ନ୍ୟାସନାଲ ଓପନ ସ୍ପିଡ ସ୍କେଟିଂ ଚମ୍ପିୟାନସିପ୍: ଓଡ଼ିଶାର ସାଇ ନିର୍ଜରାଙ୍କୁ ସ୍ୱର୍ଣ୍ଣ ସହ ଦୁଇଟି ରୌପ୍ୟ ପଦକ

​ ଭୁବନେଶ୍ୱର,୨୩/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଞ୍ଚିଠାରେ ଅନୁଷ୍ଠିତ ଜାତୀୟ ସ୍କେଟିଂ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଭା ଚମକିଛନ୍ତି। ରୋଲର୍ ସ୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ଗତ ଜୁନ୍ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୧୨ତମ ଓପନ୍ ର‍୍ୟାଙ୍କିଙ୍ଗ୍ ନ୍ୟାସନାଲ୍ ସ୍ପିଡ୍ ସ୍କେଟିଂ ଚାମ୍ପିଅନସିପ୍-୨୦୨୬ରେ ଓଡ଼ିଶାର ପ୍ରତିନିଧିତ୍ୱ କରି ସାଇ ନିର୍ଜରା ପ୍ରଧାନ ଅସାଧାରଣ ପ୍ରଦର୍ଶନ କରିଛନ୍ତି। ସେ ଏହି ଜାତୀୟ ସ୍ତରର ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ଏବଂ ଦୁଇଟି ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି।

​ପ୍ରତିଯୋଗିତାର ୧୨ରୁ ୧୫ ବର୍ଷ ବୟସ୍କା ମହିଳା କ୍ୱାଡ୍ (Quad) ବର୍ଗରେ ସାଇ ନିର୍ଜରା ନିଜର ଦୃଢ଼ ସଂକଳ୍ପ ଓ ଚମତ୍କାର ସ୍କେଟିଂ ପ୍ରତିଭା ପ୍ରଦର୍ଶନ କରିଥିଲେ। ସେ ୫୦୦+ଡି ରେସ୍‌ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୧ ଲ୍ୟାପ୍ ରୋଡ୍ ରେସ୍ ଏବଂ ୧୦୦୦ ମିଟର ରେସ୍‌ରେ ଦ୍ୱିତୀୟ ସ୍ଥାନ ସହ ଦୁଇଟି ରୌପ୍ୟ ପଦକ ନିଜ ନାମରେ କରିଛନ୍ତି।

​ଏଭଳି ଚିତ୍ତାକର୍ଷକ ସଫଳତା ପାଇଁ ସାଇ ନିର୍ଜରାଙ୍କ ନିଷ୍ଠା ଓ ପରିଶ୍ରମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯିବା ସହ ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ତାଙ୍କର ଏହି ସଫଳତା ଓଡ଼ିଶାର କ୍ରୀଡ଼ା ଜଗତ, ବିଶେଷ କରି ସ୍କେଟିଂ ପ୍ରେମୀଙ୍କ ମଧ୍ୟରେ ଅହେତୁକ ଉତ୍ସାହ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *