କଟକ ସଦର,୧୫/୦୮/୨୦୨୬ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ହାଇସ୍କୁଲ ଖେଳ ପଡିଆ ଠାରେ ଆଜି ଅଗଷ୍ଟ ୧୫ ଶନିବାର ଦିନ ଜାତୀୟ ଦିବସ ପାଳନ କମିଟି (ଏନଡିଓସି) ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳନ କରାଯାଇଛି। ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଅଭିଭାଷଣ ରଖି ଥିଲେ।

ପ୍ୟାରେଡରେ ୨୨ ଗୋଟି ବିଦ୍ୟାଳୟର ୩୫ ଗୋଟି ଟିମ୍ ଅଂଶଗ୍ରହଣ କରିଥିବାବେଳେ ଅଗ୍ରଣୀ ଇଂରାଜୀ ମାଧ୍ୟମ ‘ଉଇସଡମ୍ ପବ୍ଲିକ ସ୍କୁଲ’ର ପିଲାମାନଙ୍କ ଦେଶାତ୍ମବୋଧକ ବିଭିନ୍ନ ବେଶ ବେସ୍ ଉପଭୋଗ୍ୟ ହୋଇଥିଲା। ପ୍ୟାରେଡରେ ଉକ୍ତ ସ୍କୁଲର ଦୁଇଟି ଗୃପ ପ୍ରଥମ ଓ ଗୋଟିଏ ଗୃପ୍ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଙ୍କ ଠାରୁ ପ୍ରଶଂସା ପତ୍ର ଗ୍ରହଣ କରିଛନ୍ତି।ଏନଡିଓସି ଅଧ୍ୟକ୍ଷ ତଥା ତହସିଲଦାର କ୍ଷିରୋଦ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ସେହିପରି ସଦର ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଶେଷକରି ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କ ସହିତ କାର୍ଯ୍ୟାଳୟ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।
ଏହି ଅବସରରେ କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଓଡ଼ିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ମନମୋହନ ପ୍ରହରାଜ, ଉଇସଡମ ପବ୍ଲିକ ସ୍କୁଲରେ ପ୍ରାଧ୍ୟାପକ ବିଶିଷ୍ଟ ସଂଗୀତଜ୍ଞ ଦେବେନ୍ଦ୍ର ନାଥ ଵାରିକ, ମଣ୍ଟେସୋରୀ ଆଗ୍ରୋଟେକ୍ ରେ କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, କିଶନନଗର କୃଷକ ସେବା ସମବାୟ ସମିତିରେ ସଭାପତି ବିରଞ୍ଚିନାରାୟଣ ପଣ୍ଡା ପ୍ରମୁଖ ପତାକା ଉତ୍ତୋଳନ କରିଥିବା ଜଣାଯାଇଛି।

