବଂ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ।
