ଭୁବନେଶ୍ୱର,୨୬/୧୧/୨୦୨୪ (ଓଡ଼ିଶା ସମାଚାର)-ଜାତି ଜନଗଣନା ପ୍ରସଙ୍ଗରେ ସର୍ବଭାରତୀୟ ସ୍ତରରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଦାବି କରି ଆସୁଥିବା ବେଳେ ଇଣ୍ଡିଆ ମେଣ୍ଟର ସମସ୍ତ ଭାଗିଦାରୀ ଦଳ ମାନେ ମଧ୍ୟ ସମାନ ଦାବି କରି ଆସୁଛନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ ଜାତି ଜନଗଣନା ନେଇ ସ୍ପଷ୍ଟ ଆଭିମୁଖ୍ୟ ନାହିଁ । ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଜାତି ଜନଗଣନା କରିବାକୁ ନିଜର ନିର୍ବାଚନ ଇସ୍ତାହାର ରେ ପ୍ରତିଶୃତି ଦେଇଥିବା ଭାରତୀୟ ଜନତା ପାର୍ଟି ସରକାରରେ ଆସିଲା ପଛୁଆ ବର୍ଗଙ୍କୁ ଗଣନା କରି ସାମ୍ବିଧାନିକ ସଂରକ୍ଷଣ ଦେବାକୁ ପଛ ଘୁଞ୍ଚା ଦେଉଛି । ଆସନ୍ତା ବର୍ଷ ଜାନୁଆରୀ ମାସରୁ ଦେଶରେ ଜାତୀୟ ଜନ ଗଣନା ଆରମ୍ଭ ହେବାକୁ ଯାଉଛି । ଏହି ଗଣନା ସହିତ ରାଜ୍ୟରେ ଜାତି ଜନଗଣନା ହେଲେ କାହାର କେତେ ସଂଖ୍ୟା ଜଣାପଡିବ, କେଉଁ ବର୍ଗ କେଉଁ ସ୍ଥିତିରେ ଅଛନ୍ତି. ତାହା ସ୍ପଷ୍ଟ ହୋଇଯିବ । ପଛୁଆ ଓ ଅତି ପଛୁଆ ବର୍ଗଙ୍କ ସାମାଜିକ ଆର୍ଥିକ ସ୍ଥିତି ଜଣ ଜଣାପଡିବା ପରେ କେନ୍ଦ୍ର ଓ ରାଜ୍ୟ ସରକାର ସଂରକ୍ଷଣ ସମ୍ବଦ୍ଧରେ ସଠିକ ଭାବେ ନୀତିଗତ ନିଷ୍ପଭି ନେଇପାରିବେ ।
ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତି ଯାଦବଙ୍କ ନେତୃତ୍ୱରେ ଏହି ଗଣ ଧାରଣାରେ ସମସ୍ତ ଅଣ ବିଜେପି ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହ ବୁଦ୍ଧିଜୀବୀ, ସାମ୍ବାଦିକ ଓ ବିଭିନ୍ନ ସାମାଜିକ ସଂଗଠନର କାର୍ୟ୍ୟକର୍ତା ମାନେ ଯୋଗଦାନ କରି ଓଡିଶାରେ ଜାତି ଜନ -ଗଣନା କରିବା ସପକ୍ଷରେ ଯୁକ୍ତି ଉପସ୍ଥାପନା କରିଥିଲେ ।
ଜାତି ଜନଗଣନାରେ ଓବିସି ବା ପଛୁଆ ବର୍ଗଙ୍କ ଭାଗିଦାରୀ ଏବେ ଏକ ପ୍ରମୁଖ ସମସ୍ୟା କାରଣ ଦେଶର ସମୁଦାୟ ଲୋକ ସଂଖ୍ୟାରେ ଓବିସି ମାନଙ୍କ ସଂଖ୍ୟା ଅଧିକ ଅର୍ଥାତ ଶତକଡା ୫୪ ଭାଗ ହେବ ।
ପଛୁଆବର୍ଗ ମାନଙ୍କୁ ସାମ୍ବିଧାନିକ ଅଧôକାର ଓ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ଓବିସି ମାନଙ୍କୁ ସଂଖ୍ୟାନୁପାତରେ ଆରକ୍ଷଣ ଦେବା ସହିତ ମଣ୍ଡଳ କମିଶନ ସୁପାରିଶ ଅନୁଯାୟୀ ଓବିସିଙ୍କ ପାଇଁ ଚାକିରୀ କ୍ଷେତ୍ରରେ ୧୧.୨୫% ବଦଳରେ ୨୭% ଆରକ୍ଷଣ ଉଚ୍ଚଶିକ୍ଷା ପାଇଁ ନାମ ଲେଖାରେ ୦% ବଦଳରେ ୨୭% ଆରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ଦାବି କରିଛି । ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ଶିବ ହାତୀ ଯାଦବ ରାଜ୍ୟ ସଭାପତି, ସମାଜବାଦୀ ପାର୍ଟି, ପ୍ରତାପ ବାରିକ, ରାଜ୍ୟ ସମ୍ପାଦକ, ସମଜାବାଦୀ ପାର୍ଟି, ପ୍ରଦୀପ ମିଶ୍ର, ମିଡ଼ିଆ ମୁଖ୍ୟ ସମାଜବାଦୀ ପାର୍ଟି, ଦେବେନ୍ଦ୍ର କଅଁର, ଉପସଭାପତି, ସମାଜବାଦୀ ପାର୍ଟି, ବୁଧାରି ବିହାରୀ, ବେଣୁଧର ଗହର, ରଣଜିତ ଆଡ଼ଜୁଏଡ଼, ବ୍ରଜକିଶୋର ତି୍ରପାଠୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଯାଦବ ନେତା ସନାତନ ବେହେରା, ଆରଜେଡ଼ି ସାଧାରଣ ସମ୍ପାଦକ ହେମନ୍ତ କୁମାର, ବାମପନ୍ଥୀ ଦଳର ବରିଷ୍ଠ ନେତା ସୁରେଶ ପାଣିଗ୍ରାହୀ, ଫରୱାର୍ଡ଼ ବ୍ଲକର ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ନିଖିଳ ଉକ୍ରଳ ବାରିକ ସମିତି, ଭୁବନେଶ୍ୱର ଶାଖାର ସଭାପତି ରୋହିତ ବାରିକ, କୃଷକ ନେତା ବିଜୟ ବେହେରା ପ୍ରମୁଖ ଜାତିଗତ ଜନଗଣନା ଓ ୨୭% ସଂରକ୍ଷଣ ଉପରେ ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ ।
ଏବେ ରାଜ୍ୟରେ ବିଜେପି ଶାସନ ଚାଲୁଛି । ତେଣୁ ସରକାର ଜାତି ଜନଗଣନା କରାଇ ରାଜ୍ୟରେ ଥିବା ୫୪% ପଛୁଆ ବର୍ଗର ଲୋକଙ୍କୁ ୨୭% ପ୍ରତିଶତ ସଂରକ୍ଷଣ ଦିଅନ୍ତୁ ଅଥବା ଆଗାମୀ ଦିନରେ ଏହା ବିରୁଦ୍ଧରେ ସମାଜବାଦୀ ପାର୍ଟି ରାଜ୍ୟବ୍ୟାପି ସମାଜବାଦୀ ଜନଜାଗୃତି ଅଭିଯାନ ମାଧ୍ୟମରେ ଗଣ ଆନ୍ଦୋଳନ କରି ପଛୁଆ ବର୍ଗଙ୍କ ସ୍ୱାଭିମାନ ପାଇଁ ରାଜ ରାସ୍ତାକୁ ଓଲ୍ହାଇବ ବୋଲି ପାର୍ଟି ପକ୍ଷରୁ ସରକାରଙ୍କୁ ଚେତାଇ ଦିଆ ଯାଇଛି ।