ଢେଙ୍କାନାଳ, ୨୯/୦୭/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ର ସରକାରଙ୍କ ‘ମେରା ଯୁବା ଭାରତ (MY Bharat)’ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ପରାମର୍ଶଦାତା କମିଟି (District Advisory Committee)ର ଏକ ବୈଠକ ଆଜି ଅପରାହ୍ନ ୪ଟାରେ ଜିଲ୍ଲା କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଅଧ୍ୟକ୍ଷତା କରିଥିଲେ।
ଜିଲ୍ଲାରେ ‘ମେରା ଯୁବା ଭାରତ’ କାର୍ଯ୍ୟକ୍ରମର ସଫଳ ରୂପାୟନ ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଏବଂ ଏହି ପଦକ୍ଷେପର ସର୍ବାଧିକ ସୁଫଳ ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବୈଠକ ଆୟୋଜିତ ହୋଇଥିଲା।
ବୈଠକରେ ଶ୍ରୀ ଶକ୍ତି ସ୍ୱରୂପ ସିଂହ, (ଉପ ନିର୍ଦ୍ଦେଶକ, ମେରା ଯୁବା ଭାରତ) କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଦୃଷ୍ଟିକୋଣ ଓ ବିଭିନ୍ନ ସୁଯୋଗ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ।
ଯୁବ ସ୍ୱେଚ୍ଛାସେବା, ଦକ୍ଷତା ବିକାଶ, ନେତୃତ୍ୱ ବିକାଶ, ସାମାଜିକ ଅଂଶଗ୍ରହଣ ଓ ରାଷ୍ଟ୍ର ଗଠନରେ ଯୁବବର୍ଗଙ୍କ ସକ୍ରିୟ ଭୂମିକା ବୃଦ୍ଧି ପାଇଁ ଏହି ପ୍ଲାଟଫର୍ମର ସୁଯୋଗ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ସେହିପରି ଢେଙ୍କାନାଳ ଜିଲ୍ଲା କିପରି ଏହି କେନ୍ଦ୍ର ସରକାରଙ୍କ ପଦକ୍ଷେପର ସର୍ବୋତ୍ତମ ଉପଯୋଗ କରିପାରିବ, ସେ ସମ୍ପର୍କରେ ମଧ୍ୟ ସେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ବୈଠକରେ ଜିଲ୍ଲା ପରାମର୍ଶଦାତା କମିଟିର କାର୍ଯ୍ୟପ୍ରଣାଳୀ, ଜିଲ୍ଲାରେ ‘ମେରା ଯୁବା ଭାରତ’ କାର୍ଯ୍ୟକ୍ରମର ରୂପାୟନ ପାଇଁ ରୋଡମ୍ୟାପ୍, ବିଭିନ୍ନ ସରକାରୀ ବିଭାଗ, ଶିକ୍ଷାନୁଷ୍ଠାନ, ଏନ୍.ଏସ୍.ଏସ୍., ଏନ୍.ସି.ସି., ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ, ସ୍ୱେଚ୍ଛାସେବୀ ସଂଗଠନ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରି ଯୁବକେନ୍ଦ୍ରିକ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବା ଉପରେ ଆଲୋଚନା କରାଯାଇଥିଲା।
ଅଧ୍ୟକ୍ଷୀୟ ଅଭିଭାଷଣରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ସମସ୍ତ ବିଭାଗକୁ ପରସ୍ପର ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଓ ଯୁବବର୍ଗଙ୍କୁ ବିକାଶମୂଳକ ଏବଂ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ କରି ‘ମେରା ଯୁବା ଭାରତ’ କାର୍ଯ୍ୟକ୍ରମକୁ ଢେଙ୍କାନାଳ ଜିଲ୍ଲାରେ ଏକ ସଫଳ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ।
ମେରା ଯୁବା ଭାରତ (MY Bharat) ହେଉଛି ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ଏକ ସ୍ୱୟଂଶାସିତ ସଂସ୍ଥା।
