ଯାଜପୁରରେ ବନ୍ୟା ପରିସ୍ଥିତି ଗମ୍ଭୀର: ୧୦ ବ୍ଲକର ୨,୮୪,୫୭୮ ଜଣ ପ୍ରଭାବିତ, ୭୭,୬୮୦ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ଯାଜପୁର, ୧୭/୦୮/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ବିଶେଷକରି କାଣୀ ଓ ବୈତରଣୀ ନଦୀର ବନ୍ଧରେ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ପ୍ରବେଶ କରିବା ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି।

ବିଶେଷ ସହାୟତା ଆୟୁକ୍ତ (SRC) ଓ ରାଜ୍ୟ ଆପାତକାଳୀନ ପରିଚାଳନା କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ଜିଲ୍ଲାର ୧୦ଟି ବ୍ଲକ, ୧୧୭ଟି ଗ୍ରାମ ପଞ୍ଚାୟତ/ପୌରାଞ୍ଚଳ ଏବଂ ୨୭୦ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ପ୍ରଭାବିତ ବ୍ଲକଗୁଡ଼ିକ ହେଲା—ଦଶରଥପୁର, ଯାଜପୁର, କୋରେଇ, ବିଞ୍ଝାରପୁର, ଧର୍ମଶାଳା, ରସୁଲପୁର, ବଡ଼ଚଣା, ବରୀ, ଦାନଗଦୀ ଓ ସୁକିନ୍ଦା।

ବନ୍ୟା ଯୋଗୁଁ ସମୁଦାୟ ୨,୮୪,୫୭୮ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୯୫,୪୫୭ ଜଣ ଜଳବନ୍ଦୀ ହୋଇ ରହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ୭୭,୬୮୦ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ୨୦୩ଟି ଆଶ୍ରୟସ୍ଥଳୀରେ ରଖାଯାଇଛି।

ପ୍ରଭାବିତ ଲୋକଙ୍କ ପାଇଁ ୧୯୫ଟି ମାଗଣା ରୋଷେଇ ଘର ମାଧ୍ୟମରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଆଶ୍ରୟସ୍ଥଳୀରେ ଖାଦ୍ୟ ପ୍ରଦାନ ସହିତ ଜଳବନ୍ଦୀ ଅଞ୍ଚଳରେ ଡଙ୍ଗା ଯୋଗେ ଘର ଘର ବୁଲି ଖାଦ୍ୟ ପହଞ୍ଚାଯାଉଛି। ଏହାବ୍ୟତୀତ ୫୬୫ କ୍ୱିଣ୍ଟାଲ ଚୁଡ଼ା, ୫୬.୫ କ୍ୱିଣ୍ଟାଲ ଗୁଡ଼ ଏବଂ ୨୩୫ଟି ପଲିଥିନ୍ ରୋଲ୍ ବଣ୍ଟନ କରାଯାଇଛି।

ବନ୍ୟା ଯୋଗୁଁ ୧୮,୬୪୨ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ୯୮,୫୫୪ଟି ପ୍ରାଣୀସମ୍ପଦ ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା କୌଣସି ମାନବିକ ଧନଜୀବନ ହାନି ଘଟିନଥିବା ସୂଚନା ମିଳିଛି।

ଦଶରଥପୁର ବ୍ଲକର ତରପଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଟଣା ଗ୍ରାମ ନିକଟରେ କାଣୀ ନଦୀର ଘାଇ ଏବଂ ବିଞ୍ଝାରପୁର ବ୍ଲକର ଜରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନଉବାଙ୍କ ଗ୍ରାମ ନିକଟରେ ବୈତରଣୀ ନଦୀର ଘାଇ ଦେଇ ପ୍ରବଳ ବନ୍ୟାଜଳ ପ୍ରବେଶ କରୁଛି। ପରିସ୍ଥିତି ଉପରେ ଦଶରଥପୁର ଓ ବରୀ ବ୍ଲକକୁ ପ୍ରଶାସନ ପକ୍ଷରୁ ବିଶେଷ ନଜରରେ ରଖାଯାଇଛି।

ବନ୍ୟା ଯୋଗୁଁ ୧୪୧ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ୬୮ଟି ଗ୍ରାମୀଣ ରାସ୍ତା, ପୋଲ ଓ କଲଭର୍ଟ କ୍ଷତିଗ୍ରସ୍ତ ହୋଇଛି।

ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୩ଟି ODRAF, ୨ଟି NDRF, ୧୨ଟି ଅଗ୍ନିଶମ ବାହିନୀ ଏବଂ ୧୨ଟି ପୋଲିସ/ସିଭିଲ୍ ଡିଫେନ୍ସ ଟିମ୍ ମୋତୟନ କରାଯାଇଛି। ୧୪ଟି ବିଶେଷ ଡଙ୍ଗା ମାଧ୍ୟମରେ ଜଳବନ୍ଦୀ ଅଞ୍ଚଳରୁ ୩୭୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୩୮ ଜଣଙ୍କୁ ଆପାତକାଳୀନ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।

ପ୍ରଭାବିତ ଅଞ୍ଚଳରେ ୧୨ଟି ମେଡିକାଲ ଟିମ୍ ଓ ୧୨ଟି ଭେଟେରିନାରୀ ଟିମ୍ ନିୟୋଜିତ ହୋଇ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା, ଉଦ୍ଧାର, ରିଲିଫ୍ ଓ ଆବଶ୍ୟକୀୟ ସେବାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ଆପାତକାଳୀନ ପରିଚାଳନା କେନ୍ଦ୍ର ପକ୍ଷରୁ ୨୪ ଘଣ୍ଟିଆ ସ୍ଥିତି ଉପରେ ନଜର ରଖାଯାଇଛି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *