ଓଡ଼ିଶା ରାଜ୍ୟ ମହିଳା କମିଶନ ଙ୍କ ଶିବିର ଅଦାଲତ

ଜଗତସିଂହପୁର,୩୦/୦୬/୨୦୨୬ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଓଡ଼ିଶା ରାଜ୍ୟ ମହିଳା କମିଶନ ଙ୍କ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି। କମିଶନ ର ଅଧ୍ୟକ୍ଷା ଶୋଭନା ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ, ଡି ଏସ ପି ଶ୍ରୀମତୀ ପ୍ରଜ୍ଞା ମିଶ୍ର ଙ୍କ ସମେତ କମିଶନ ର ସଦସ୍ୟ ସଦସ୍ୟା ଶ୍ରୀମତୀ ପ୍ରତିଭା ଶତପଥୀ, ଶ୍ରୀମତୀ କଳ୍ପନା ମଲ୍ଲିକ, ପି ଓ ଜଗତସିଂହପୁର ସ୍ମିତାଞ୍ଜଳି ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାରମ୍ଭ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଲେ ଯେ ମହିଳା ମାନଙ୍କ ସ୍ୱାଭିମାନ ର ଲଢ଼ାଇ ରେ ମହିଳା କମିଶନ ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ କମିଶନ ସର୍ବଦା ତତ୍ପର ବୋଲି କହିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସେଠୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏହି ଶିବିର ରେ ମୋଟ ୨୪ ଟି କେସ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିଲା। ସେଥି ମଧ୍ୟରୁ ୧୬ଟି ମାମଲାରେ ପକ୍ଷମାନେ ଉପସ୍ଥିତ ଥିଲେ – ଉଭୟ ପକ୍ଷରୁ ୭ଟି, କେବଳ ଆବେଦନକାରୀ ୮ଟି ଓ କେବଳ ବିପକ୍ଷରୁ ୧ଟି ମାମଲାରେ ଉପସ୍ଥିତ ଥିଲେ। ସେଥିମଧ୍ୟରୁ ୫ ଟି କେସ ର ଆପୋଷ ବୁଝାମଣା ସହ ସମାଧାନ ହୋଇଥିଲା। କମିଶନ ର ଅଧ୍ୟକ୍ଷା ଏଵଂ ସଦସ୍ୟ ମାନଙ୍କ ସୁଚିନ୍ତିତ ପରାମର୍ଶ ଓ ଉପଦେଶ ସମସ୍ୟା ସମାଧାନ ଦିଗରେ ସାହାଯ୍ୟ କରିଥିଲା। ୨ ଟି କେସ ଆରକ୍ଷୀ ଅଧିକ୍ଷକ ଙ୍କ ନିକଟକୁ, ୧ ଟି ଉପ ଜିଲ୍ଲାପାଳ ଙ୍କ ନିକଟକୁ ଓ ୮ ଟି କେସ ର କେବଳ ଆବେଦନକାରୀ ଉପସ୍ଥିତ ଥିବାରୁ ପୁନଃ ହାଜିରା ପାଇଁ ନୋଟିସ ହୋଇଥିଲା। ଏତଦବ୍ୟତୀତ ୧ଟି ନୂତନ କେସ ଗ୍ରହଣ କରାଯାଇଥିଲା ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *