ଧାନ ସଂଗ୍ରହ ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା
ଭୁବନେଶ୍ୱର,୧୧/୦୮/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦୁଇ ଦିନିଆ ନୂଆଦିଲ୍ଲୀ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ନୂଆ ଓ ଅକ୍ଷୟ ଶକ୍ତି, ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସାକ୍ଷାତ କରି ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

କେନ୍ଦ୍ରୀୟ ପ୍ରତିପକ୍ଷ ଶ୍ରୀ ଯୋଶୀଙ୍କ ସହ ସାକ୍ଷାତ ଆଲୋଚନା ସମୟରେ ଶ୍ରୀ ପାତ୍ର ରାଜ୍ୟରେ ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ପ୍ରକ୍ରିୟା ଜାରି ରହିଥିବା ସମ୍ପର୍କରେ ଅବଗତ କରିଛନ୍ତି । ଉଭୟ ମନ୍ତ୍ରୀ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ସୁଦୃଢ଼ୀକାରଣ, ଖାଦ୍ୟ ଶସ୍ୟ ସୁପରିଚାଳନା, ଗୋଦାମ ଗୃହ ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଚାଉଳର ଉପଯୁକ୍ତ ବଣ୍ଟନ ଉପରେ ଆଲୋଚନା କରିଥିଲେ ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାଭାଗିତାରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସୁଦୃଢ ସହ ହିତାଧିକାରୀ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିବାକୁ ପାରସ୍ପରିକ ପ୍ରତିଶ୍ରୁତି ବଦ୍ଧତାକୁ ଏହି ଦୁଇ ମନ୍ତ୍ରୀ ଆଲୋଚନା ସମୟରେ ଦୋହରାଇଥିଲେ । ଓଡିଶାକୁ ସମସ୍ତ ସହଯୋଗ ଜାରି ରହିବା ନେଇ ଶ୍ରୀ ଯୋଶୀ ପ୍ରତିଶୃତି ଦେଇଥିଲେ ।
ଏହି ସମୟରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
