ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ 

ଜଗତସିଂହପୁର, ୩୦/୧୦/୨୦୨୬(ଓଡ଼ିଶା ସମାଚାର)-ଓଡିଶା ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୬ ତା ୨୬.୧୦.୨୬ ରିଖ ଠାରୁ ତା ୦୧.୦୧.୨୦୨୬ ରିଖ ପର୍ଯ୍ୟନ୍ତ ପାଳନ କରାଯାଉଅଛି।  ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ର ଆୟୋଜନ କରାଯାଇଥିଲା । ‘ ସାଧୁତା ରୁ ସମୃଦ୍ଧି ‘ ମୂଳମନ୍ତ୍ର ରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଥିଲେ ଯେ ଜଣେ ଅଧିକାରୀଙ୍କ ପ୍ରକୃତ ସଫଳତା ତାଙ୍କ ପଦବୀ କିମ୍ବା ଆର୍ଥିକ ଉପାର୍ଜନରେ ନୁହେଁ; ବରଂ ତାଙ୍କ ସଚ୍ଚୋଟତା, କର୍ତ୍ତବ୍ୟନିଷ୍ଠା ଓ ଲୋକଙ୍କ ମନରେ ଛାଡ଼ିଯାଇଥିବା ସୁନାମରେ ରହିଛି ।

ଦୁର୍ନୀତି ବିରୁଦ୍ଧରେ ଲଢ଼େଇ କରିବା ସହିତ ପ୍ରତ୍ୟେକ ସରକାରୀ ଅଧିକାରୀ ନିଜ ଜୀବନରେ ସଚ୍ଚୋଟତା ଓ ନୈତିକତାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ଉପଦେଶ ଦେଇଥିଲେ। ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା କହିଲେ ଯେ ଦୁର୍ନୀତି ନିରାକରଣ କ୍ଷେତ୍ରରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଦୁର୍ନୀତି ବିରୁଦ୍ଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରୁଥିବା ଭିଜିଲାନ୍ସ ବିଭାଗର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ। ଦୁର୍ନୀତିକୁ ଗମ୍ଭୀରତାର ସହ ନେବା ସହ ଅଧିକାରୀମାନଙ୍କ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ଦିଗରେ ବିଭାଗ ଯେଉଁ ପଦକ୍ଷେପ ଗ୍ରହଣ କରୁଛି, ତାହା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ। ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଲେ ଯେ, ଦୁର୍ନୀତି କେବଳ ଏକ ଆଇନଗତ ଅପରାଧ ନୁହେଁ, ଏହା ସମାଜର ନୈତିକ ମୂଲ୍ୟବୋଧ, ସାମାଜିକ ନ୍ୟାୟ ଏବଂ ସାମଗ୍ରିକ ବିକାଶ ପାଇଁ ଏକ ବଡ଼ ପ୍ରତିବନ୍ଧକ।

ଦୁର୍ନୀତି ନିରାକରଣ ପାଇଁ ସରକାରୀ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ। ସୁଶାସନ ପ୍ରତିଷ୍ଠା କରିବାକୁ ହେଲେ ଆମକୁ ନିରପେକ୍ଷତା, ସ୍ୱଚ୍ଛତା, ସଚ୍ଚୋଟତା ଏବଂ ଉତ୍ତରଦାୟିତ୍ୱକୁ ନିଜ କାର୍ଯ୍ୟର ମୂଳମନ୍ତ୍ର କରିବାକୁ ପଡ଼ିବ। ସଭାରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗରୁ ଆସିଥିବା ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା। କୃତୀ ପ୍ରତିଯୋଗୀ ମାନେ ଦୁର୍ନୀତି ନିବାରଣ ଦିଗରେ ନିଜ ବକ୍ତବ୍ୟ ସୁନ୍ଦର ଭାବରେ ରଖିଥିଲେ । ଶେଷରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆୟୋଜିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଆଜିର ଆୟୋଜିତ ଏହି ସଭାରେ ଦୁର୍ନୀତି ନିବାରଣ ବିଭାଗର ଉପ ଆରକ୍ଷୀ ଅଧିକ୍ଷକ, ଶ୍ରୀମତୀ ଅନୁପମା ସାହୁ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ ସଭା ପରିଚାଳନା କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀ,ସ୍କୁଲ କଲେଜ ର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ,ସହରର ବରିଷ୍ଠ ନାଗରିକ ଏବଂ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଏହା ସହିତ ଆଜି ଏକ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ,ଏହି ଶୋଭାଯାତ୍ରା ଏବଂ ଏକ ସଚେତନତା ରଥ ର ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ରେ ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଜନ ସାଧାରଣ,ସ୍ବୟଂ ସହାୟକ ଗୋଷ୍ଠୀ ମା ମାନେ ଯୋଗଦେଇ ଦୁର୍ନୀତି ନିବାରଣ ସମ୍ପର୍କୀୟ ସ୍ଲୋଗାନ ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀ ମା ମାନେ ଦୁର୍ନୀତି ବିରୋଧୀ ରଙ୍ଗୋଲି କରିଥିଲେ। ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ସଚେତନତା ରଥ ସହର ରେ ବୁଲି ଦୁର୍ନୀତି ବିରୁଦ୍ଧ ରେ ନାରା ଓ ସଚେତନତା ବାର୍ତ୍ତା ପ୍ରଚାର କରିଥିଲା। ଏହି ଶୋଭାଯାତ୍ରା ରେ ଦୁର୍ନୀତି ନିବାରଣ ବିଭାଗର ଉପ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ଦୁର୍ନୀତି ନିବାରଣ ବିଭାଗର ଇନ୍ସପେକ୍ଟର ସିଦ୍ଧାର୍ଥ କୁମାର ରାଉତ, ଜିଲ୍ଲା ସ୍ତରୀୟ ଅଧିକାରୀ , କର୍ମଚାରୀ ତଥା ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରାରେ ଭାଗ ନେଇଥିଲେ ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *