ବିନା ସର୍ତରେ ମହିଳା ସଂରକ୍ଷଣକୁ ତୁରନ୍ତ ଲାଗୁ କର : ମହିଳାମାନଙ୍କୁ ରାଜନୈତିକ ଅଧିକାର ଦିଅ

ଭୁବନେଶ୍ୱର,୨୦/୦୭/୨୦୨୬(ଓଡ଼ିଶା ସମାଚାର/ ଦୀପ୍ତିରଂଜନ କାନୁନଗୋ)-ନାରୀ ଶକ୍ତିବନ୍ଧନ ଅଧିନିୟମ ୨୦୨୩କୁ ଜନଗଣନା ଓ ସୀମା ନିର୍ଦ୍ଧାରଣ ଠାରୁ ଅଲଗା କରି ଆଗକୁ ହେବାକୁ ଥିବା ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳା ସଂରକ୍ଷଣକୁ ତୁରନ୍ତ ଲାଗୁ କରିବା ଦାବିରେ ଜାତୀୟ ମହିଳା ମେଂଟର ଆହ୍ୱାନକ୍ରମେ ଭୁବନେଶ୍ୱରଠାରେ ଏକ ସୁସଜ୍ଜିତ ପଟୁଆର ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

୧୯୯୬ ମସିହାରେ ସଂସଦରେ ମହିଳା ସଂରକ୍ଷଣ ବିଧେୟକ ଆଗତ କରାଯିବା ପରେ ଏହାକୁ ଆଇନରେ ପରିଣତ କରିବା ପାଇଁ ଦୀର୍ଘ ୩୦ ବର୍ଷ ଧରି ସଂସଦ ଭିତରେ ଓ ବାହାରେ ଅନେକ ସଂଘର୍ଷ କରିବାକୁ ପଡ଼ିଛି । ୨୦୨୩ ମସିହାରେ ନାରୀ ଶକ୍ତିବନ୍ଧନ ଅଧିନିୟମ ସଂସଦରେ ପାରିତ ହେଲା ପରେ ମଧ୍ୟ ଏହାକୁ ଜନଗଣନା ଓ ସୀମା ନିର୍ଦ୍ଧାରଣ ସହିତ ଯୋଡ଼ି ଦେଇଥିବା ଯୋଗୁ ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ପାରୁନାହିଁ । ସରକାର ନିଜର ରାଜନୈତିକ ଉଦ୍ଧେଶ୍ୟ ଚରିତାର୍ଥ କରିବା ପାଇଁ ଏହାକୁ ସୀମା ନିର୍ଦ୍ଧାରଣ ସହିତ ଯୋଡୁଛନ୍ତି । ମନେ ରଖିବାକୁ ହେବ ଯେ ଆଜି ମଧ୍ୟ ସଂସଦରେ ମହିଳା ପ୍ରତିନିଧିତ୍ୱ ୧୪ ପ୍ରତିଶତରୁ କମ୍ ଥିବାବେଳେ ବିଭିନ୍ନ ରାଜ୍ୟର ବିଧାନସଭାରେ ଏହା ହାରାହାରି ୧୦ ପ୍ରତିଶତ । ଏପରି ସ୍ଥିତିରେ ସଂରକ୍ଷଣକୁ କାର୍ଯ୍ୟକାରୀ ନକରିବା ମହିଳାମାନଙ୍କ ପ୍ରତି ଚରମ ବିଶ୍ୱାସଘାତକ ।

ମହିଳାମାନଙ୍କର ରାଜନୈତିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସୋମବାର ଠାରୁ ଆରମ୍ଭ ହୋଇଥିବା ସଂସଦ ଅଧିବେଶନରେ ଆବଶ୍ୟକ ସମ୍ବିଧାନର ଧାରା ସଂଶୋଧନ ମାଧ୍ୟମରେ ଆଇନରୁ ଜନଗଣନା ଓ ସୀମା ନିର୍ଦ୍ଧାରଣକୁ ହଟାଇ ସଂରକ୍ଷଣ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ସମଗ୍ର ଦେଶ ସହିତ ଭୁବନେଶ୍ୱରେ ମଧ୍ୟ ସମାବେଶ ଅନୁଷ୍ଠିତ ହୋଇଛି । ସୋମବାର ରାମ ମନ୍ଦିର ଛକଠାରୁ ଏକ ସୁସଜ୍ଜିତ ପଟୁଆର ବାହାରି ଜନପଥ ଦେଇ ବିଧାନସଭା ସମ୍ମୁଖରେ ପହଂଚିବା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହାପରେ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି ସଭାରେ ବିଭିନ୍ନ ସଂଗଠନ ପକ୍ଷରୁ ଅଧ୍ୟାପିକା ଆଶା ହଂସ, ଶ୍ରୀମତୀ କସ୍ତୁରୀ ମହାପାତ୍ର, ତାପସୀ ପ୍ରହରାଜ, ଚିନ୍ମୟୀ ସାହାଣୀ, ସୁରଜିତା ନାୟକ, ବନଲତା ଜେନା, ଡଲି ଦାସ, ପ୍ରଜ୍ଞା ପ୍ରିୟଦର୍ଶିନୀ ରଥ, ଅନନ୍ୟା ନାୟକ, ଅଞ୍ଜଳି ନାୟକ, ନିରୁପମା ରଥ, ବିମଳା ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *