ଢେଙ୍କାନାଳ, ୦୧/୦୭/୨୦୨୬ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ଆଜି ହିନ୍ଦୋଳ ଉପଖଣ୍ଡ ପରିଦର୍ଶନ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଚାଲୁଥିବା ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ।
ପରିଦର୍ଶନ ଅବସରରେ ସେ ହିନ୍ଦୋଳ ତହସିଲ କାର୍ଯ୍ୟାଳୟ, ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ, ବ୍ଲକ କାର୍ଯ୍ୟାଳୟ ଏବଂ ରାଜମୋହନପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ବିଭିନ୍ନ କାର୍ଯ୍ୟାଳୟରେ ନାଗରିକଙ୍କୁ ପ୍ରଦାନ କରାଯାଉଥିବା ସେବା, ପାରିପାର୍ଶ୍ୱିକ ବ୍ୟବସ୍ଥା ଓ ସରକାରୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସେ ସମୀକ୍ଷା କରିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କୁ ଗୁଣାତ୍ମକ ଓ ସମୟବଦ୍ଧ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।
ଜିଲ୍ଲାପାଳ ବିଭିନ୍ନ ଚାଲୁଥିବା ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ମଧ୍ୟ ସମୀକ୍ଷା କରି ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗୁଣାତ୍ମକ ଭାବେ ସମ୍ପୂର୍ଣ୍ଣ କରିବା ସହ ସାଧାରଣ ଲୋକଙ୍କୁ ସରକାରୀ ସେବା ଓ ସୁବିଧାର ସୁଫଳ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ପରିଦର୍ଶନ ସମୟରେ ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ପ୍ରଭାସ କୁମାର ବେହୁରା, ତହସିଲଦାର ଶ୍ରୀ ଦିଲ୍ଲୀପ କୁମାର ସେଠୀ, ବିଡିଓ ଶ୍ରୀ କଲ୍ୟାଣ ସୌରଭ ଦାଶ ଏବଂ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
