ଭୁବନେଶ୍ୱର,୩୦/୦୬/୨୦୨୬(ଓଡ଼ିଶା ସମାଚାର)- ରାଜ୍ୟ ଆଧାର-ଆଧାରିତ ପେନସନ୍ ବଂଟନ ବ୍ୟବସ୍ଥାକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଥିବାରୁ, ସୋମବାର ଓଡ଼ିଶା ସରକାର ସମସ୍ତ ଜିଲା ପ୍ରଶାସନକୁ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି) ଅଧୀନରେ ପ୍ରାୟ ୩.୩ ଲକ୍ଷ ହିତାଧିକାରୀଙ୍କ ପାଇଁ ଆଧାର ସଂଯୋଗୀକରଣ ଏବଂ ଇ-କେୱାଇସି ସମାପ୍ତିକୁ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଛନ୍ତି । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ (ଏସଏସଇପିଡି) ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଦ୍ୱାରା ଜାରି ଏକ ସୂଚନାରେ, କଲେକ୍ଟର ଏବଂ ଜିଲା ମାଜିଷ୍ଟ୍ରେଟମାନଙ୍କୁ ଆଧାର ସିଡିଂ ଏବଂ ଆନୁଷଙ୍ଗିକ କାର୍ଯ୍ୟ ଯଥାଶୀଘ୍ର ସମାପ୍ତ କରିବାକୁ ନିର୍ଦେଶ ଦିଆଯାଇଛି ।
ବିଭାଗ କହିଛି ଯେ ୨୦୨୬-୨୭ ଆର୍ଥôକ ବର୍ଷରୁ ଆଧାର-ଆଧାରିତ ପେମେଂଟ ମୋଡ୍ ଅଧୀନରେ ପେନସନ୍ ପେମେଂଟ ଏସଏନଏ-ଏସପିଏଆରଏସ ପ୍ଲାଟଫର୍ମକୁ ସ୍ଥାନାନ୍ତରିତ କରାଯାଉଛି । ଏହା ଆହୁରି ଉଲ୍ଲେଖ କରିଛି ଯେ ଯେଉଁ ହିତାଧିକାରୀ ମାନଙ୍କର ଆଧାର ନମ୍ବର ସେମାନଙ୍କର ବ୍ୟାଙ୍କ ଆକାଉଂଟ ସହିତ ଲିଙ୍କ୍ ହୋଇନାହିଁ, ସେମାନେ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ପେନସନ୍ ପାଇବାରେ ବାଧା ପାଇବେ । ବିଭାଗର ସୂଚନା ଅନୁଯାୟୀ, ପ୍ରାୟ ୩,୩୫,୮୫୦ ଜଣ ହିତାଧିକାରୀ ଏବେ ବି ଆଧାର ମ୍ୟାପିଂ ବିନା ଆକାଉଂଟ-ଆଧାରିତ ପେମେଂଟ ସିଷ୍ଟମ ମାଧ୍ୟମରେ ପେନସନ୍ ପାଉଛନ୍ତି ।
