ଭବାନୀପାଟଣା,୧୯/୦୮/୨୦୨୬(ଓଡ଼ିଶା ସମାଚାର)-କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଶିବାଜୀ ମାଝୀ ଙ୍କର ପରଲୋକ ଘଟିଛି। ଗତ କାଲି ବିଳମ୍ବିତ ରାତିରେ ନିଜ ବାସଭବନରେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଛି। ଗତ କିଛି ଦିନ ତଳେ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ନିଜ ଗାଁ ବିଜେପୁର ଦନାରଗୁଡ଼ାକୁ ଫେରିଥିଲେ।
ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସମଗ୍ର ଜିଲାରେ ଶୋକର ଛାୟା ଖେଳିଯାଇଛି। ଶିବାଜୀ ମାଝୀ ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ପ୍ରଥମ ବିଧାୟକ ଭାବେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦଳରୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗଦେଇ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।
