ଓରମାସ୍‌, ଜଗତସିଂହପୁର ପକ୍ଷରୁ ହସ୍ତନିର୍ମିତ ପରିବେଶ ଅନୁକୂଳ ରାକ୍ଷୀ ଷ୍ଟଲ୍‌ ଉଦ୍‌ଘାଟିତ

ଜଗତସିଂହପୁର,୨୪/୦୮/୨୦୨୬ ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ଥାନୀୟ, ପାରମ୍ପରିକ ଏବଂ ପରିବେଶ ଅନୁକୂଳ ରାକ୍ଷୀ ଉତ୍ପାଦକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ଜଗତସିଂହପୁର ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଓର୍ମାସ ପକ୍ଷରୁ ହସ୍ତନିର୍ମିତ ପରିବେଶ ଅନୁକୂଳ ରାକ୍ଷୀ ଷ୍ଟଲ୍‌ ଉଦ୍‌ଘାଟିତ ହୋଇଛି।

ଏହି ଷ୍ଟଲ୍‌କୁ ଜଗତସିଂହପୁର ଜିଲ୍ଲାର  ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଶ୍ରୀ ଜେ. ସୋନାଲ, (ଆଇ.ଏ.ଏସ୍‌) ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ, (ଆଇ.ଏ.ଏସ୍‌) ଉପସ୍ଥିତ ଥିଲେ। ଉଦ୍‌ଘାଟନ ସମୟରେ ଜିଲ୍ଲାପାଳ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନଙ୍କୁ ହସ୍ତନିର୍ମିତ ଓ ପରିବେଶ ଅନୁକୂଳ ଉତ୍ପାଦର ପ୍ରଚାର ଓ ବିକ୍ରୟ ପାଇଁ ଉତ୍ସାହିତ କରିଥିଲେ।

ଏହି ଷ୍ଟଲ୍‌ରେ ମୋଟ ୭ ଜଣ ଉତ୍ପାଦକ ଗୋଷ୍ଠୀର ସଦସ୍ୟା ଅଂଶଗ୍ରହଣ କରିଛନ୍ତି। ସେମାନେ ଜୁଟ୍‌ ରାକ୍ଷୀ, କେନ୍ଦୁ ଓ ବାଉଁଶ ରାକ୍ଷୀ, ତାଳପତ୍ର ରାକ୍ଷୀ, କାଶତଣ୍ଡି/ସବାଇ ଘାସ ରାକ୍ଷୀ ଏବଂ ଟେରାକୋଟା ରାକ୍ଷୀ ସମେତ ବିଭିନ୍ନ ପ୍ରକାରର ହସ୍ତନିର୍ମିତ ରାକ୍ଷୀ ବିକ୍ରୟ କରୁଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ ମହିଳା ଉତ୍ପାଦକମାନେ ସେମାନଙ୍କର ପାରମ୍ପରିକ ହସ୍ତନିର୍ମିତ ଉତ୍ପାଦକୁ ପ୍ରଦର୍ଶନ ଓ ବିକ୍ରୟ କରିବା ସହ ଆୟ ବୃଦ୍ଧି ଏବଂ ପରିବେଶ ଅନୁକୂଳ ବିକଳ୍ପକୁ ପ୍ରୋତ୍ସାହନ ଦେବାର ସୁଯୋଗ ପାଇଛନ୍ତି।

ଏହି ରାକ୍ଷୀ ଷ୍ଟଲ୍‌ ୨୪ ଅଗଷ୍ଟରୁ ୨୮ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଜଗତସିଂହପୁର ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଖୋଲା ରହିବ। ପର୍ବପର୍ବାଣୀ ଅବସରରେ ହସ୍ତନିର୍ମିତ, ସ୍ଥାନୀୟ ଭାବେ ପ୍ରସ୍ତୁତ ଏବଂ ପରିବେଶ ଅନୁକୂଳ ରାକ୍ଷୀ ବ୍ୟବହାର ପାଇଁ ଲୋକମାନଙ୍କୁ ଉତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

ଜଗତସିଂହପୁର ପୌରପାଳିକାର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ମଧ୍ୟ ଷ୍ଟଲ୍‌ ପରିଦର୍ଶନ କରି ରାକ୍ଷୀ କ୍ରୟ କରିଥିଲେ। ସେ ଅଂଶଗ୍ରହଣକାରୀ ସଦସ୍ୟମାନଙ୍କ ସହ ଆଲୋଚନା କରିବା ସହ ଏହି ପଦକ୍ଷେପ ଏବଂ ହସ୍ତନିର୍ମିତ ଉତ୍ପାଦର ଗୁଣବତ୍ତାକୁ ପ୍ରଶଂସା କରିଥିଲେ।

ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀମାନଙ୍କୁ ସେମାନଙ୍କ ଉତ୍ପାଦର ସିଧାସଳଖ ବିପଣନ ପାଇଁ ଏକ ସୁଯୋଗ ପ୍ରଦାନ କରିବା ସହ ସ୍ଥାନୀୟ ଉଦ୍ୟୋଗ ମାଧ୍ୟମରେ ସେମାନଙ୍କର ଜୀବିକା ଓ ଆୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଓରମାସ୍‌, ଜଗତସିଂହପୁର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଡେପୁଟି ସି ଇ ଓ, ଓରମାସ ସୂଚନା ଦେଇଛନ୍ତି।

0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *