ନାବାଳିକା ଭାଣିଜୀକୁ କିରୋସିନି ଢାଳି ହତ୍ୟା ମାମଲାରେ ଦୋଷୀ ମାମୁଁ କୁ ଫାଶୀ ଦଣ୍ଡାଦେଶ

ବ୍ରହ୍ମପୁର,୩୦/୦୬/୨୦୨୬ (ଓଡ଼ିଶା ସମାଚାର)- ଭାଣିଜୀକୁ ହତ୍ୟା ମାମଲାରେ ଦୋଷୀ ମାମୁକୁ ମୃତ୍ୟୁ ଦଣ୍ଡାଦେଶ । ୨୦୨୨ରେ ବ୍ରହ୍ମପୁରରେ ନାବାଳିକା ଭାଣିଜୀକୁ ହତ୍ୟା ମାମଲାରେ ଦୋଷୀ ମାମୁଁ ସିପ୍ରିନ ଦିଗାଲକୁ ମୃତୁ୍ୟ ଦଣ୍ଡାଦେଶ ହୋଇଛି । ବ୍ରହ୍ମପୁର ଅତିରିକ୍ତ ଜିଲା  ଦୌରାଜଜ୍ ପକ୍ସୋ (ଆଡହକ) କୋର୍ଟ ବିଚାରପତି ରୋହିତ ଲାଲ ପଣ୍ଡା ଏହି ରାୟ ଶୁଣାଇଛନ୍ତି । ୨୦୨୨ ଏପ୍ରିଲ ୨୫ରେ ବ୍ରହ୍ମପୁର ଗୋଇଲୁଣ୍ଡି ବିଦ୍ୟାନଗରରେ ଅଗ୍ନିକାଣ୍ଡରେ ୧୩ ବର୍ଷୀୟା ଗାୟତ୍ରୀ ପାତ୍ରଙ୍କ ମୃତୁ୍ୟ ଘଟିଥିଲା ଓ ଏହି ଘଟଣାରେ ପୋଲିସ ତଦନ୍ତ କରି ମୃତ ନାବାଳିକାର ମାମୁଁ ସିପ୍ରିନ ଦିଗାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଗିରଫ ମାମୁଁ ସିପ୍ରିନ ଦିଗାଲ ଭାଣିଜୀ ଗାୟତ୍ରୀଙ୍କୁ ଖରାପ ନଜରରେ ଦେଖୁଥିଲା ଏବଂ ସେ କିରୋସିନି ଢାଳି ନିଆଁ ଲଗାଇ ଗାୟତ୍ରୀଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ଏ ମାମଲାରେ ମୋଟ ୧୩ଜଣଙ୍କ ସାକ୍ଷ୍ୟ ଗ୍ରହଣ ସହିତ ବୟାନ ରେକର୍ଡ କରାଯାଇଥିଲା । ପୂର୍ବରୁ ଅଭିଯୁକ୍ତ ସିପ୍ରିନ ଦିଗାଲ ନିଜ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଫୁଲବାଣୀ ଜେଲରେ ଥିଲା ଓ କୋର୍ଟରୁ ଅନୁମତି କ୍ରମେ ସେ କିଛି ଦିନ ପାଇଁ ପାରୋଲରେ ବ୍ରହ୍ମପୁର ସ୍ଥିତ ନିଜ ଭଉଣୀ ଘରକୁ ଆସିଥିଲା ଏବଂ ସେଠାରେ ଏହି ଜଘନ୍ୟ କାଣ୍ଡ ଘଟାଇଥିଲା ।

Leave a Reply

Your email address will not be published. Required fields are marked *