#୨୦୦ ଜଣ କୃତକାର୍ଯ୍ୟ # ଚୟନ କମିଟି ଦ୍ୱାରା ନିଯୁକ୍ତି ଚୂଡ଼ାନ୍ତ ହେବ
କଟକ, ୨୬/୦୫/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଓଡ଼ିଶା ଲୋକସେବା ଆୟୋଗ (ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ୍) ଦ୍ୱାରା ଅନୁଷ୍ଠିତ ଓଡ଼ିଶା ଲୋକସେବା ପରୀକ୍ଷା (ଓସିଏସ୍) ୨୦୨୪ର ଫଳ ମଙ୍ଗଳବାର ପ୍ରକାଶ ପାଇଛି । ଏହି ପରୀକ୍ଷାରେ ୨ଶହ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୭୦ଜଣ ସାଧାରଣ ବର୍ଗ, ୩୫ଜଣ ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ (ଏସଇବିସି), ୪୫ଜଣ ଅନୁସୂଚିତ ଜାତି (ଏସସି) ଓ ୫୦ଜଣ ଅନୁସୂଚିତ ଜନଜାତି (ଏସଟି) ଅଛନ୍ତି ।
ଏହି ପରୀକ୍ଷାରେ ଏସଇବିସିର ବୁବୁନ୍ ସାହୁ ସାଧାରଣ ବର୍ଗରେ ଚୟନ ହୋଇଥିବା ବେଳେ ତାଲିକାରେ ସର୍ବାଗ୍ରେ ଅଛନ୍ତି । ସାଧାରଣ ବର୍ଗରେ ଚୟନ ହୋଇଥିବା ସାଧାରଣ ବର୍ଗର ଶୋଭନା ମହାନ୍ତି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ପ୍ରଥମ ୧୦ଜଣଙ୍କ ତାଲିକାରେ ଥିବା ଅନ୍ୟମାନେ ହେଲେ- ଜିତମିତ୍ର ସାହୁ (ଏସଇବିସି-ସାଧାରଣବର୍ଗ), କନକ ଜୈନ (ସାଧାରଣ ବର୍ଗ), ସଂଗ୍ରାମ ପ୍ରଧାନ (ସାଧାରଣ ବର୍ଗ), ଅମନ ଗୋଏଲ୍ (ଏସଇବିସି-ସାଧାରଣ ବର୍ଗ),ଶାନ୍ତନୁ କୁମାର ଶତପଥୀ (ସାଧାରଣ ବର୍ଗ), ନୀତୀଶ କୁମାର ବାରିକ (ଏସସି-ସାଧାରଣ ବର୍ଗ), ଶୀତଳ ପାତ୍ର (ସାଧାରଣ ବର୍ଗ), ଇତିଶ୍ରୀ ଜେନା (ଏସଇବିସି-ମହିଳା) । ତେବେ, ଉତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀମାନଙ୍କୁ ଏହି ପରୀକ୍ଷାଫଳ ଅନୁଯାୟୀ ନିଯୁକ୍ତି ଦିଆଯିବ ନାହିଁ, ପରୀକ୍ଷାର୍ଥୀଙ୍କ ଦାଖଲ ହୋଇଥିବା ଯୋଗ୍ୟତା, ସଂରକ୍ଷଣ ବିଭାଗ ସମ୍ପର୍କିତ ସତ୍ୟପାଠ ଓ ପ୍ରମାଣପତ୍ରର ଯାଂଚ ଏବଂ ସ୍ୱାସ୍ଥ୍ୟପରୀକ୍ଷଣ ପରେ ଚୟନ କମିଟି ଦ୍ୱାରା ନିଯୁକ୍ତି ଚୂଡ଼ାନ୍ତ ହେବ ବୋଲି ଓପିଏସସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଅନୁମୋଦନ କରିଥିବା ୭୮ ମହିଳାଙ୍କ ସମେତ ୨୦୦ଟି ପଦ ନିମନ୍ତେ ୩୩ହଜାର ୬୩୦ଜଣ ମହିଳାଙ୍କ ସମେତ ମୋଟ ୮୫ହଜାର ୨୨୩ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ୧୨ ଅକ୍ଟୋବର ୨୦୨୫ରେ ହୋଇଥିବା ପ୍ରାରମ୍ଭିକ ପରୀକ୍ଷାରେ ୧୩ହଜାର ୯୮୫ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୩୫ହଜାର ୧୬୫ଜଣ ପରୀକ୍ଷା ଦେଇଥିଲେ ।
ମୁଖ୍ୟ (ଲିଖିତ) ପରୀକ୍ଷା ଚଳିତ ବର୍ଷ ୩୧ ଜାନୁଆରି ଠାରୁ ୧୦ ଫେବ୍ରୁଆରି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୭୦୭ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୨୦୫୮ଜଣ ପରୀକ୍ଷା ଦେଇଥିଲେ । ଟପ୍ପର ହୋଇଥିବା ବୁବୁନ ସାହୁ କହିଛନ୍ତି ଯେ, ଓଡ଼ିଶା ପାଇଁ କିଛି ବିଶେଷ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛି । ପରବର୍ତୀ ସମୟରେ ସେ ୟୁପିଏସସି ପରୀକ୍ଷା ଦେଇପାରନ୍ତି ବୋଲି କହିଛନ୍ତି । ଆନନ୍ଦପୁର ଉପଖଣ୍ଡ ଟୋଲଙ୍କପଡା ଗ୍ରାମର ବୁବୁନ୍ ସାହୁ ରାଜ୍ୟ ସ୍ତରରେ ଶୀର୍ଷ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି। ତାଙ୍କର ଏହି ଅଦ୍ଭୁତପୂର୍ବ ସଫଳତା ସମଗ୍ର ଅଞ୍ଚଳ ତଥା କେନ୍ଦୁଝର ଜଲାର ନାମକୁ ଉଜ୍ଜ୍ୱଳ କରିଛି।
ଏକ ଛୋଟ ଗ୍ରାମରୁ ଆସି ଦୃଢ଼ ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି ଓ ନିଷ୍ଠା ବଳରେ ବୁବୁନୁ ଆଜି ଏହି ସଫଳତାର ଶୀର୍ଷ ଛୁଇଁପାରିଛନ୍ତି। ଓଡ଼ିଶାର ସବୁଠାରୁ ପ୍ରତିଷ୍ଠିତ ପ୍ରଶାସନିକ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରି ସେ ପ୍ରମାଣିତ କରିଛନ୍ତି ଯେ ଇଚ୍ଛାଶକ୍ତି ଥିଲେ ସଫଳତା ନିଶ୍ଚୟ ମିଳେ। ତାଙ୍କର ଏହି କୃତିତ୍ୱ ଏବେ ସ୍ଥାନୀୟ ଅଞ୍ଚଳର ଯୁବପିଢ଼ୀଙ୍କ ପାଇଁ ଏକ ବଡ଼ ପ୍ରେରଣାର ପ୍ରତୀକ ପାଲଟିଛି। ବିଶେଷ କଥା ହେଉଛି, ବୁବୁନ୍ ବର୍ତ୍ତମାନ ଡିଏସ୍ପି ଭାବେ ଟ୍ରେନିଂ ନେଉଥିବା ବେଳେ ଓଏଏସ୍ ପରୀକ୍ଷାରେ ଟପ୍ପର ହୋଇ ସମସ୍ତଙ୍କୁ ଚମକାଇ କରିଦେଇଛନ୍ତି ।
ଓଏଏସ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ଏବଂ ବୁବୁନ୍ ଟପ୍ପର ହେବା ଖବର ମିଳିବା ପରେ ଟୋଲଙ୍କପଡା ଗ୍ରାମ ସମେତ ଆନନ୍ଦପୁର ଉପଖଣ୍ଡରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କ ବାସଭବନରେ ପରିବାର, ସାଙ୍ଗସାଥୀ ଓ ଗ୍ରାମବାସୀ ଏକାଠି ହୋଇ ମିଠା ବାଣ୍ଟିବା ସହ ଖୁସି ମନାଇଛନ୍ତି। ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ ଓ ସାଧାରଣ ଜନତା ବୁବୁନୁ ସାହୁଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ସଫଳତା ଆନନ୍ଦପୁର ଉପଖଣ୍ଡ ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ।
