କଟକ ୩୦/୦୮/୨୦୨୬ (ଓଡିଶା ସମାଚାର /ଅଭୟ ଜେନା )-ଚଳିତବର୍ଷ ଗଣେଶ ପୂଜା ସେପ୍ଟେମ୍ବର ୧୪ ତାରିଖରେ ପାଳିତ ହେବାକୁ ଥିବାବେଳେ କଟକ ମହାନଗର ନିଗମର ୫୭ ନମ୍ବର ୱାର୍ଡ ଅନ୍ତର୍ଗତ ଗୋପାଳପୁର ଯୁବକ ସଂଘ ପକ୍ଷରୁ ପ୍ରଥମଥର ପାଇଁ ଅକ୍ଟୋବର ୪ ତାରିଖ ରବିବାର ଗଣେଶ ମେଢ ଭସାଣୀ ମହୋତ୍ସବ ଆୟୋଜନ କରାଯିବାକୁ ଯାଉଛି।
ଏହି ଅବସରରେ ମହୋତ୍ସବର ସଫଳ ଆୟୋଜନ ଓ ଶୃଙ୍ଖଳିତ ପରିଚାଳନା ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ମହୋତ୍ସବରେ ପ୍ରିନ୍ସ କ୍ଲବ, ଅଖେଶ୍ୱର କ୍ଲବ, ସନାତନ କ୍ଲବ, ସର୍ବେଶ୍ୱର କ୍ଲବ, କଳ୍ପେଶ୍ୱର କ୍ଲବ, ଯାଦବ କ୍ଲବ, ଫ୍ରେଣ୍ଡସ୍ କ୍ଲବ ଓ ଅଗ୍ନିଷ୍ଟାର କ୍ଲବ ସମେତ ବିଭିନ୍ନ କ୍ଲବ ଓ ଅନୁଷ୍ଠାନ ଅଂଶଗ୍ରହଣ କରିବେ। ଏହି ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନାବଜାର, ଓଡ଼ିଶାର ପ୍ରସିଦ୍ଧ ସିକାକୁଲାନ ବାଦ୍ୟ, ପାରମ୍ପରିକ ନୃତ୍ୟ ଓ ସାହିଯାତ ଆଦିର ଆୟୋଜନ କରାଯିବ।
ବୈଠକରେ ପ୍ରଶାସନିକ ଅଧିକାରୀ, କର୍ପୋରେଟର, ବିଭିନ୍ନ କ୍ଲବର ସଦସ୍ୟ ଓ ଦୁର୍ଗାପୂଜା କମିଟିର ବରିଷ୍ଠ ସଦସ୍ୟମାନେ ଯୋଗଦେଇ ମହୋତ୍ସବର ସୁଚାରୁ ପରିଚାଳନା, ଯାତାୟାତ ବ୍ୟବସ୍ଥା, ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ସମ୍ପର୍କରେ ନିଜ ନିଜ ମତ ରଖିଥିଲେ। କର୍ପୋରେଟର ଶ୍ରୀମତୀ ପୂର୍ଣ୍ଣିମା ସ୍ୱାଇଁ କଟକ ମହାନଗର ନିଗମ ପକ୍ଷରୁ ଆବଶ୍ୟକ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସଦର ଥାନା ଭାରପ୍ରାପ୍ତ ଅଧିକାରୀ ତୁଷାରକାନ୍ତ ସେଠୀ ଆବଶ୍ୟକ ଅନୁମତି ସହ ଭସାଣୀ କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରାଯିବ ବୋଲି କହିଥିଲେ। ଜୋନ୍-୪ ଏସିପି ଅମିତାଭ ମହାପାତ୍ର ବୈଠକରେ ଯୋଗଦେଇ ମହୋତ୍ସବକୁ ଆଗାମୀ ଦିନରେ ଅଧିକ ବ୍ୟାପକ କରିବା ସହ କମିଶନରେଟ ପୁଲିସର ‘ନିଶାମୁକ୍ତ ଭସାଣୀ, ଡିଜେ ମୁକ୍ତ ରୋଷଣୀ’ ସ୍ଲୋଗାନକୁ ପାଳନ କରିବା ପାଇଁ ଆହ୍ୱାନ ଦେଇଥିଲେ।
ବୈଠକରେ ଗଣେଶ ମହୋତ୍ସବ କମିଟିର ସଭାପତି ଅବିନାଶ ମହାନ୍ତି, ସମ୍ପାଦକ ଦୀପକ ପାଲ, ଉପଦେଷ୍ଟା ପ୍ରିୟବ୍ରତ ସ୍ୱାଇଁ ଓ ସାଂଗଠନିକ ସମ୍ପାଦକ ପାର୍ଥସାରଥୀ ମଲିକ ପ୍ରମୁଖ ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ। ଶେଷରେ ଲକ୍ଷ୍ମୀନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
