ମାଟିର ବାସ୍ନା ସାହିତ୍ୟ ସଂସଦ ଭଦ୍ରକର ତୃତୀୟ ବାର୍ଷିକ ସାରସ୍ୱତ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର,୦୬/୦୬/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ମାଟିର ବାସ୍ନା ସାହିତ୍ୟ ସଂସଦ ଭଦ୍ରକର ରାଜ୍ୟସ୍ତରୀୟ ତୃତୀୟ ବାର୍ଷିକ ବନ୍ଧୁମିଳନ ଓ ସାରସ୍ୱତ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବ ଦୁଇଟି ଅଧିବେଶନରେ ଚାଲିଥିଲା । ପ୍ରଥମ ଅଧିବେଶନରେ ସକାଳ ୯ ଘଟିକା ଠାରୁ ଘ.୧୧.୩୦ମିନିଟ୍ ପର୍ଯ୍ୟନ୍ତ ଓ ଦ୍ୱିତୀୟ ଅଧିବେଶନ ଘ.୧୧.୩୦ ଦିବା ୨ ଘଟିକା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ, ପୁସ୍ତକ ଉନ୍ମୋଚନ ଓ କବି ଓ କବୟିତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶ୍ରୀମତୀ ସ୍ୱର୍ଣ୍ଣଲତା ପତି ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ ଏବଂ ଏହି ଅଧିବେଶନର ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଜଳ ସମ୍ପଦ ନିର୍ଦେଶକ କିଶୋର ମହାରଣା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ମଂଚ ପରିଚାଳନା କରିଥିଲେ ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ହୃଷିକେଶ ପ୍ରଧାନ ଓ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ସମ୍ପାଦିକା ମନ୍ଦାକିନୀ ପାଢୀ । ଦ୍ୱିତୀୟ ଅଧିବେଶନରେ ସଭାପତିତ୍ୱ କରିଥିଲେ ମାଟିର ବାସ୍ନାର ସ୍ଥାୟୀ ସଭାପତି ଶ୍ରୀଯୁକ୍ତ ରାଖେଲ ଚନ୍ଦ୍ର ସ୍ୱାଇଁ ଓ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର (ଡ.) ପ୍ରତିଭା ମହାରଥି ଯୋଗଦେଇ ସାହିତ୍ୟ ଓ ସଂସ୍କୃତି ଉପରେ ବିଶେଷ ଆଲୋଚନା କରିଥିଲେ ।

ସମ୍ମାନିତ ବକ୍ତା ଭାବେ ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ଧନୀ, ଡ. ପ୍ରଦୀପ କୁମାର ଓ ଶ୍ରୀଯୁକ୍ତ ଗୋଦାବରୀଶ ଦାସ ଯୋଗଦେଇ ସାହିତ୍ୟ ଓ ଆଧ୍ୟାତ୍ମିକ ଉପରେ ଆଲୋଚନା କରିଥିଲେ । ମଂଚ ପରିଚାଳନ କରିଥିଲେ ଶ୍ରୀମତୀ ନଳିନୀ ପ୍ରଭା ଦାସ, ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ ମାଟିର ବାସ୍ନାର ସମ୍ପାଦିକା ତଥା ପ୍ରତିଷ୍ଠାତ୍ରୀ ଶ୍ରୀମତୀ ସରସ୍ୱତୀ ବାରିକ । ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲାରୁ ଆସିଥିବା ସାରସ୍ୱତ ସାଧକମାନଙ୍କୁ ସାହିତ୍ୟରଥି ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରମୋଦ କୁମାର ପାଢୀ ।

Leave a Reply

Your email address will not be published. Required fields are marked *