ଉଚ୍ଛେଦକାରୀ ଦଳକୁ ବିରୋଧ କଲେ କର୍ପୋରେଟର

ଭୁବନେଶ୍ୱର,୩୦/୧୦/୨୦୨୫ (ଓଡ଼ିଶା ସମାଚାର)- ଭୁବନେଶ୍ୱର ମହାନଗର ନିଗମ, ଉଠାଦୋକାନୀ ଆଇନ-୨୦୧୪କୁ ନମାନି ତିନୋଟି ଜୋନରେ ବିଏମସିର ଉଚ୍ଛେଦକାରୀ ଦଳ ମଙ୍ଗଳା ମନ୍ଦିର ଛକଠାରେ ଉଠାଦୋକାନୀମାନଙ୍କୁ ଜୋର ଜବରଦସ୍ତ ଉଚ୍ଛେଦ କରିବା ପାଇଁ ଯାଇଥିବା ବେଳେ ସମାଜସେବୀ ରଶ୍ମୀରେଖା ଜେନା ଉଚ୍ଛେଦକାରୀ ଦଳକୁ ତୀବ୍ର ବିରୋଧ କରିଥିଲେ । ସେହି ସମୟରେ ୭ ନମ୍ବର ୱାର୍ଡ଼ର କର୍ପୋରେଟର ଯଶୋଧାରା ପ୍ରଧାନ ଘଟଣାସ୍ଥଳରେ ପହଂଚି ଉତର ବିଏମସିର ଡେପୁଟି କମିଶନରଙ୍କୁ କାହା ନିର୍ଦେଶରେ ଭାଙ୍ଗିବା ପାଇଁ ଆସିଛନ୍ତି ତାର ସରକାରୀ ଚିଠା ଦେଖାଅ ବୋଲି କହିଥିଲେ । ଦୋକାନୀମାନେ ରାସ୍ତାଉପରେ କି ଡ୍ରେନ ଉପରେ ବସିନାହାଁନ୍ତି । ସେମାନେ ଶାନ୍ତିଶୃଙ୍ଖଳାର ସହ ବସି ବ୍ୟବସାୟ କରୁଛନ୍ତି । ଆପଣ କାହିଁକି ଆସି ସେମାନଙ୍କୁ ଉଚ୍ଛେଦ କରୁଛନ୍ତି ବୋଲି ବିଭିନ୍ନ ପ୍ରଶ୍ନ କରିଥିଲେ । ଏହାପରେ ୧୪ ନମ୍ବର ୱାର୍ଡ଼ର କର୍ପୋରେଟର ମୋନାଲିସା ସାହୁ ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ ।

ପରେ ଆଖପାଖ ଅଂଚଳରୁ ପାଖାପାଖି ୨୦ଟି ସଂଘର କର୍ମକର୍ତା ଆସି ଏକଜୁଟ ହେବା ଫଳରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଜଗବନ୍ଧୁ ବେହେରା, ବିକ୍ରମ ବାରିକ, କରୁଣାକର, ବିଜୟ ବେହେରା, ପ୍ରଦୀପ ମହାନ୍ତି, ଅକ୍ଷୟ ପରିଡ଼ା ପ୍ରମୁଖ ଡୋଜର ସମ୍ମୁଖରେ ବସି ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନ ପାଖାପାଖି ୨ଘଂଟା ଧରି ଚାଲିବା ପରେ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ଉପସଭାପତି ନିରଞ୍ଜନ ପାଣ୍ଡେ, ସସ୍ମିତା ସାହୁ, ଶୁଭଲକ୍ଷ୍ମୀ ମହାନ୍ତି, ଶରତ ସାହୁ, ମଞ୍ଜୁ ନାୟକ ପ୍ରମୁଖ ପହଂଚି ବିଏମସି ଓ ମହାସଂଘ ସହିତ ହୋଇଥିବା ଆଲୋଚନାର ନକଲ ବିଏମସି କର୍ତୃପକ୍ଷ ଓ ପୁଲିସ୍ ଙ୍କୁ ଦେଖାଇବା ପରେ ବିଏମସି କର୍ତୃପକ୍ଷ ସେଠାରୁ ଚାଲି ଯାଇଥିଲେ । ଯିବା ସମୟରେ ଫେଜ୍-୨ ପାଖରେ ଥିବା ମାଛ ଦୋକାନ ଓ ଫଳ ଦୋକାନକୁ ଜୋର ଜବରଦସ୍ତ ଭାଙ୍ଗିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବାଉରୀବନ୍ଧୁ ବେହେରା ଓ କର୍ପୋରେଟର ଯଶୋଧାରା ପ୍ରଧାନ ବିଏମସି ଅଧିକାରୀଙ୍କୁ ବିରୋଧ କରିଥିଲେ । ବିଏମସି କର୍ତୃପକ୍ଷ କହିଥିଲେ ଯେ, ମେୟର ଆମକୁ ଉଚ୍ଛେଦ ପାଇଁ ପଠାଇଛନ୍ତି କହିବାରୁ ସେଠାରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଶ୍ରୀମତୀ ପ୍ରଧାନ କହିଥିଲେ ଯେ, ଯେତେବେଳେ ଯେଉଁ ସମୟରେ ମୋ ୱାର୍ଡ଼କୁ ଆସିବେ, ମୋ ବିନା ଅନୁମତିରେ ପ୍ରବେଶ କରିପାରିବେ ନାହିଁ କିମ୍ବା ଗୋଟିଏ ବି ଦୋକାନ ଉଚ୍ଛେଦ କରିପାରିବେ ନାହିଁ । ଏଠାରେ ସୂଚନା ଥାଉକି ଗତ କିଛିଦିନ ହେବ ବିଏମସିର ୩ଟି ୱାର୍ଡ଼ରେ ପାଖାପାଖି ୫ ହଜାରରୁ ଅଧିକ ଉଠାଦୋକାନୀଙ୍କୁ ଉଚ୍ଛେଦ କରିସାରିଲେଣି । ଏହି ଉଚ୍ଛେଦ ଫଳରେ ହଜାର ହଜାର ଉଠାଦୋକାନୀମାନଙ୍କ ପରିବାର ଉଜୁଡ଼ି ଯାଇଛି । ଏବେ ୟୁନିଟ୍-୪, କଳ୍ପନା, ଡମଣା, କିଟ୍, କଳିଙ୍ଗ ଷ୍ଟୁଡ଼ିଓ, ପୋଖରୀପୁଟ ଏବଂ ବରମୁଣ୍ଡା ଅଂଚଳରେ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ ଯଦି ବିଏମସି ୭ ଦିନ ମଧ୍ୟରେ ଥଇଥାନ ନ କରନ୍ତି, ତେବେ ସାରା ଭୁବନେଶ୍ୱରକୁ ଅଚଳ କରିଦେବା ସହ ପ୍ରତ୍ୟେକ ଜାଗାରେ ଦୋକାନୀମାନେ ରାସ୍ତାକୁ ଓହ୍ଲାେଇବ ବୋଲି ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ସଭାପତି ପ୍ରତାପ କୁମାର ସାହୁ ରାଜ୍ୟ ସରକାର ଓ ଭୁବନେଶ୍ୱର ମହାନଗର ନିଗମକୁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *