ରିଲିଫ୍ ପାଇଁ ଦାବି,ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ
ଭୁବନ, ୧୭/୦୮/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀରେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟା ଆସିବାରୁ ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ୫ ପଞ୍ଚାୟତର ୬ ଗ୍ରାମ ପାଣି ଘେରରେ ରହିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଦୁର୍ଦ୍ଦଶା ଦୁଇଗୁଣିତ ହୋଇପଡ଼ିଛି। ଦୁଇ ଦିନ ହେଲା ୬ଟି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି। ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହେବା ସହ ଚାଷଜମିରେ ବନ୍ୟାଜଳ ଜମି ରହିଥିବାରୁ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପ୍ରସିଦ୍ଧ ଶୈବପୀଠ ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ କାଉଡ଼ିଆ ମାନେ ବହୁ ହିନସ୍ତା ହୋଇ ଦୀର୍ଘ ପଥ ଅତିକ୍ରମ କରି ମନ୍ଦିରରେ ପହଞ୍ଚି ଜଳଲାଗି କରିଥିଲେ ।
ଭୂଷଳ ପଞ୍ଚାୟତର ଜୟପୁର, ଯମୁନାକୋଟର କୃଷ୍ଣପୁର, ବାଲିବୋ ପଞ୍ଚାୟତର କୁମର୍ଦ୍ଦା ଓ ଅରିଲୋ, ସୁରପ୍ରତାପପୁର ପଞ୍ଚାୟତର ପାଟପୁର ଏବଂ ଗଡ଼ନୃସିଂହପ୍ରସାଦ ପଞ୍ଚାୟତର କାଶୀପୁର ଗ୍ରାମ ସମ୍ପୂର୍ଣ ବନ୍ୟାଜଳ ଘେରରେ ରହିଛି। ଲୋକମାନେ ଘରୁ ବାହାରିବାକୁ ଅସମର୍ଥ ହୋଇଥିବା ବେଳେ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ଯୋଗାଡ଼ ମଧ୍ୟ ଚିନ୍ତାର କାରଣ ପାଲଟିଛି।
ମାଳପୁରା ଇନ୍ଟେକ୍ ରାସ୍ତା ବିପଦରେ ରହିଛି । ମାର୍ଥାପୁର ପଞ୍ଚାୟତର ମାଳପୁରା ଗାଁ ନିକଟରେ ଥିବା ଇନ୍ଟେକ୍ ୱେଲ୍କୁ ଯାଇଥିବା ରାସ୍ତା ଏବେ ବିପଦସଙ୍କୁଳ ହୋଇପଡ଼ିଛି। ବନ୍ୟାଜଳର ପ୍ରଖର ସ୍ରୋତରେ ରାସ୍ତାର ବିଭିନ୍ନ ସ୍ଥାନ କ୍ଷତିଗ୍ରସ୍ତ ହୋଇ ପଡ଼ିଛି ।
ମଠକରଗୋଲା ନିକଟରେ ରାମିଆଳ ନଦୀ ଗର୍ଭରେ ଥିବା ଏକ ଫାର୍ମହାଉସ୍ ବନ୍ୟାଜଳ ଘେରରେ ଫସିଯାଇଥିଲା ବେଳେ ସେଠାରେ ରହୁଥିବା ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ଅଗ୍ନିଶମ ବାହିନୀ ବୋଟ୍ ଯୋଗେ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଥିଲା।
ଯମୁନାକୋଟ-ମାର୍ଥାପୁର ପୂର୍ତ୍ତ ରାସ୍ତାରେ ଥିବା ନିଛା ପୋଲ୍ ଉପରେ ପ୍ରାୟ ୩ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏବେ ବନ୍ୟାଜଳ ହ୍ରାସ ପାଇବା ପରେ ରାସ୍ତାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ସ୍ପଷ୍ଟ ହୋଇଛି ।
ମହିମା ସେତୁରୁ ଗୋବିନ୍ଦପୁର ମାଳବନ୍ଧ ଦେଇ ଯାଇଥିବା ରାସ୍ତାର ରତାସାହି ନିକଟରେ ପୂର୍ତ୍ତ ରାସ୍ତା ଧସିପଡ଼ିଛି। ଅନ୍ୟପଟେ ଓଢଣା ଗ୍ରାମ ନିକଟରେ ମାଳବନ୍ଧ ଭାଙ୍ଗିଯାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ବଢ଼ିଛି।
ବନ୍ୟାର ପ୍ରଖର ସ୍ରୋତରେ ମାର୍ଥାପୁର ବ୍ରିଜ୍କୁ ଯାଇଥିବା ରାସ୍ତା ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ମାଟି ଧୋଇଯିବା ସହ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଫଳରେ ଯାତାୟାତ ଓ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ବ୍ଲକର ବିଭିନ୍ନ ଗ୍ରାମରେ ହଜାର ହଜାର ହେକ୍ଟର ଚାଷଜମି ବନ୍ୟାଜଳରେ ବୁଡ଼ି ରହିଛି। ଅନେକ ଦିନ ଧରି ପାଣିରେ ବୁଡ଼ି ରହିବାରୁ ଧାନ ଗଛ ପଚିବା ଆରମ୍ଭ ହୋଇଛି। ଚାଷୀମାନେ ଚାଷରେ ଖର୍ଚ୍ଚ କରିଥିବା ଟଙ୍କା ଫେରିପାଇବା ନେଇ ଚିନ୍ତାରେ ପଡ଼ିଛନ୍ତି। ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସରକାରୀ ସହାୟତା ଓ କ୍ଷତିପୂରଣ ଦେବାକୁ ଦାବି ହୋଇଛି।
ସରକାରୀ ଅଧିକାରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ଦେଖାଦେଇଛି । ବନ୍ୟା ପ୍ରଭାବିତ ଗ୍ରାମଗୁଡ଼ିକରେ ନିୟମିତ ଭାବେ ସ୍ଥିତି ଅନୁଧ୍ୟାନ, ଲୋକଙ୍କୁ ଆବଶ୍ୟକ ସହାୟତା, ପଶୁଙ୍କ ପାଇଁ ଖାଦ୍ୟ ଏବଂ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଲାଇଫ ଜ୍ୟାକେଟ ପିନ୍ଧି ବୋଟ ରେ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିବା ବେଳେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଜୟପୁର ଗ୍ରାମରେ ୧୨ କ୍ଵିଣ୍ଟାଲ ଗୋଖାଦ୍ୟ ଯୋଗାଇ ଦେଇଛନ୍ତି । ବ୍ରାହ୍ମଣୀ ନଦୀରେ
ଦ୍ୱିତୀୟ ଥର ବନ୍ୟା ଯୋଗୁଁ ଭୁବନ ବ୍ଲକର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ରାସ୍ତା, ମାଳବନ୍ଧ, ପୋଲ ଓ ଚାଷଜମି ଜଳମଗ୍ନ ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।
