ସିପିଆଇ ଅନ୍ଦୋଳନ ଚାଲୁରଖିବ
କେନ୍ଦ୍ରାପଡ଼ା,୨୭/୦୭/୨୦୨୬ (ଓଡ଼ିଶା ସମାଚାର)- ପାଠ୍ୟ ପୁସ୍ତକକୁ ତୁରନ୍ତ ବଦଳାଅ, ଗଣ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଭାରତର ଛାତ୍ର ଓ ଯୁବ ସମାଜର ଏକ ଐତିହାସିଲ ବିଜୟର ପ୍ରତୀକ ବୋଲି ସିପିଆଇ ପକ୍ଷରୁ କୁହାଯାଇଛି । ଏହା ଗଣତାନ୍ତ୍ରିକ ଜବାବଦେହିତାର ଏକ ବିରଳ ମୁହୂର୍ତ, ଯାହା କୌଣସି ଅହଂକାରୀ ସରକାରର ସଦିଚ୍ଛାରୁ ନୁହେଂ ବରଂ ସମଗ୍ର ଦେଶର ଛାତ୍ର ଓ ଯୁବକମାନଙ୍କର ଦୀର୍ଘ, ନିରନ୍ତର ଓ ସଂଗଠିତ ସଂଗ୍ରାମର ଫଳସ୍ୱରୂପ ସମ୍ଭବ ହୋଇଛି । ଛାତ୍ର ଆନ୍ଦୋଳନ ବିଜେପିର ଅହଙ୍କାରକୁ ପରାସ୍ତ କରିଛି ଏବଂ ମୋଦୀ–ଶାହ ସରକାରକୁ ତାହାର ବିଫଳତା ପାଇଁ ଜବାବ ଦେବାକୁ ବାଧ୍ୟ କରିଛି ।
ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୁରକ୍ଷା ଦେବା ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାର୍ଜ କରାଗଲା । ଲୁହବୁହା ଗ୍ୟାସ ପ୍ରୟୋଗ କରାଗଲା ଏବଂ ଯନ୍ତ୍ରଣା ଦ୍ୱାରା ଦମନ ଚଳାଯାଇଥିଲା ତଥାପି ଛାତ୍ର ଓ ଯୁବକମାନେ ଏହି ବର୍ବରତା ସାମ୍ନାରେ ଅସାଧାରଣ ସାହସ, ନିର୍ଭୀକତା ଓ ଧୈର୍ଯ୍ୟର ପରିଚୟ ଦେଇଥିଲେ । ସେମାନେ କୌଣସି ଧମକରେ ଭୟଭୀତ ହୋଇନଥିଲେ ଏବଂ ଦୃଢ ସଂକଳ୍ପ ସହ ସେମାନଙ୍କର ସଂଗ୍ରାମ ଜାରି ରଖିଥିଲେ । ଆନ୍ଦୋଳନରତ ଛାତ୍ର ଓ ଯୁବମାନଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ସମସ୍ତ ଏଫ୍.ଆଇ.ଆର୍. କୁ ତୁରନ୍ତ ପ୍ରତ୍ୟାହାର କରିବା ଏବଂ ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ଉପରେ ହିଂସା ଚଳାଇଥିବାରୁ ସରକାର ନିଃସର୍ତର୍ କ୍ଷମା ପ୍ରାର୍ଥନା କରିବାକୁ ପୁନର୍ବାର ଦାବି କରିଛି ସି.ପି.ଆଇ ।
ବର୍ଷ ବର୍ଷ ଧରି ପ୍ରଶ୍ନପତ୍ର ଲିକ୍, ବେପରୁଆ ଘରୋଇକରଣ, ଅତ୍ୟଧିକ କେନ୍ଦ୍ରୀକରଣ ଏବଂ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଯୋଜନାବଦ୍ଧ ଭାବରେ ଦୁର୍ବଳ କରିବା ଫଳରେ ଜାତୀୟ ଶିକ୍ଷା ନୀତି-୨୦୨୦ ଅଧିନରେ ଶିକ୍ଷାକ୍ଷେତ୍ର ଗଭୀର ସଙ୍କଟରେ ପଡିଛି । ଏପରିକି ଅନେକ ଯୁବକ ଜୀବନର ଦୁଃଖଦ ମୃତୁ୍ୟ ମଧ୍ୟ ଏହି ନିଷ୍ଠୁର ସରକାରକୁ ବିଚଳିତ କରିପାରିଲା ନାହିଁ । ଶେଷରେ ରାସ୍ତାକୁ ଓହ୍ଲାଇ ନିରନ୍ତର ଜନଆନ୍ଦୋଳନ ହିଁ ଏହି ପରିଣାମ ଆଣିବାକୁ ସରକାରକୁ ବାଧ୍ୟ କରିଛି ନିଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା ବ୍ୟବସ୍ଥାର ଘୋର ବିଫଳତା ଯୋଗୁଁ ଯେଉଁ ପରିବାର ଗୁଡିକ ସେମାନଙ୍କର ପ୍ରିୟ ସନ୍ତାନଙ୍କୁ ହରାଇଛନ୍ତି । ସେମାନଙ୍କୁ ଯଥୋଚିତ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଭାରତୀୟ କମୁ୍ୟନିଷ୍ଠ ପାର୍ଟି ଦାବି କରିଛି । ସାହାସ, ଦୃଢତା ଓ ସଂଗଠିତ ଶକ୍ତି ସହିତ ଲଢେଇ କରିଥିବା ସମସ୍ତ ଛାତ୍ର ଓ ଯୁବକମାନଙ୍କୁ ଆମେ ଅଭିନନ୍ଦନ ଜଣାଉଛୁବୋଲି ସିପିଆଇ କହିଛି ।
ଏହି ବିଜୟ ସେମାନଙ୍କର । ଆମର ସଂଗ୍ରାମ ଏଠାରେ ଶେଷ ହୋଇନାହିଁ । ସମସ୍ତଙ୍କ ପାଇଁ ସହଜଲଭ୍ୟ, ସମାବେଶୀ ଏବଂ ଉଚ୍ଚମାନର ସରକାରୀ ଶିକ୍ଷା ସୁନିଶ୍ଚିତ କରିବା ଏବଂ ଭାରତର ଯୁବ ସମାଜର ଆକାଂକ୍ଷା ପୂରଣ କରିପାରୁଥିବା ଏକ ଶିକ୍ଷା ବ୍ୟବସ୍ଥା ଗଢି ତୋଳିବା ପାଇଁ ଆମର ଲଢେଇ ଜାରି ରହିବ । ଏହି ପରିପ୍ରେକ୍ଷୀରେ ଆଜି ସି.ପି.ଆଇ ଜିଲ୍ଲାକମିଟି ପକ୍ଷରୁ ତୁରନ୍ତ ଓଡିଶାର ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବାକୁ ଦାବି କରି ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ରବିନ୍ଦ୍ର କୁମାର ମଲ୍ଲିକଙ୍କୁ ପ୍ରଦାନ କରାଯାଇଥିଲା ।
ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ସଭାପତି ଅଧ୍ୟାପକ ଅଜୟ ସାମଲ, ରାଜ୍ୟ ସମ୍ପାଦକ ମଣ୍ଡଳି ସଭ୍ୟ ସାଥି ରମଣୀରଞ୍ଜନ ରାଉତରାୟ, ଜିଲା ସମ୍ପାଦକ ସାଥି ବିକାଶ ଚନ୍ଦ୍ର ବେଉରା, ସହ ସଂପାଦକ ସାଥି ଆଦିକନ୍ଦ ରାଉଳ, ଜିଲା ପରିଷଦ ସଭ୍ୟ ସାଥି ସୀତାକାନ୍ତ ନାୟକ, ଛାତ୍ର ନେତା ସାଥି ଆହ୍ୱାନ ରାଉତରାୟ, ପ୍ରତୁ୍ୟଷରଞ୍ଜନ ବେଉରା, ସୋହାନା ବେଗମ୍, ସଂଯୁକ୍ତା ରାଉତ, ଶିକ୍ଷକ ଶ୍ରୀଚରଣ ସାମଲ, ପ୍ରମୋଦ ରାଉତ, ଚିତରଞ୍ଜନ ମହାନ୍ତି ଓ ଦାମୋଦର ମଳିକ ପ୍ରମୁଖ ଉପସ୍ଥିତ ଥିଲେ ।
