ଯାଜପୁରରେ ପୁନଶ୍ଚ ବନ୍ୟା ସ୍ଥିତି:  ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଆଭାସୀ ମାଧ୍ୟମରେ ସମୀକ୍ଷା

 ବରୀ ଗସ୍ତ, ଦଶରଥପୁରରେ ପ୍ରାଣୀସେବା ଶିବିର ଏବଂ ବିଞ୍ଛାରପୁରରେ ଫ୍ରି କିଚେନ୍‌ ଜରିଆରେ ରିଲିଫ୍ ବଣ୍ଟନ

ଯାଜପୁର, ୧୬/୦୮/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାରେ ବୈତରଣୀ, କାଣୀ ଓ ବ୍ରାହ୍ମଣୀ ନଦୀର ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ବନ୍ୟା ପରିସ୍ଥିତି  ସଙ୍ଗୀନ ରୂପ ନେଇଛି।  ଜିଲ୍ଲା ଜରୁରୀକାଳୀନ ବିଭାଗର ରିପୋର୍ଟ ଅନୁଯାୟୀ, ଜିଲ୍ଲାର ୮ଟି ବ୍ଲକ (ଦଶରଥପୁର, ଯାଜପୁର, କୋରେଇ, ବିଞ୍ଛାରପୁର, ଧର୍ମଶାଳା, ରସୁଲପୁର, ବଡ଼ଚଣା ଓ ବରୀ) ର ୭୯ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୨୪୨ଟି ଗାଁ ବନ୍ୟା ଦ୍ୱାରା ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଛି।ଏଥିଯୋଗୁଁ ମୋଟ ୧,୬୮,୬୫୨ ଜଣ ଜନସାଧାରଣ ବନ୍ୟା କବଳରେ ଥିବା ବେଳେ ପ୍ରଶାସନ ପକ୍ଷରୁ ୪୬,୫୦୦ ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଜଳବନ୍ଦୀ  ଲୋକ ନାହାନ୍ତି କିମ୍ବା କୌଣସି ଜୀବନହାନି ଓ ଘରଭଙ୍ଗା

ସୂଚନା ମିଳିନାହିଁ।  ବନ୍ୟା ସ୍ଥିତିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଜି ମଧ୍ୟାହ୍ନରେ  ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ମାନଙ୍କ ସହ ଆଭାସୀ ମାଧ୍ୟମରେ  ସମଗ୍ର ସ୍ଥିତିର  ମନିଟରିଂ ଓ ସମୀକ୍ଷା କରିଛନ୍ତି। ମୁଖ୍ୟତଃ କେଉଁ ବ୍ଲକର କେତେ ଗ୍ରାମପଞ୍ଚାୟତ ଓ ଗ୍ରାମରେ ଶୁଖିଲା ଖାଦ୍ୟ, ପାନୀୟଜଳ, ରନ୍ଧାଖାଦ୍ୟ, ଗୋଖାଦ୍ୟ ପ୍ରଦାନକରାଯାଇଛି ଏବଂ ଘାଇ ସ୍ଥିତି ନେଇ ବରିଷ୍ଠ ନୋଡାଲ ଅଧିକାରୀ, ବି.ଡି.ଓ, ତହସିଲଦାରଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

 ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍, ଉଦ୍ଧାର, ପାନୀୟ ଜଳ, ବିଦ୍ୟୁତ୍, ସ୍ୱାସ୍ଥ୍ୟ ଓ ଯୋଗାଯୋଗ ପୁନରୁଦ୍ଧାର କାର୍ଯ୍ୟକୁ ୨୪ ଘଣ୍ଟିଆ ନଜର ରଖି ତ୍ୱରାନ୍ୱିତ କରିବାକୁ ସେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଆଜି ଅପରାହ୍ନରେ ଜିଲ୍ଲାପାଳ  ବରୀ ବ୍ଲକ ଗସ୍ତ କରି କିମ୍ଭୀରିଆପାଳ ପଞ୍ଚାୟତର ବାଙ୍କସାହି ସ୍ଥିତ ବ୍ରାହ୍ମଣୀ ନଦୀ କୂଳ ଓ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ନଦୀବନ୍ଧ ସୁରକ୍ଷା ଓ ରିଲିଫ୍ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।

ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ବନ୍ୟା ପ୍ରଭାବିତ ଦଶରଥପୁର ବ୍ଲକରେ ଆଜି ଏକ ବିଶେଷ ପ୍ରାଣୀ ସ୍ୱାସ୍ଥ୍ୟ ଶିବିର  ଆୟୋଜିତ ହୋଇଯାଇଛି। ଜିଲ୍ଲାରେ ମୋଟ ୭୩,୫୬୮ ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪ଟି ଭେଟେରିନାରୀ ଟିମ୍ ମୋବିଲାଇଜ୍ ହୋଇ ୮ଟି କ୍ୟାମ୍ପ ଜରିଆରେ ୨୮୨ଟି ପ୍ରାଣୀଙ୍କୁ ଚିକିତ୍ସା ଓ ଟିକାକରଣ କରିଛନ୍ତି। ଏହାସହ ଗୋଖାଦ୍ୟ ସଂକଟ ଦୂର କରିବା ପାଇଁ ୧୪୬.୧୧ ମେଟ୍ରିକ୍ ଟନ୍ ଗୋଖାଦ୍ୟ (Cattle Feed) ଯୋଗାଣ ପାଇଁ SRCଙ୍କ ପାଖରେ ଆବେଦନ କରାଯାଇଛି ଏବଂ କୌଣସି ପଶୁହାନି ହୋଇନାହିଁ।  ବିଞ୍ଛାରପୁର ବ୍ଲକ ସମେତ ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ଆଶ୍ରୟ ନେଇଥିବା ବିପନ୍ନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟ ୯୨ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର (Free Kitchens) କାର୍ଯ୍ୟକ୍ଷମ କରାଯାଇଛି। ଜିଲ୍ଲାରେ ଖୋଲାଯାଇଥିବା ୧୦୪ଟି ଆଶ୍ରୟସ୍ଥଳୀରେ ରହୁଥିବା ୪୬,୫୦୦ ଜଣଙ୍କ ମଧ୍ୟରୁ ୪୫,୧୪୫ ଜଣ ବିପନ୍ନଙ୍କୁ ଗରମ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।

ଏହାବାଦ୍ ପ୍ରଶାସନ ପକ୍ଷରୁ ୨୧୫.୯ କ୍ୱିଣ୍ଟାଲ ଚୁଡ଼ା ଓ ୨୧.୭୫ କ୍ୱିଣ୍ଟାଲ ଗୁଡ଼ (ଯାହା ମଧ୍ୟରୁ ଏହି ରିପୋର୍ଟିଂ ସମୟରେ ୧୫.୯ କ୍ୱିଣ୍ଟାଲ ଚୁଡ଼ା ଓ ୧.୭୫ କ୍ୱିଣ୍ଟାଲ ଗୁଡ଼) ଶୁଖିଲା ଖାଦ୍ୟ ଭାବେ ବଣ୍ଟନ କରାଯାଇଛି।  ନଦୀବନ୍ଧ ଓ ଭିତ୍ତିଭୂମି କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟରୁ ପ୍ରକାଶ ଯେ, ଦଶରଥପୁର ବ୍ଲକ ତରପଦା ପଞ୍ଚାୟତର ପାଟଣା ଗାଁ ନିକଟରେ କାଣୀ ନଦୀରେ ଏବଂ ବିଞ୍ଛାରପୁର ବ୍ଲକ ଜରୀ ପଞ୍ଚାୟତର ନଉବାଙ୍କ ଗାଁ ନିକଟରେ ବୈତରଣୀ ନଦୀରେ ପୂର୍ବରୁ ଥିବା ୨ଟି ଘାଇ (Breaches) ଦେଇ ବନ୍ୟାଜଳ ପ୍ରବେଶ କରି ଗାଁ ଗୁଡ଼ିକୁ ଜଳମଗ୍ନ କରୁଛି। ଏହା ଯୋଗୁଁ ୪,୮୦୨ ହେକ୍ଟର ଚାଷଜମି ବନ୍ୟାଜଳରେ ବୁଡ଼ି ରହିଛି। ଜିଲ୍ଲାରେ ୧,୭୪୫ଟି ନଳକୂପ/ପାନୀୟ ଜଳ ପ୍ରକଳ୍ପ, ୧୨,୬୪୫ ବିଦ୍ୟୁତ୍ ଉପଭୋକ୍ତା, ୧୪ଟି ସ୍ୱାସ୍ଥ୍ୟକେନ୍ଦ୍ର, ୧୮ଟି ରାସ୍ତା/ପୋଲ ପ୍ରଭାବିତ ହୋଇଥିବା ବେଳେ ୬ଟି ଗାଁର ରାସ୍ତା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ଏବଂ ୨୦ଟି ସ୍ଥାନରେ ଜଳବନ୍ଦୀ ଓ ପରିମଳ ସମସ୍ୟା ଦେଖାଦେଇଛି।  ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ୮ଟି ମେଡିକାଲ୍ ଟିମ୍ ମୁତୟନ କରାଯାଇ ୧୫ଟି ସ୍ୱାସ୍ଥ୍ୟ ଶିବିର ଜରିଆରେ ୫୯୩ ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇଛି।

୧୮ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି, ଏବଂ ଜିଲ୍ଲାରେ କୌଣସି ଝାଡ଼ାବାନ୍ତି କିମ୍ବା ସାପ କାମୁଡ଼ା ମାମଲା ନଜରକୁ ଆସିନାହିଁ। ଉଦ୍ଧାର କାର୍ଯ୍ୟ ପାଇଁ ୧ଟି NDRF, ୨ଟି ODRAF, ୧୨ଟି ଅଗ୍ନିଶମ ବାହିନୀ ଓ ୧୨ଟି ପୋଲିସ/ସିଭିଲ୍ ଡିଫେନ୍ସ ଟିମ୍ ସହ ୧୪ଟି ଡଙ୍ଗା ମୁତୟନ କରାଯାଇ ୩୫୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବରିଷ୍ଠ ଅଧିକାରୀମାନେ ବନ୍ୟା ପ୍ରଭାବିତ ଅଞ୍ଚଳରେ  ସ୍ଥିତି ଅନୁଧ୍ୟାନ କରିବା ସହ ରିଲିଫ୍ ଓ  ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି।

 ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଜରିଆରେ ବନ୍ୟା ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *