ରାଉରକେଲା,୧୬/୦୧/୨୦୨୫ (ଓଡ଼ିଶା ସମାଚାର ସସ୍ମିତା ପ୍ରଧାନ)- ସେକ୍ଟର ୪ସ୍ଥିତ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ର ଆତ୍ମ ସୁରକ୍ଷା କୈାଶଳ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ରାଉରକେଲା କଲେଜର ଅଧ୍ୟକ୍ଷ ଡ଼ଃ ରବିନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପିକା ବୈଜୟନ୍ତୀ ବାରିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୋନ୍ ୧ର ଡିଏସପି ପୁଷ୍ପାଞ୍ଜଳି ନେଙ୍ଗୀ ମୁଖ୍ୟଅତିଥି ଓ ପ୍ରାଧ୍ୟାପିକା ତପସ୍ୱିନୀ ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁକ୍ତ ୨ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା କୈାଶଳର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଶ୍ରୀମତୀ ନେଙ୍ଗୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଆତ୍ମସୁରକ୍ଷା କୈାଶଳ ମାନସିକ ଓ ଶାରିରୀକ ଦୃଷ୍ଟିରୁ ଦୃଢ କରିବା ସଙ୍ଗେ ସଙ୍ଗେ ଆତ୍ମବିଶ୍ଵାସ ବୃଦ୍ଧି କରିଥାଏ। ଏହାସହ ସେ ସଚେତନତାକୁ ଗୁରୁତ୍ବ ଦେବା ସହ ଗାଡି ଚଲାଇବା ବେଳେ ଟ୍ରାଫିକ ନିୟମ ମାନିବା, ହେଲମେଟ ପିନ୍ଧିବା,ଗାଡି ଚଳାଇବା ପାଇଁ ଅନୁମତି ପତ୍ର ରଖିବା, ସାଇବର କ୍ରାଇମ ଓ କୈାଣସି ଲିଙ୍କ୍ ପ୍ରଲୋଭନ ରେ ନପଡିବା ଆଦି ସମ୍ପର୍କରେ ବ୍ୟାପକତା ଭାବେ ଆଲୋଚନା କରି ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ। ଅଧ୍ୟକ୍ଷ ଡ଼ଃ ଜେନା ସ୍ବାଗତ ଭାଷଣ ସହ ତାଙ୍କ ବକ୍ତବ୍ୟରେ କହିଲେ ଯେ ଆତ୍ମସୁରକ୍ଷା ର ପ୍ରଥମ ସୂତ୍ର ହେଉଛି ସତ କହିବା, ଦ୍ବିତୀୟରେ ସଚେତନ ରହିବା ଓ ତୃତୀୟରେ ସଠିକ କର୍ମକରି ଆନନ୍ଦ ଲଭିବା। ସମ୍ମାନିତ ଅତିଥି ପ୍ରାଧ୍ୟାପିକା ଶ୍ରୀମତୀ ମିଶ୍ର କହିଲେ ଯେ ଆତ୍ମସୁରକ୍ଷା ଏକ କୈାଶଳ। ଏହାକୁ ଅଭ୍ୟାସ ଦ୍ବାରା ଆୟତ କରିହେବ। ଏଥିପାଇଁ ମାନସିକ ଭାବେ ଦୃଢ଼ ହେବାକୁ ପଡିବ। ଏହି ଅବସରରେ ଦୁଇ ଟ୍ରେନର ଖୁସବୁ କେର୍କେଟା ଓ ଲକ୍ଷ୍ମୀ ସିଂ ଶିଖିବା, ଶିଖାଇବା, ପରିମାଣ ଅପେକ୍ଷା ଗୁଣବତ୍ତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଛାତ୍ରୀମାନେ ଶିଖିଥିବା କୈାଶଳକୁ ପ୍ରଦର୍ଶିତ କରିଥିଲେ। ଶେଷରେ ଅଧ୍ୟାପିକା ବନ୍ଦନା ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ଶିବିରରେ ୨୭୯ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଉପସ୍ଥିତ ଥିଲେ।
ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଆତ୍ମ ସୁରକ୍ଷା କୈାଶଳ କାର୍ଯ୍ୟକ୍ରମ ଉଦଯାପିତ
