ଯାଜପୁର,୨୪/୦୬/୨୦୨୬ (ଓଡ଼ିଶା ସମାଚାର)- ଓଡ଼ିଶା ସରକାର ଶ୍ରମ ବିଭାଗ ନିର୍ଦ୍ଦେଶ ମତେ ପନ୍ଦର ଦିନିଆ ଶିଶୁ ଶ୍ରମିକ ନିରାକରଣ ସମ୍ବନ୍ଧୀୟ ବିଶେଷ ସଚେତନତା ଓ ଶିଶୁ ଶ୍ରମିକ ନିୟୋଜିତ କରିଥିବା ସଂସ୍ଥା ତଥା ବ୍ୟକ୍ତିବିଶେଷଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ୟାପକ ପଦକ୍ଷେପ ଯାଜପୁର ଜିଲ୍ଲାରେ ଗ୍ରହଣ କରାଯାଇଛି । ସରକାରୀ ନିର୍ଦ୍ଦେଶ ମତେ ଯାଜପୁର ଜିଲ୍ଲାରେ ପ୍ରାୟ ପନ୍ଦର ଦିନ ଶିଶୁ ଶ୍ରମିକ ନିୟୋଜନ ବାରଣ ପାଇଁ ସଚେତନତା ରଥ,ରାଲି,ବ୍ୟାପକ ସଚେତନତା ପାଇଁ ସରକାରୀ ବିଭାଗ ଓ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ବୈଠକ ସହିତ ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ଘନ ଘନ ରେଡ୍ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ୧୨ ଜୁନ ରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଯୁଧିଷ୍ଠିର ନାୟକ ଶିଶୁ ଶ୍ରମିକ ନିରାକରଣ ସମ୍ବନ୍ଧୀୟ ସଚେତନତା ରଥ ଓ ରାଲି କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ବ୍ୟାପକ ସଚେତନତା କରାଯାଇଥିଲା ଏବଂ ସଚେତନତା ରଥ ଜିଲ୍ଲାର ସବୁ ବ୍ଲକ ଓ ପୌରପାଳିକା ଜୁନ ୧୨ ରୁ ୧୯ ତାରିଖ ମଧ୍ୟରେ ଭ୍ରମଣ କରିଥିଲା । ସେହିପରି ଜୁନ ୧୯ ତାରିଖ ରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ତଥା ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଟାସ୍କ ଫୋର୍ସ ର ସମସ୍ତ ସଦସ୍ୟ ଯୋଗ ଦେଇ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ଏବଂ ୨୦ ତାରିଖ ୨୪ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ଅଞ୍ଚଳରେ ରେଡ କରି ଶିଶୁ ଓ କିଶୋର ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା । ନିଷ୍ପତ୍ତି ମୁତାବକ ୨୦ ତାରିଖରେ ଯାଜପୁର ବ୍ଲକ ଓ ପୌରପାଳିକା ରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୌମ୍ୟ ସୁନ୍ଦର ରାଉତରାୟ, ସହକାରୀ ଶ୍ରମ ଅଧିକାରୀ ସ୍ମୃତି ରଞ୍ଜନ ପଣ୍ଡା ଙ୍କ ନେତୃତ୍ଵରେ ଚଢାଉ କରାଯାଇ ୭ ଜଣ କିଶୋର ଶ୍ରମିକ ବିଭିନ୍ନ ବିପଦସଙ୍କୁଳ କାର୍ୟ୍ୟ ରେ ନିୟୋଜିତ ଥିଲାବେଳେ ସେମାନଙ୍କୁ ଉଦ୍ଧାର କରି ମାଲିକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ସେହିପରି ୨୨ ତାରିଖରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୌମ୍ୟରଞ୍ଜନ ବେହେରା, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ପଣ୍ଡା ,ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଅଭିଜିତ ଜୟପ୍ରକାଶ ପ୍ରଧାନ ବ୍ୟାସନଗର ପୌରପାଳିକା ଓ କୋରେଇ ବ୍ଲକ ରୁ ୪ ଜଣ କିଶୋର ଶ୍ରମିକ, ୨୩ ତାରିଖରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ପଣ୍ଡା,ସହକାରୀ ଶ୍ରମ ଅଧିକାରୀ ମିସ ଶତରୂପା ସାହୁ ବରୀ ବ୍ଲକ୍ ଅଞ୍ଚଳରୁ ୨ ଜଣ କିଶୋର ଶ୍ରମିକ, ୨୪ ତାରିଖରେ ସହକାରୀ ଶ୍ରମ ଅଧିକାରୀ ଦେବାଶିଷ ଜେନା,ସହକାରୀ ଶ୍ରମ ଅଧିକାରୀ ରଚନା ସେଠି, ସହକାରୀ ଶ୍ରମ ଅଧିକାରୀ ମିସ ଶତାବ୍ଦୀକା ନାୟକ ଦାନଗଦି ଓ ସୁକିନ୍ଦା ବ୍ଲକ ରୁ ୨ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର କରି ଆବଶ୍ୟକୀୟ ବିହିତ ପଦକ୍ଷେପ ନେବା ସହିତ ମାଲିକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସମ୍ପୂର୍ଣ୍ଣ କାର୍ୟ୍ୟକ୍ରମକୁ ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ର ସଦସ୍ୟ ଆବାହକ ତଥା ଜିଲ୍ଲା ଶ୍ରମ ଅଧିକାରୀ,ଯାଜପୁର, ଯାଜପୁର ପ୍ରଭାଗୀୟ ଶ୍ରମ କମିଶନର ଶ୍ରୀ ସତ୍ୟନାରାୟଣ ଆଚାର୍ୟ୍ୟ ଏବଂ ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ କମିଶନର ଶ୍ରୀ ଶିବ ଶଙ୍କର ମିଶ୍ର ଙ୍କ ତତ୍ତ୍ଵାବଧାନରେ ସମ୍ପନ୍ନ କରାଯାଇଥିଲା । କାର୍ୟ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଚାଇଲ୍ଡ ଲାଇନ ସଦସ୍ୟ, ରୁଚିକା ଓ ଆସପାୟର ଭଳି ସ୍ଵେଚ୍ଛାସେବୀ ସଂଗଠନ ର ସଦସ୍ୟ, ଶିଶୁ ଶ୍ରମିକ ସୁରକ୍ଷା ମାନବାଧିକାର କର୍ମୀ ଏବଂ ପୋଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏତଦବ୍ୟତୀତ ପରବର୍ତ୍ତୀ ସମୟରେ ଯଦି କୌଣସି ସଂସ୍ଥା କିମ୍ବା ମାଲିକ କୌଣସି ଶିଶୁ ଓ କିଶୋର ଶ୍ରମିକ ନିୟୋଜିତ କରିବାର କିଛି ସୂଚନା ମିଳେ,ତେବେ ନିୟମ ଅନୁଯାୟୀ ଆବଶ୍ୟକୀୟ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । କୌଣସି ଭି ପରିସ୍ଥିତିରେ ୧୪ ବର୍ଷ ପର୍ୟ୍ୟନ୍ତ କୌଣସି ଶିଶୁକୁ ଶ୍ରମିକ ଭାବେ କିମ୍ବା ୧୪ ରୁ ୧୮ ବର୍ଷ ପର୍ୟ୍ୟନ୍ତ କୌଣସି କିଶୋର ଙ୍କୁ ଶ୍ରମିକ ଭାବେ ବିପଦସଙ୍କୁଳ କାର୍ୟ୍ୟରେ ନିୟୋଜିତ ନ କରିବାକୁ ସାବଧାନ କରାଯାଇଛି ।
