ବାଗ୍ମୀ ବିଶ୍ୱନାଥଙ୍କ ୧୬୦ ତମ ଜୟନ୍ତୀ ସମାରୋହ 

ମାହାଙ୍ଗା, ୨୫/୧୨/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )-ଓଡିଆ ଭାଷା ସାହିତ୍ୟ ଏବଂ ସଂସ୍କୃତିକୁ ବିଶ୍ୱ ଦରବାରରେ ସମୃଦ୍ଧଶାଳୀ କରିବାରେ ଦୃଢ଼ ନେତୃତ୍ୱ ନେଇଥିବା ବାଗ୍ମୀ ବିଶ୍ୱନାଥ କରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବିଶିଷ୍ଟ ବ୍ୟକ୍ତିମାନେ କହିଛନ୍ତି  । ଏବଂ ସାହିତ୍ୟରେ ସଂସ୍କାର ଆଣିବାରେ ଉତ୍କଳ ସାହିତ୍ୟ ପତ୍ରିକାର ଯଶସ୍ବୀ ସମ୍ପାଦକ ବିଶ୍ୱନାଥ କରଙ୍କ ଅନନ୍ୟ ଅମୂଲ୍ୟ ଅବଦାନ ଚିର ସ୍ମରଣୀୟ ବୋଲି  ମୂଳବସନ୍ତ ଠାରେ ଆୟୋଜିତ ସାରସ୍ୱତ ସମାରୋହରେ ଯୋଗଦେଇଥିବା ଅତିଥିମାନେ ଆହ୍ୱାନ ଦେଇଥିଲେ । ଏହି ପ୍ରଥିତଯଶା ସାରସ୍ୱତ ସ୍ରଷ୍ଟାଙ୍କ ୧୬୦ ତମ ଜନ୍ମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଉଦଘାଟନ କରିଥିଲେ ।

ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଲେ ଓଡିଆ ଭାଷାର ଅସ୍ମିତା ପୁରୁଷ ସାହିତ୍ୟ ଗୁରୁ ବାଗ୍ମୀ ବିଶ୍ୱନାଥଙ୍କ ପାଇଁ ଏ ଜାତି ଗର୍ବିତ ।  ମାହାଙ୍ଗା ବିକାଶ ପରିଷଦର ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଉତ୍ସବରେ ସଭାପତିତ୍ୱ କରିଥିଲେ  । ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡକ୍ଟର ମନୋରଞ୍ଜନ ବେହୁରା ଯୋଗଦେଇ ଓଡିଆ ସାହିତ୍ୟର ନେତୃତ୍ୱ ନେଇଥିବା ବିଶ୍ୱନାଥଙ୍କ କୃତୀ ଓ କୀର୍ତ୍ତିର ମୂଲ୍ୟାୟନ କରିଥିଲେ  ।

 ସମ୍ମାନୀତ ଅତିଥିଭାବେ ସାନ୍ତାଳୀ ଭାଷାରେ ପୁସ୍ତକ ରଚନା କରି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ସାହିତ୍ୟିକ ମହେଶ୍ୱର ସୋରେନ ଯୋଗଦେଇଥିଲେ  ।  ଅଧ୍ୟାପକ ଡକ୍ଟର ଅଶୋକ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ  । ପ୍ରଧାନଶିକ୍ଷକ ବିଶ୍ୱଜିତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ  । ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ଆବାହନୀ ସଂଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟର କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନକରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଅଖିଳେଶ ମହାନ୍ତି, ସମାଜସେବୀ ଭକ୍ତ ଚରଣ ସ୍ୱାଇଁ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଶତପଥୀ, ପୂର୍ବତନ ସରପଞ୍ଚ ଅଭିନ୍ନ ଯେନା, ଶିକ୍ଷକ ତପନ ବଳବନ୍ତରାୟ, ସମାଜସେବୀ ଶରତ ସାମଲ, ପୂର୍ବତନ ସରପଞ୍ଚ କିଶୋର କୁମାର ରାଉତ, ପ୍ରାକ୍ତନ ସମିତିସଭ୍ୟ ନିର୍ମଳ ରାଉତ, ସମିତିସଭ୍ୟ ମନୋରଞ୍ଜନ ନାୟକ,ସାହିତ୍ୟ ସଂଗଠକ ଉପେନ୍ଦ୍ର ନାଥ ରଣା, ଶିକ୍ଷକ ସଲିଳ କୁମାର ଦାସ,ପନଗ ଭୂଷଣ ଦାସ, ଅମରେନ୍ଦ୍ର ସିଂ, ଅଶୋକ ବିଶ୍ୱାଳ, ନିରଞ୍ଜନ ମୁଦୁଲି, ରଞ୍ଜନ ବଳବନ୍ତରାୟ, ଅରୁଣ ଲେଙ୍କା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ କାଳଜୟୀ ସାରସ୍ୱତ ସାଧକ ବିଶ୍ୱନାଥଙ୍କ ପ୍ରତି ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *