କଟକ ସଦର,୦୭/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଓ ବିଧାୟକ ବିବାଦ ଜଟିଳ ରୁପ ନେଇଛି। ବିଶ୍ଵବିଦ୍ୟାଳୟ ଶିକ୍ଷକ ସଂଘ ବନାମ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ମଧ୍ୟରେ ବିବାଦକୁ ୪ ଦିନ ବିତିଯାଇଥିଲେ ମଧ୍ୟ ସମାଧାନ ର ବାଟ ବାହାରି ପାରୁନି। ଉଭୟ ପକ୍ଷ ନିଜ ନିଜ ଜିଦ୍ ରେ ଅଟଳ ଥିବା ବେଳେ ଗତ ୩ ତାରିଖରେ ଆରମ୍ଭ ହୋଇଥିବା ବିବାଦର କେଵେ ପଡ଼ିବ ପୂର୍ଣ୍ଣଛେଦ , ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି।


କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ସିନେଟ୍ ମେମ୍ବର ନୁହଁନ୍ତି। ତେଣୁ ସିଏ ମେମ୍ବର ବୋଲି କହି ବିଶ୍ୱବିଦ୍ୟାଳୟ କାର୍ଯ୍ୟରେ ହସ୍ତକ୍ଷେପ କରିବାର କୌଣସି ଆଧାର ନାହିଁ ବୋଲି କହିଛନ୍ତି ରେଭେନ୍ସା ଟିଚର୍ସ ଆସୋସିଏସନ୍ (ରୁଟା) ର ସଭାପତି ଉର୍ମିଶ୍ରୀ ଦେବମାତା।
ଏହାର ଜବାବରେ ବିଧାୟକ ପ୍ରକାଶ ସେଠୀ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ର ଚିଠି ନଂ ୩୬୭୮୮/୬.୭.୨୦୨୬ ରେ ତାଙ୍କୁ ଓ ଅନ୍ୟ ତିନିଜଣ ବଡଚଣା ବିଧାୟକ ଅମର କୁମାର ନାୟକ, ବଡମ୍ବା ବିଧାୟକ ବିଜୟ କୁମାର ଦଳବେହେରା ଓ ଚୌଦ୍ୱାର – କଟକ ବିଧାୟକ ସୌଭିକ ବିଶ୍ବାଳ ଙ୍କୁ ସିନେଟ୍ ମେମ୍ବର ମନୋନୀତ କରିଥିବା ଚିଠି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ତେବେ ଏଥିରେ କିଏ କହୁଛି ସତ କିଏ କହୁଛି ମିଛ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
