ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଅଶୋକ କୁମାର ଅଗ୍ରୱାଲଙ୍କ ଅକାଳ ବିୟୋଗ- ପିପିଲି ଅଞ୍ଚଳରେ ଶୋକର ଛାୟା

ପିପିଲି, ୩୦/୦୬/୨୦୨୬ (ଓଡ଼ିଶା ସମାଚାର)-ପିପିଲିର ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଅଶୋକ କୁମାର ଅଗ୍ରୱାଲଙ୍କ ଅକାଳ ବିୟୋଗରେ ସମଗ୍ର ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ବ୍ୟବସାୟୀ, ସାମାଜିକ ଓ କ୍ରୀଡ଼ା ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି।

 ସବୁବେଳେ ହସହସ ମୁହଁ, ମଧୁର ବ୍ୟବହାର ଓ ସମାଜ ପ୍ରତି ସମର୍ପିତ ମନୋଭାବ ପାଇଁ ପରିଚିତ ଥିଲେ ଅଶୋକ କୁମାର ଅଗ୍ରୱାଲ। ସେ କେବଳ ଜଣେ ସଫଳ ବ୍ୟବସାୟୀ ନୁହଁନ୍ତି, ବରଂ ପିପିଲି ଅଞ୍ଚଳର ଜଣେ ସକ୍ରିୟ ସମାଜସେବୀ ଭାବେ ଲୋକଙ୍କ ହୃଦୟରେ ସ୍ଥାନ ପାଇଥିଲେ।

 ପିପିଲି ବଜାର ବ୍ୟବସାୟୀ ସଂଘର ପ୍ରାକ୍ତନ ସଭାପତି ଭାବେ ସେ ଦୀର୍ଘଦିନ ଧରି ଦାୟିତ୍ୱ ନିର୍ବାହ କରିଥିଲେ। ଏହା ସହ ମହାରାଜା କ୍ରିକେଟ୍ କ୍ଲବର ସଭାପତି ଓ ପିପିଲି ଗଜଲକ୍ଷ୍ମୀ କ୍ଲବର ମୁଖ୍ୟ ଉପଦେଷ୍ଟା ଭାବରେ ମଧ୍ୟ ସେ ଜନସେବା ଓ ସଂଗଠନ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।ଅଶୋକ କୁମାର ଅଗ୍ରୱାଲଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ବ୍ୟବସାୟୀ ସଂଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି ଓ ସଂଗଠନ।

ବିଜେଡି ନେତା ତଥା ପିପିଲି ର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ତାଙ୍କ ବିୟୋଗରେ ଗଭୀର ସମବେଦନା ଜଣାଇ ଶୋକସନ୍ତପ୍ତ ପରିବାର ପ୍ରତି ସହାନୁଭୂତି ପ୍ରକାଶ କରିଥିବା ବେଳେ  କଂଗ୍ରେସ ନେତା ପ୍ରିୟବ୍ରତ ସାମନ୍ତରାୟ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ପରିବାର କୁ ସମବେଦନା ଜଣାଇଛନ୍ତି।ସେହିପରି ପିପିଲି ମିଡିଆ ୟୁନିଅନ ପକ୍ଷରୁ ମଧ୍ୟ ତାଙ୍କ  ଶୋକସନ୍ତପ୍ତ ପରିବାର କୁ ସମବେଦନା ଜଣାଇବା ସହିତ ୟୁନିଅନର ଉପ-ସଭାପତି ମନୋଜ କୁମାର ସାହୁ ତାଙ୍କୁ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ସମାଜପ୍ରତି ସମର୍ପିତ ବ୍ୟକ୍ତିତ୍ୱ ଭାବେ ସ୍ମରଣ କରି ଅଶୋକ ଅଗ୍ରୱାଲ ଙ୍କ ପରଲୋକ ପିପିଲି ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *