କେନ୍ଦ୍ରାପଡା କଲେଜ ଆଭ୍ୟନ୍ତରୀଣ ଗୁଣବତା ନିଶ୍ଚିତକରଣ ପ୍ରକୋଷ୍ଠ ବୈଠକ

୨୦୨୬-୨୭ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ
କେନ୍ଦ୍ରାପଡ଼ା,୩୦/୦୮/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଗୁଣବତା ନିଶ୍ଚିତକରଣ ପ୍ରକୋଷ୍ଠର ପ୍ରଥମ ତୈ୍ରମାସିକ ବୈଠକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାବିଦ୍ୟାଳୟର ଶିକ୍ଷାଗତ ଓ ପ୍ରଶାସନିକ କାର୍ଯ୍ୟକଳାପର ସମୀକ୍ଷା କରାଯିବା ସହିତ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା । ବୈଠକର ପ୍ରାରମ୍ଭରେ ଅଧ୍ୟକ୍ଷ ତଥା ଆଇ.କୁ୍ୟ.ଏ.ସି.ର ସଭାପତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

ଏଥିସହିତ ମହାବିଦ୍ୟାଳୟର ଶିକ୍ଷାଗତ, ପ୍ରଶାସନିକ ଓ ସାମଗ୍ରିକ ଗୁଣବତା ବିକାଶ ନିମନ୍ତେ ନିରନ୍ତର ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଆଇ.କୁ୍ୟ.ଏ.ସି.ର ସଂଯୋଜିକା ଡ. ଦୀପ୍ତି ରାୟ ପୂର୍ବ ବୈଠକର କାର୍ଯ୍ୟ ବିବରଣୀ ଓ ୨୦୨୫-୨୬ ଶିକ୍ଷାବର୍ଷର ଗୃହିତ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧୀୟ ବିବରଣୀ ବୈଠକରେ ଉପସ୍ଥାପନ କରିଥିଲେ । ବୈଠକରେ ପରୀକ୍ଷା ପରିଚାଳନା ପ୍ରଣାଳୀ, ସଂସ୍କାର ସମ୍ବନ୍ଧୀୟ କାର୍ଯ୍ୟପନ୍ଥା, ମହାବିଦ୍ୟାଳୟର ୱେବସାଇଟ୍ ଉନ୍ନତିକରଣ, ଲାଇବ୍ରେରୀ ଅଟୋମେସନ ପ୍ରକ୍ରିୟା, ନାକ୍ ଏବଂ ସ୍ୱୟଂଶାସିତ ମାନ୍ୟତା, ଭିତିଭୂମିର ଉନ୍ନତିକରଣ ଓ ମରାମତି ତଥା କ୍ୟାମ୍ପସର ସୁରକ୍ଷା ଓ ନିରାପତା ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ଆଇ.କୁ୍ୟ.ଏ.ସି.ର ମନୋନୀତ ସଦସ୍ୟ ପ୍ରଫେସର ନନ୍ଦକିଶୋର ପରିଡା, ପ୍ରଫେସର ଦୁର୍ଯେ୍ୟାଧନ ପରିଡା, ଡ. ପ୍ରଦୀପ୍ତ କିଶୋର ଦାଶ ଓ ଡ. ପ୍ରମୋଦ କୁମାର ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରି ମୂଲ୍ୟବାନ ପରାମର୍ଶ ଦେଇଥିଲେ । ବୈଠକରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ପ୍ରାକ୍ତନ କୁଳପତି ପ୍ରଫେସର ଡ. ଶରତ ଚନ୍ଦ୍ର ପାଲିତା ଆମନ୍ତ୍ରିତ ସଦସ୍ୟ ଭାବେ ଯୋଗଦେଇ ଅନୁଷ୍ଠାର ନାକ୍ ମାନ୍ୟତା ହାସଲ କରିବା ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ପରାମର୍ଶ ଦେଇଥିଲେ । ବୈଠକରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଏକ କାର୍ଯ୍ୟ ଯୋଜନା ଉପସ୍ଥାପନା କରାଯାଇଥିଲା ।

ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ପୂର୍ଣ୍ଣମାସୀ ପଣ୍ଡା, ଡ. ଆନନ୍ଦ ଚନ୍ଦ୍ର ନାୟକ, ଡ. ସୁରେଶ ଚନ୍ଦ୍ର ଦାସ, ଡ. ହିମାଂଶୁ ଶେଖର ମହାପାତ୍ର, ରୀନାରାଣୀ ପଢିଆରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଛାତ୍ରୀ ସନ୍ତୋଷୀ ସାମଲ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ । ପରିଶେଷରେ ୟୁ.ଜି.ସି. ସଂଯୋଜକ ଡ. ଦେବକାନ୍ତ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *