ବାଲିଆନ୍ତା ବ୍ଲକର ଗୋହାଳ ଗ୍ରାମରେ ବରିଷ୍ଠ ନାଗରିକଙ୍କୁ ଛତା ବିତରଣ

ଖୋର୍ଦ୍ଧା, ୦୯/୦୮/୨୦୨୬ (ଓଡ଼ିଶା ସମାଚାର)-ସମାଜର ବରିଷ୍ଠ ନାଗରିକଙ୍କ ସେବା ଓ ସମ୍ମାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପିପୁଲ୍ସ କଲ୍ଚରାଲ୍ ସେଣ୍ଟର (ପିକକ୍)ର ଆୟୋଜନରେ ଆଜି ଖୋର୍ଦ୍ଧା ଜିଲ୍ଲାର ବାଲିଆନ୍ତା ବ୍ଲକ ଅନ୍ତର୍ଗତ ଗୋହଳ ଗ୍ରାମରେ ଏକ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଗ୍ରାମର ୫୦ ଜଣ ବରିଷ୍ଠ ନାଗରିକଙ୍କୁ ଛତା ବିତରଣ କରାଯାଇଥିଲା। ଏହି ଛତାଗୁଡ଼ିକ ରୋଟାରୀ କ୍ଲବ ଅଫ୍ ୟୁନିକ୍ ଭୁବନେଶ୍ୱରର ସହଯୋଗରେ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମକୁ ପିପୁଲ୍ସ କଲ୍ଚରାଲ୍ ସେଣ୍ଟର (ପିକକ୍) ପକ୍ଷରୁ ଶ୍ରୀ ଜ୍ୟୋତି ଶଙ୍କର ମହାନ୍ତି ଏବଂ ଶ୍ରୀମତୀ ଉପମା ମହାନ୍ତି ସୁଚାରୁ ଭାବେ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ୍ ୟୁନିକ୍ ଭୁବନେଶ୍ୱରର ସଭାପତି ଡ଼. ଅନନ୍ତ କିଶୋର ଜେନା, ଡ଼. ନାରାୟଣ ଚନ୍ଦ୍ର ପତି, ପ୍ରଥମ ଓଡ଼ିଆ ଅର୍ଜୁନ ପୁରସ୍କାର ବିଜୟିନୀ ତଥା ରୋଟାରିଆନ୍ ମିନତି ମହାପାତ୍ର, କ୍ଲବର ପ୍ରାକ୍ତନ ସଭାପତି ଶ୍ରୀ ଦିବ୍ୟ ରଞ୍ଜନ ଦାଶ, ଶ୍ରୀମତୀ ଆର୍ଯ୍ୟ କୁମାରୀ ପାଣିଗ୍ରାହୀ, ଡ଼. ଶୁଭେନ୍ଦୁ ଦାସ , କ୍ଲବର ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ଦାସ ,ସଂଗ୍ରାମ କେଶରୀ ରାଉତ , ବିଜୟ ପତୀ ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ନାଗରିକମାନଙ୍କୁ ଛତା ବିତରଣ କରିଥିଲେ।

ଏହି ଅବସରରେ ବକ୍ତାମାନେ କହିଥିଲେ ଯେ ବରିଷ୍ଠ ନାଗରିକମାନେ ଆମ ସମାଜର ଅମୂଲ୍ୟ ସମ୍ପଦ ଓ ଅନୁଭବର ଭଣ୍ଡାର। ସେମାନଙ୍କ ପ୍ରତି ସମ୍ମାନ, ସେବା ଓ ଯତ୍ନ ପ୍ରଦାନ କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ଏପରି ସେବାମୂଳକ ପଦକ୍ଷେପ ସମାଜରେ ମାନବିକ ମୂଲ୍ୟବୋଧ ଓ ସାମାଜିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିବ।

କାର୍ଯ୍ୟକ୍ରମ ଶେଷରେ ଗ୍ରାମବାସୀ ଏବଂ ବରିଷ୍ଠ ନାଗରିକମାନେ ପିପୁଲ୍ସ କଲ୍ଚରାଲ୍ ସେଣ୍ଟର (ପିକକ୍) ଓ ରୋଟାରୀ କ୍ଲବ ଅଫ୍ ୟୁନିକ୍ ଭୁବନେଶ୍ୱରର ଏହି ମହତ୍ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ ଭବିଷ୍ୟତରେ ମଧ୍ୟ ଏଭଳି ସେବାମୂଳକ କାର୍ଯ୍ୟକ୍ରମ ଜାରି ରଖିବାକୁ ଆଶା ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *