୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

‘ଜ୍ଞାନୋଦୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନା ଆରମ୍ଭ – କେ.ଜିରୁ ପି.ଜି ମାଗଣା ଶିକ୍ଷା – ନାମଲେଖା ଫି’ ପୂରା ଛାଡ଼ –
ମଝିରୁ ପାଠ ଛାଡ଼ିବା ରୋକିବାକୁ ପ୍ରୟାସ – ଅନଟନରୁ ଯୋଗ୍ୟ ଛାତ୍ରଛାତ୍ରୀ ଶିକ୍ଷାରୁ ବଂଚିତ ହେବେ ନାହିଁ – ୫ ବର୍ଷରେ ଖର୍ଚ୍ଚ ହେବ ୫,୪୬୭.୫୫ କୋଟି ଟଙ୍କା –

ଭୁବନେଶ୍ୱର,୦୨/୦୭/୨୦୨୬(ଓଡ଼ିଶା ସମାଚାର)- ଜ୍ଞାନୋଦୟଶିକ୍ଷାରୁ ସମୃଦ୍ଧି ନାମରେ ରାଜ୍ୟ ସରକାର ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ କେ.ଜି ରୁ ପି.ଜି ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାପ୍ରଦାନ କରିବା ପାଇଁ ନିଷ୍ପତିି ଗ୍ରହଣ କରାଯାଇଛି । ଏଥିରେ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ କୌଣସି ଦେୟ ପଡିବ ନାହିଁ ।ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୩ତମ ବୈଠକ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୮ ଟି ବିଭାଗର ୧୨ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି ।

ବୈଠକରେ ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧିକୁ ଅନୁମୋଦନ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଐତିହାସିକ ନିଷ୍ପତିି ଦ୍ୱାରା ରାଜ୍ୟର ଜଣେ ବି ଛାତ୍ର କିମ୍ବା ଛାତ୍ରୀ ଆଉ ଆର୍ଥିକ ଅଭାବ କାରଣରୁ ଶିକ୍ଷାରୁ ବଂଚିତ ହେବେ ନାହିଁ । କିମ୍ବା ପାଠପଢା ମଝିରୁ ପାଠ ଛାଡିବେ ନାହିଁ । ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷାକୁ ଅଧ୍ଚଳ ସହଜଲଭ୍ୟ, ସମାନତା ଭିତିକ ଏବଂ ସୁଲଭ କରିବା ପାଇଁ ଏହା ଏକ ଐତିହାସିକ ପଦକ୍ଷେପ । ଏହି ଯୋଜନା ଅଧୀନରେ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନଗୁଡ଼ିକରେ ନିୟମିତ ବା ରେଗୁଲାର୍ ପାଠ୍ୟକ୍ରମରେ ନାମ ଲେଖାଇଥିବା ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ନାମଲେଖା ଫି’ ଛାଡ଼ କରାଯିବ ।

ଚଳିତ ଶିକ୍ଷାବର୍ଷ ୨୦୨୬-୨୭ରୁ ଏହା କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ନବମରୁ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସମେତ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଏବଂ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ନିୟମିତ ଭାବେ ସ୍ନାତକ ଏବଂ ସ୍ନାତକୋତର ପାଠ୍ୟକ୍ରମ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଓଡ଼ିଶାରେ କିଣ୍ଡରଗାର୍ଟେନ୍ ବା କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପୂର୍ବରୁ ଦେୟମୁକ୍ତ ଥିଲା । ଆର୍ଥିକ ଅଭାବ ଅନଟନ ଯୋଗୁଁ ଯେପରି କୌଣସି ଯୋଗ୍ୟ ଛାତ୍ରଛାତ୍ରୀ ଶିକ୍ଷାରୁ ବଂଚିତ ନ ହୁଅନ୍ତି, ତାହା ନିଶ୍ଚିତ କରିବା ପାଇଁ ଏହି ଯୋଜନାର ପରିକଳ୍ପନା କରାଯାଇଛି । ଯୋଜନାର କାର୍ଯ୍ୟକାରିତା ପାଇଁ ପ୍ରଥମ ଆର୍ଥିକ ବର୍ଷରେ ୮୯୫.୫୭ କୋଟି ଟଙ୍କା ଏବଂ ୫ ବର୍ଷ ଅବଧି ମଧ୍ୟରେ ୫,୪୬୭.୫୫ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳକୁ ମଞ୍ଜୁରି ଦେଇଛନ୍ତି ।

ଏହାଦ୍ୱାରା ପ୍ରତିବର୍ଷ ୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ସେମାନଙ୍କ ପରିବାରର ଆର୍ଥିକ ବୋଝ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇବ । ଏହି ପ୍ରୟାସ ଜାତୀୟ ଶିକ୍ଷା ନୀତି ୨୦୨୦, ଓଡ଼ିଶା ଭିଜନ ୨୦୩୬ ଏବଂ ଓଡ଼ିଶା ଭିଜନ ୨୦୪୭ର ଉଦ୍ଧେଶ୍ୟକୁ ପୂରଣ କରିବାରେ ସହାୟକ ହେବ ।

ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିବୃତ୍ତି

Leave a Reply

Your email address will not be published. Required fields are marked *