ଭୁବନେଶ୍ୱର,୨୨/୦୬/୨୦୨୬(ଓଡ଼ିଶା ସମାଚାର)-ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ୮୭ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ୟୁନିଟ୍-୬ସ୍ଥିତ ନେତାଜୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ ଫରୱାର୍ଡ଼ ବ୍ଲକର ଜାତୀୟ ସମ୍ପାଦକ ଜୀ.ଆର. ଶିବଶଙ୍କର ପାର୍ଟିର ସଂଗ୍ରାମୀ ପତାକାକୁ ଉତୋଳନ କରି ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଫରୱାର୍ଡ଼ ବ୍ଲକର ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫରୱାର୍ଡ଼ ବ୍ଲକର ଜାତୀୟ ସମ୍ପାଦକ କମ୍ରେଡ଼ ଜୀ.ଆର ଶିବଶଙ୍କର ବକ୍ତବ୍ୟ ରଖି ଫରୱାର୍ଡ଼ ବ୍ଲକର ୮୭ବର୍ଷର ସଂଗ୍ରାମୀ ଇତିହାସ ସଂକ୍ରାନ୍ତରେ ଆଲୋକପାତ କରିବା ସହ ଆଜି ସରକାରୀ ଦଳର ଦାୟିତ୍ୱହୀନତା ଫଳରେ ସାଧାରଣ ମଣିଷଙ୍କ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
କେନ୍ଦ୍ରରେ ବିଜେପି ସରକାର ଆସିବା ପରଠାରୁ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକୁ ଶାଗମାଛ ଦରରେ ବିକ୍ରି କରାଯାଉଛି । ଭାରତବର୍ଷରେ ବୈଦେଶିକ ନୀତିକୁ ଭୁଲି ମୋଦି ସରକାର ଆମେରିକାର ଗୋଡ଼ାଣିଆ ସାଜିଥିବା ଭଳି ମନେ ହେଉଛି । ଭାରତୀୟମାନଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ମୋଦି ସରକାରଙ୍କ ନୀରବତା ସମଗ୍ର ଘଟଣାକୁ ସନ୍ଦେହର ବଳୟକୁ ଟାଣିନେଉଛି । ଦରଦାମ ଆକାଶଛୁଆଁ ହେବା ଫଳରେ ଗରିବ ମେହନତୀ ମଣିଷ ନାନା ଯନ୍ତ୍ରଣାର ଶିକାର ହେଉଛନ୍ତି । ଦେଶର ଗଣତନ୍ତ୍ର, ସାମ୍ବିଧାନିକ ମୂଲ୍ୟବୋଧ ବିପନ୍ନ ହେବାରେ ଲାଗିଛି । ଏଭଳିସ୍ଥଳେ ସୁଭାଷବାଦୀ ବିଚାରଧାରାରେ ବେସାଲିସ୍ ସଂଗ୍ରାମ ହିଁ ଜନଗଣଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେଇପାରିବ ବୋଲି ଶ୍ରୀ ଶିବଶଙ୍କର ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ବକ୍ତବ୍ୟ ରଖି ସ୍ୱାଧୀନତାର ୮୯ ବର୍ଷ ପରେ ମଧ୍ୟ ନେତାଜୀଙ୍କ ସ୍ୱପ୍ନର ଭାରତ ଗଠନ ହୋଇପାରି ନାହିଁ ବୋଲି ଅଭିଯୋଗ କରିଥିଲେ । ଭୋକ, ଭୟ ଓ ଭ୍ରଷ୍ଟାଚାର ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଦେଶରେ ନିଜର କାୟାବିସ୍ତାର କରିଚାଲିଛି । ପୁଞ୍ଜିବାଦୀ ବ୍ୟବସ୍ଥା ଆଧାରରେ କର୍ପୋରେଟ ସପକ୍ଷବାଦୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ଫଳରେ ଜନଗଣଙ୍କ ସମସ୍ୟା ବଢିବାରେ ଲାଗିଛି । ଜନଗଣ ନିଜର ଅଧିକାର ପାଇଁ ଆନ୍ଦୋଳନ କଲାବେଳେ ସରକାରୀ ପ୍ରାୟୋଜିତ ଦମନଲୀଳା ଜାରି ରହିଛି । ଦେଶ ଓ ରାଜ୍ୟର ପ୍ରାକୃତିକ ସମ୍ପଦକୁ ଜନଗଣଙ୍କ ସ୍ୱାର୍ଥ ସାଧନା, ବେକାରଙ୍କୁ କର୍ମନିଯୁକ୍ତି ପ୍ରଦାନ ଦିଗରେ ବିନିଯୋଗ କରିବା ପରିବର୍ତେ ଦେଶୀ ବିଦେଶୀ ପୁଞ୍ଜିପତିମାନଙ୍କୁ ବିକ୍ରି କରାଯାଇଛି ବୋଲି ଅଭିଯୋଗ କରିଥିଲେ । ଜନଗଣଙ୍କ ଯନ୍ତ୍ରଣାରୁ ମୁକ୍ତି ପାଇଁ ନେତାଜୀଙ୍କ ଆଦର୍ଶରେ ସଂଗ୍ରାମ ଜାରି ରଖିବାକୁ ଶ୍ରୀ ମହାପାତ୍ର ଉପସ୍ଥିତ ସାଥୀମାନଙ୍କୁ ଆହ୍ୱାନ କରିଥିଲେ । ଅନ୍ୟପଟରେ ନେତାଜୀଙ୍କ ଜନ୍ମଭୂମି ଓଡ଼ିଶାରେ ନେତାଜୀଙ୍କ ପ୍ରତି ବାରମ୍ବାର ଅସମ୍ମାନ କରାଯାଉଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିବା ସହ ଭୁବନେଶ୍ୱର କୋର୍ଟ ସମ୍ମୁଖରେ ଥିବା ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କର ବହୁ ପୁରାତନ ପ୍ରତିମୂର୍ତିକୁ ସରକାର ଭାଙ୍ଗି ଅଳିଆ ଗଦାରେ ପକେଇ ଦେଲା ଭଳି ଅବସ୍ଥା ସୃଷ୍ଟି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଗ୍ରଗାମୀ ମହିଳା ସମିତିର ରାଜ୍ୟ ସମ୍ପାଦିକା ଲକ୍ଷ୍ମୀ ଦୋରା, ଫରୱାର୍ଡ଼ ବ୍ଲକର ନେତା ଧନ ଗିଉରିଆ, ନିଶା ଭତରା, ରଜନୀଗନ୍ଧା ବାରିକ, ଛାତ୍ରୀନେତ୍ରୀ ରିଙ୍କି ସାହୁ ପ୍ରମୁଖ ଏହି ଐତିହାସିକ ଦିବସର ଗୁୁରୁତ୍ୱ ସଂକ୍ରାନ୍ତରେ ଆଲୋକପାତ କରିବା ସହ ସୁଭାଷବାଦୀ ସଂଗ୍ରାମକୁ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ । ସର୍ବଶ୍ରୀ ବିଜୟ ସାହୁ, ଦଶରଥ ଖିଲ, ଶିବ ଗୌଡ଼, ଦୁର୍ଯେ୍ୟାଧନ ବଜାରୀ, ବିଶ୍ୱଜିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ନେତାଜୀଙ୍କ ସ୍ୱପ୍ନର ଭାରତବର୍ଷ ଗଠନ ପାଇଁ ଫରୱାର୍ଡ଼ ବ୍ଲକର ପ୍ରତିଷ୍ଠା ଦିବସରେ ସଂକଳ୍ପ
