ଜନଜାତି ଶିକ୍ଷା, ମହିଳା ସଶକ୍ତିକରଣ, ହିତାଧିକାରୀ କଲ୍ୟାଣ ଓ ଗ୍ରାମ୍ୟ ଉଦ୍ୟୋଗର ସର୍ବାଙ୍ଗୀନ ବିକାଶ ଆମର ପ୍ରାଥମିକତା – ଧର୍ମେନ୍ଦ୍ର ପ୍ରଧାନ

  • ଝରବାହାଳ ଏସଏସଡି ହାଇସ୍କୁଲରେ ପୌଡ଼ି ଭୂୟାଁ, ମୁଣ୍ଡା ଓ ଅନ୍ୟ ଜନଜାତି ଛାତ୍ରଛାତ୍ରୀଙ୍କ ସହ କଲେ ଭାବବିନିମୟ
    • ଗୋଳାବନ୍ଧ ଠାରେ ‘ସୁଭଦ୍ରା ଶକ୍ତି କେନ୍ଦ୍ର’ ଉଦ୍‌ଘାଟନ କରି ମିଶନ ଶକ୍ତିର ଭଉଣୀ, ‘ଲକ୍ଷପତି ଦିଦି’, ସୁଭଦ୍ରା ଯୋଜନା, ପିଡିଏସ ଓ ଭତ୍ତା ପାଉଥିବା ହିତାଧିକାରୀଙ୍କ ସହ କଲେ ଆଲୋଚନା
    • କେଟେଇସାହି ଆଦର୍ଶ ଅଙ୍ଗନୱାଡ଼ି ପରିଦର୍ଶନ କରି ଶିଶୁ, ଅଭିଭାବକ ଓ କର୍ମଚାରୀଙ୍କୁ ଭେଟିଲେ; ଶିଶୁଙ୍କ ପୋଷଣ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସମ୍ପର୍କରେ ବୁଝିଲେ
    • ଠିଆନାଳ ସିଆରିହୁଳି ଗ୍ରାମର ହିତାଧିକାରୀ ବୁଦ୍ଧେଇ ପ୍ରଧାନଙ୍କୁ ଭେଟି ଯୋଜନାର ସୁଫଳ ସମ୍ପର୍କରେ ପଚାରି ବୁଝିଲେ
    • ଗୁରୁସଙ୍ଗ ଠାରେ ବାଉଁଶ ଶିଳ୍ପ ତାଲିମ ନେଉଥିବା ମିଶନ ଶକ୍ତି ଏସଏଚଜିର ମା’ ଭଉଣୀମାନଙ୍କ ସହ ସାକ୍ଷାତ୍ ଆଲୋଚନା
    • ଗୋପାଳପାଲି ଠାରେ ଯୁବ ଉଦ୍ୟୋଗୀ ସତ୍ୟବ୍ରତ ଜିତ୍‌ଙ୍କ ଟ୍ରାନ୍ସଫର୍ମର ଉତ୍ପାଦନ ୟୁନିଟ୍ ଏବଂ ‘ପ୍ରତୀକ୍ଷା ଡାଏରୀ’ ପରିଦର୍ଶନ

    ଦେବଗଡ଼, ୧୫/୦୮/୨୦୨୬ (ଓଡ଼ିଶା ସମାଚାର)– ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଧୀନତା ଦିବସର ପବିତ୍ର ଅବସରରେ ଦେବଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ପୃଥକ ଭାବେ ଜନସାଧାରଣ, ଜନଜାତି ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମା’ ଭଉଣୀ ଏବଂ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି ।

    ଶ୍ରୀ ପ୍ରଧାନ ବାରକୋଟ ଝରବାହାଳ ଏସ.ଏସ.ଡି. ହାଇସ୍କୁଲ ପରିସରରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ସେଠାରେ ଦେବଗଡ଼, ଅନୁଗୋଳ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ପୌଡ଼ି ଭୂୟାଁ (ପିଭିଟିଜି), ମୁଣ୍ଡା ଓ ଅନ୍ୟ ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀମାନଙ୍କ ଗହଣରେ କିଛି ସମୟ ଅତିବାହିତ କରିବା ସହ ସେମାନଙ୍କ ଉଚ୍ଚ ଆକାଂକ୍ଷା ଓ ସ୍ୱପ୍ନ ସମ୍ପର୍କରେ ପଚାରି ବୁଝିଥିଲେ। ଦେବଗଡ଼ର ଶିକ୍ଷା ଓ ବିକାଶରେ ସାର୍ ବାସୁଦେବ ସୁଢ଼ଳ ଦେବ ଏବଂ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଅବଦାନକୁ ପ୍ରଶଂସା କରିବା ସହ କହିଥିଲେ, ବୀର ସୁରେନ୍ଦ୍ର ସାଏ, ‘ଧରତୀ ଆବା’ ଭଗବାନ ବିର୍ସା ମୁଣ୍ଡା, ଜୟୀ ରାଜଗୁରୁ, ଲକ୍ଷ୍ମଣ ନାୟକ, ବକ୍ସି ଜଗବନ୍ଧୁ ଓ ଶହୀଦ ବାଜି ରାଉତଙ୍କ ଭଳି ମହାନ ବୀରମାନଙ୍କ ତ୍ୟାଗ ଓ ବଳିଦାନ ବଳରେ ହିଁ ଆଜି ଭାରତ ସ୍ୱାଧୀନ ହୋଇଛି । ଏହି ସଂଗ୍ରାମୀମାନଙ୍କ ଆଦର୍ଶ ହିଁ ଆମ ନୂତନ ପିଢ଼ିର ମାର୍ଗଦର୍ଶକ ।୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ଆଗାମୀ ୨୦ ବର୍ଷରେ ‘ବିକଶିତ ଭାରତ’ ଗଠନର ଆହ୍ୱାନକୁ ସାକାର କରିବାରେ ଏହି ଆଦିବାସୀ ମାଟିରୁ ବାହାରୁଥିବା ପ୍ରତିଭାମାନେ ହିଁ ଆଗଧାଡ଼ିର ନେତୃତ୍ୱ ନେବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

    ଗସ୍ତ କ୍ରମରେ ଶ୍ରୀ ପ୍ରଧାନ ବାରକୋଟ ବ୍ଲକ ଗୋଳାବନ୍ଧ ଠାରେ ‘ଗ୍ରାମ ପଞ୍ଚାୟତ ସୁଭଦ୍ରା ଶକ୍ତି କେନ୍ଦ୍ର’ର ଉଦ୍‌ଘାଟନ କରିଥିଲେ। ସେଠାରେ ମିଶନ ଶକ୍ତିର ଭଉଣୀ, ‘ଲକ୍ଷପତି ଦିଦି’, ସୁଭଦ୍ରା ଯୋଜନାର ହିତାଧିକାରୀ, ପିଡିଏସ ଓ ସାମାଜିକ ଭତ୍ତା ପାଉଥିବା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ କେଟେଇସାହି ସ୍ଥିତ ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ସେଠାରେ ପଢୁଥିବା ଶିଶୁ, ସେମାନଙ୍କ ଅଭିଭାବକ ଏବଂ ଅଙ୍ଗନୱାଡ଼ି କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହି ପୌଡ଼ି ଭୂୟାଁ ଶିଶୁମାନଙ୍କୁ ସଠିକ୍ ପୋଷଣ, ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ‘ଡବଲ ଇଞ୍ଜିନ’ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । କେହି ଶିଶୁ ଯେପରି ବିକାଶରୁ ବଞ୍ଚିତ ନହୁଅନ୍ତି, ତାହା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ ।

    ସେହିପରି ଠିଆନାଳ ସିଆରିହୁଳି ଗ୍ରାମର ‘ପିଏମ୍ ଜନମନ୍’ ଯୋଜନାର ହିତାଧିକାରୀ ସୁକୁଟୁ ପ୍ରଧାନଙ୍କ ଧର୍ମପତ୍ନୀବୁଦ୍ଧେଇ ପ୍ରଧାନଙ୍କୁ ଭେଟି ଯୋଜନାର ସୁଫଳ ସମ୍ପର୍କରେ ପଚାରି ବୁଝିଥିଲେ। ଦେବଗଡ଼ ଗୁରୁସଙ୍ଗ ଠାରେ ବାଉଁଶ ଶିଳ୍ପ ତାଲିମ ନେଉଥିବା ମିଶନ ଶକ୍ତି ଏସଏଚଜିର ମା’ ଭଉଣୀମାନଙ୍କୁ ଭେଟି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବାଉଁଶ ସାମଗ୍ରୀଗୁଡ଼ିକୁ ବୃହତ୍ ବଜାର ସହ ଯୋଡ଼ିବା ଓ ଉଚିତ୍ ମୂଲ୍ୟ ଦେବା ନେଇ ଆଲୋଚନା କରିଥିଲେ।

    ଗସ୍ତର କାଳରେ ଶ୍ରୀ ପ୍ରଧାନ ଗୋପାଳପାଲି ଠାରେ ଯୁବ ଉଦ୍ୟୋଗୀ ସତ୍ୟବ୍ରତ ଜିତ୍‌ଙ୍କ ଦ୍ୱାରା ‘ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ’ ଯୋଜନାରେ ପ୍ରତିଷ୍ଠିତ ଟ୍ରାନ୍ସଫର୍ମର ଉତ୍ପାଦନ ୟୁନିଟ୍ ‘ସାଇ ଇଲେକ୍ଟ୍ରୋଟେକ୍’ ଏବଂ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ର ସହାୟତାରେ ସ୍ଥାପିତ ‘ପ୍ରତୀକ୍ଷା ଡାଏରୀ’ ପରିଦର୍ଶନ କରିଥିଲେ। ସ୍ଥାନୀୟ ମା’ ଓ ଯୁବକମାନଙ୍କୁ ରୋଜଗାର ଯୋଗାଇବା ସହ ଆଞ୍ଚଳିକ ଅର୍ଥନୀତିର ବିକାଶରେ ଏହି ଉଦ୍ୟୋଗୀଙ୍କ ସଫଳ ପ୍ରଚେଷ୍ଟାକୁ ସାଂସଦ ଶ୍ରୀ ପ୍ରଧାନ ଉଚ୍ଚ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *