ଭୁବନେଶ୍ୱର,୦୯/୦୬/୨୦୨୬(ଓଡ଼ିଶା ସମାଚାର)- ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ଶେଷରେ ପ୍ରକୃତିର ସାମାନ୍ୟ ଦୟା ହୋଇଛି । ପ୍ରାକ୍-ମୌସୁମୀ ବର୍ଷା ବା ‘କାଳବୈଶାଖୀ’ ରବିବାର ଓ ସୋମବାର ଦୁଇଦିନ ଓଡ଼ିଶାର ଅନେକ ସ୍ଥାନରେ ବର୍ଷିଛି, ଯାହା ଫଳରେ ଅସ୍ତବ୍ୟସ୍ତ ଜନଜୀବନକୁ ଟିକେ ଶାନ୍ତି ମିଳିଛି ।
ଏସବୁ ଭିତରେ ଆଉ ଏକ ବଡ଼ ଖବର ହେଉଛି, ଜୁନ୍ ୧୪ ରୁ ୧୭ ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବାକୁ ଯାଉଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ କିଛି ଦିନ ପାଇଁ ବିଭିନ୍ନ ଜିଲାକୁ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଅରେଞ୍ଜ ଅଲର୍ଟ ଜାରି କରାଯାଇଛି ।
ଏଠାରେ ଘଂଟା ପ୍ରତି ୫୦-୬୦ କିମି ବେଗରେ ପବନ ସହ ବଜ୍ରପାତ ଓ ବର୍ଷାର ସମ୍ଭାବନା ରହିଛି । ବାକି ପ୍ରାୟ ସବୁ ଜିଲାରେ ଅପରାହ୍ନ ବା ସନ୍ଧ୍ୟା ସମୟରେ ୪୦-୫୦ କିମି ବେଗରେ ପବନ ବହିପାରେ । ଏଥିପାଇଁ ୟେଲୋ ଅଲର୍ଟ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ଉତର ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ତାପମାତ୍ରା କମିଲା, କିନ୍ତୁ ମୌସୁମୀକୁ ନେଇ ଚିନ୍ତା ବଢ଼ିଲା ଉତର-ପଶ୍ଚିମରୁ ଆସୁଥିବା ଗରମ ଶୁଖିଲା ପବନ ଏବଂ ବେଙ୍ଗାପସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ପବନର ମିଶ୍ରଣ ଯୋଗୁଁ ଏହି କାଳବୈଶାଖୀ ସୃଷ୍ଟି ହୋଇଛି ।
ଭୁବନେଶ୍ୱର ସମେତ ଉପକୂଳ ଅଂଚଳରେ ତାପମାତ୍ରା ୩୬ ରୁ ୪୦ ଡିଗ୍ରୀ ସେଲସିୟସ ଭିତରେ ରହିଥିଲେ ମଧ୍ୟ ସାମାନ୍ୟ ବର୍ଷା ଯୋଗୁଁ ଗୁଳୁଗୁଳିରୁ ତ୍ରାହି ମିଳିଛି । ତେବେ ମୌସୁମୀକୁ ନେଇ କିଛି ଚିନ୍ତାଜନକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଜୁନ୍ ୪ରେ ମୌସୁମୀ କେରଳ ଛୁଇଁ ସାରିଛି ଏବଂ ଜୁନ୍ ୧୧ ବେଳକୁ ବେଙ୍ଗାପସାଗରରେ ଏହା ସକ୍ରିୟ ହେବ । ଚଳିତ ବର୍ଷ ସ୍ୱାଭାବିକ ଠାରୁ କମ୍ ବର୍ଷା (ଖଚଇର ୯୨%) ହେବାର ପୂର୍ବାନୁମାନ କରାଯାଇଛି । ଓଡ଼ିଶାର କେନ୍ଦ୍ରୀୟ ଅଂଚଳରେ ସ୍ୱାଭାବିକ ବର୍ଷା ହୋଇପାରେ, କିନ୍ତୁ ଉତର ଓ ଦକ୍ଷିଣ ଜିଲାଗୁଡ଼ିକରେ ବର୍ଷାର ପରିମାଣ କମ୍ ରହିପାରେ ।
ପ୍ରାକ୍-ମୌସୁମୀ ବର୍ଷାରେ ଅଭାବ ଦେଖାଦେଇଥିବାରୁ ଖରିଫ ଚାଷ ପାଇଁ ଚାଷୀମାନେ ଚିନ୍ତାରେ ଅଛନ୍ତି । ଏହା ସହିତ କାଳବୈଶାଖୀ ସମୟରେ ବଜ୍ରପାତର ଭୟ ଅଧିକ ଥାଏ । ବଜ୍ରପାତ ସମୟରେ ଘର ଭିତରେ ରୁହନ୍ତୁ । ଖୋଲା ପଡ଼ିଆ, ଗଛ ମୂଳ କିମ୍ୱା ପାଣି ଆଖପାଖକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଚାଷୀମାନେ ନିଜର ଗୋରୁଗାଈ ଓ କଟା ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି ।
