ପ୍ୟାକ୍ସ ଓ ଲ୍ୟାମ୍ପସ୍ ଅଧିକାରୀଙ୍କ ପାଇଁ OS-CIT ମାଧ୍ୟମରେ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣର ଶୁଭାରମ୍ଭ

  • ୨,୭୧୧ ପ୍ୟାକ୍ସ/ଲ୍ୟାମ୍ପସ୍‌ର ୫,୪୨୨ ଜଣ ଅଧିକାରୀ ହେବେ ପ୍ରଶିକ୍ଷିତ
  • ନାମ ପଞ୍ଜୀକରଣ ସମ୍ପୂର୍ଣ୍ଣ; ଆଜିଠାରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ

ଭୁବନେଶ୍ୱର,୧୪/୦୮/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଓଡ଼ିଶାର ସମବାୟ କ୍ଷେତ୍ରକୁ ଅଧିକ ଆଧୁନିକ, ପ୍ରଯୁକ୍ତିନିର୍ଭର, ସ୍ୱଚ୍ଛ, ଦକ୍ଷ ଓ ଆତ୍ମନିର୍ଭର କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ୟାକ୍ସ ଓ ଲ୍ୟାମ୍ପସ୍ ଅଧିକାରୀଙ୍କ ପାଇଁ OS-CIT ମାଧ୍ୟମରେ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।

ଲୋକସେବା ଭବନସ୍ଥିତ ଷ୍ଟେଟ କନଭେନସନ ସେଣ୍ଟରରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ  ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ  ପ୍ୟାକ୍ସ/ଲ୍ୟାମ୍ପସ୍ ଅଧିକାରୀମାନେ ନିଜ ନିଜ Authorized Learning Centre (ALC)ରୁ ଭର୍ଚୁଆଲ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସମବାୟ ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (OKCL) ଦ୍ୱାରା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ୨,୭୧୧ଟି ପ୍ୟାକ୍ସ/ଲ୍ୟାମ୍ପସ୍‌ରୁ ୫,୪୨୨ ଜଣ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରହିଛି। ପ୍ରତ୍ୟେକ ପ୍ୟାକ୍ସ/ଲ୍ୟାମ୍ପସ୍‌ରୁ ଦୁଇଜଣ ଅଧିକାରୀଙ୍କୁ ଏଥିରେ ସାମିଲ କରାଯାଉଛି। ପ୍ରଶିକ୍ଷଣ ପାଇଁ ନାମ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି ଏବଂ ଆଜିଠାରୁ ପ୍ରଶିକ୍ଷଣର ଔପଚାରିକ ଶୁଭାରମ୍ଭ ହୋଇଛି।

ରାଜ୍ୟବ୍ୟାପୀ ୫୪୦ଟି OKCL ଅଧିକୃତ ଶିକ୍ଷା କେନ୍ଦ୍ର (ALC) ମାଧ୍ୟମରେ ଏହି ପ୍ରଶିକ୍ଷଣ ଦିଆଯାଉଛି। ଏହା ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ପ୍ୟାକ୍ସ/ଲ୍ୟାମ୍ପସ୍ ଅଧିକାରୀମାନେ ନିଜ ଅଞ୍ଚଳ ନିକଟସ୍ଥ ALCରୁ ପ୍ରଶିକ୍ଷଣ ଗ୍ରହଣ କରିପାରିବେ।

ବର୍ତ୍ତମାନ ସମବାୟ ବିଭାଗ ପକ୍ଷରୁ ପ୍ୟାକ୍ସର National Level PACS Software (NLPS)/ERP ଆଧାରିତ ଡିଜିଟାଲ୍ ରୂପାନ୍ତରଣ, ନିବନ୍ଧକ, ସମବାୟ ସମିତିଙ୍କ କାର୍ଯ୍ୟାଳୟର କମ୍ପ୍ୟୁଟରୀକରଣ ଏବଂ ସମବାୟ କାର୍ଯ୍ୟାଳୟର ରେକର୍ଡ ଡିଜିଟାଇଜେସନ୍ ଭଳି ବିଭିନ୍ନ ପଦକ୍ଷେପ ନିଆଯାଉଛି।

ଏହି ପରିପ୍ରେକ୍ଷୀରେ OS-CIT ପ୍ରଶିକ୍ଷଣର ଉଦ୍ଦେଶ୍ୟ ହେଉଛି ପ୍ୟାକ୍ସ ଓ ଲ୍ୟାମ୍ପସ୍ ଅଧିକାରୀମାନଙ୍କୁ ମୌଳିକ କମ୍ପ୍ୟୁଟର ଜ୍ଞାନ, ଡିଜିଟାଲ୍ କାର୍ଯ୍ୟପ୍ରଣାଳୀ ଓ IT ଉପକରଣର ବ୍ୟବହାରରେ ଦକ୍ଷ କରିବା, ଯାହା ଫଳରେ ସମବାୟ ସଂସ୍ଥାଗୁଡ଼ିକର ଦୈନନ୍ଦିନ କାର୍ଯ୍ୟ ଅଧିକ ଦ୍ରୁତ, ସ୍ୱଚ୍ଛ ଓ ଦକ୍ଷ ହୋଇପାରିବ।

OS-CIT ପାଠ୍ୟକ୍ରମରେ NLPS ERP ସମ୍ପର୍କିତ ଏକ ସ୍ୱତନ୍ତ୍ର ମଡ୍ୟୁଲ୍ ମଧ୍ୟ ରହିଛି। ଏହା ମାଧ୍ୟମରେ ପ୍ୟାକ୍ସ ଅଧିକାରୀମାନେ ଭବିଷ୍ୟତରେ ବ୍ୟବହାର କରିବାକୁ ଥିବା ERP ପରିବେଶ ସମ୍ପର୍କରେ ପ୍ରାଥମିକ ଜ୍ଞାନ ହାସଲ କରିପାରିବେ।

୨,୭୧୧ଟି ପ୍ୟାକ୍ସ/ଲ୍ୟାମ୍ପସ୍‌ର ୫,୪୨୨ ଜଣ ଅଧିକାରୀଙ୍କୁ ନେଇ ଏପରି ବୃହତ୍ ପରିସରର ଡିଜିଟାଲ୍ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଭାରତରେ କୌଣସି ରାଜ୍ୟ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରଥମ ପଦକ୍ଷେପ ଭାବେ ଗୁରୁତ୍ୱ ବହନ କରୁଛି।

ଓଡ଼ିଶାରେ ଏହି କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ୱୟନ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏକ ଅନୁକରଣୀୟ ମଡେଲ୍ ହୋଇପାରିବ। ଏହି ଅଭିଜ୍ଞତା ଆଧାରରେ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଏଭଳି ବୃହତ୍ ଡିଜିଟାଲ୍ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଆରମ୍ଭ କରିବାର ପଥ ପ୍ରଶସ୍ତ ହେବ।

ଏହି ଅବସରରେ କମିଶନର-ତଥା-ସଚିବ, ସମବାୟ ବିଭାଗ ଶ୍ରୀ ରାଜେଶ ପ୍ରଭାକର ପାଟିଲ, IAS; ସମବାୟ ସମିତିର ନିବନ୍ଧକ ଶ୍ରୀ ମନୀଷ ଅଗ୍ରୱାଲ, IAS; ସମବାୟ ସମିତିର ଅତରିକ୍ତ ନିବନ୍ଧକ ଭକ୍ତବନ୍ଧୁ ସାହୁ ଓ OKCLର ପରିଚାଳନା ନିର୍ଦ୍ଦେଶକ ଡଃ ମନୋରଞ୍ଜନ ପୁଥାଲଙ୍କ ସମେତ  ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ପ୍ରଯୁକ୍ତିରୁ ଦକ୍ଷତା, ଦକ୍ଷତାରୁ ସଶକ୍ତିକରଣ, ସଶକ୍ତ ସମବାୟରୁ ସଶକ୍ତ ଚାଷୀ—ଏହା ହେଉଛି ଆମର ଲକ୍ଷ୍ୟ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *