ଖଲ୍ଲିକୋଟ,୨୦/୦୭/୨୦୨୬ (ଓଡ଼ିଶା ସମାଚାର/ ନିଲୁ ପଣ୍ଡା)- ଗଞ୍ଜାମ ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ତଥା ପ୍ରାଣୀ ବିଜ୍ଞାନ ବିଭାଗର ରିଡର ଡଃ ସନ୍ତୋଷ କୁମାର ପାତ୍ର ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଏବଂ ମହାବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଭାବରେ ଯୋଗ ଦେଇଛନ୍ତି। ଏଠାରେ କାର୍ଯ୍ୟରତ ଅଧ୍ୟକ୍ଷ ଡଃ ଭଗବାନ ତ୍ରିପାଠୀଙ୍କୁ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ, ପୋଲସରାର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଡଃ ସନ୍ତୋଷ କୁମାର ପାତ୍ରଙ୍କ ଅଭିଜ୍ଞତା ଗୁଣବତ୍ତାସମ୍ପନ୍ନ ଶିକ୍ଷାଦାନ ସହ ଖଲ୍ଲିକୋଟ ଅଞ୍ଚଳରେ ଉଚ୍ଚ ଶିକ୍ଷାର ବ୍ୟାପକ ବିକାଶ ଦିଗରେ ସହାୟକ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଆଶା ବ୍ୟକ୍ତ କରିଛନ୍ତି। ଏହା ସହିତ ନୂତନ ଅଧ୍ୟକ୍ଷଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ କାର୍ଯ୍ୟଭାର ଗ୍ରହଣ ନେଇ ବିଧିବଦ୍ଧ ସୂଚନା ପ୍ରକାଶ ପାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଚିଠି ସଂଖ୍ୟା ୩୯୦୭୭ (ତାରିଖ: ୧୭/୦୭/୨୦୨୬) ଅନୁସାରେ ଏହି ବଦଳି ପ୍ରକ୍ରିୟା ଅନୁଷ୍ଠିତ ହୋଇଛି।
